(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ତମାମ ବିବାଦ ଘେରି ରହି ଆସିଥିବା ସିବିଆଇର ପୂର୍ବତନ ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କୁ ବର୍ତ୍ତମାନ ଦିଲ୍ଲୀ ପୋଲିସ କମିଶନର ଭାବେ ନିଯୁକ୍ତ କରାଯାଇଛି। ଏହାପୂର୍ବରୁ ଏସଏନ ଶ୍ରୀବାସ୍ତବ ଦିଲ୍ଲୀ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ, କିନ୍ତୁ ତାଙ୍କ କାର୍ଯ୍ୟକାଳ ଜୁନ୍ ମାସରେ ଶେଷ ହୋଇଥିଲା। ଯାହା ପରେ ଆଇପିଏସ୍ ଅଧିକାରୀ ବାଲାଜୀ ଶ୍ରୀବାସ୍ତବଙ୍କୁ ଲୁକ୍ ଆଫ୍ଟର ଦାୟିତ୍ବ ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ରାକେଶ ଆସ୍ଥାନା ଦିଲ୍ଲୀ ପୋଲିସର କମିଶନର ନିଯୁକ୍ତ ହୋଇଛନ୍ତି।
ରାକେଶ ଆସ୍ଥାନା ପୂର୍ବରୁ ବିଏସଏଫର ଡିଜି ଭାବରେ କାର୍ଯ୍ୟ କରୁଥିଲେ। ଆସ୍ଥାନା ଗୁଜୁରାଟ କ୍ୟାଡରର 1984 ବ୍ୟାଚ୍ ଆଇପିଏସ୍ ଅଧିକାରୀ । ବିଏସଏଫ ଡିଜିଙ୍କ ସହ ସେ ଏନସିବି ମୁଖ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।
ଲାଞ୍ଚ ମାମଲା ରୁଜୁ ହୋଇଥିଲା
ପୂର୍ବରୁ ବିବାଦକୁ ନେଇ ଚର୍ଚ୍ଚାରେ ଥିଲେ ରାକେଶ ଆସ୍ଥାନା । ତାଙ୍କ ବିରୋଧରେ 2018 ରେ ଏକ ଲାଞ୍ଚ ମାମଲା ରୁଜୁ ହୋଇଥିଲା। ସେତେବେଳେ ରାକେଶ ଆସ୍ଥାନା ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ପଦରେ ଥିଲେ। ଅଭିଯୋଗ ଆସିବା ପରେ ତାଙ୍କୁ ଏହି ପଦବୀରୁ ହଟାଇ ଦିଆଯାଇଥିଲା। ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ତତ୍କାଳୀନ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା। ତେବେ ରାକେଶ ଆସ୍ଥାନା ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହା ପରେ ରାକେଶ ଆସ୍ଥାନା ଏବଂ ଆଲୋକ ବର୍ମାଙ୍କୁ ଛୁଟିରେ ପଠାଯାଇଥିଲା ଏବଂ ନାଗେଶ୍ୱରା ରାଓଙ୍କୁ ସିବିଆଇ ନିର୍ଦ୍ଦେଶକ କରାଯାଇଥିଲା।
ଯେତେବେଳେ 2018 ରେ ଆସ୍ଥାନାଙ୍କ ବିରୋଧରେ କୋଟି କୋଟି ଟଙ୍କା ଲାଞ୍ଚ ନେଇଥିବାର ଅଭିଯୋଗ ହୋଇଥିଲା, ସେତେବେଳେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିଲେ। କିନ୍ତୁ ସରକାର ଆଲୋକ ବର୍ମାଙ୍କୁ ହଟାଇ ନାଗେଶ୍ୱରା ରାଓଙ୍କୁ ସିବିଆଇ ନିର୍ଦ୍ଦେଶକ କରିଥିଲେ। ନାଗେଶ୍ୱର ରାଓ ପହଞ୍ଚିବା ମାତ୍ରେ ରାକେଶ ଆସ୍ଥାନା ମାମଲାର ତଦନ୍ତ କରୁଥିବା ସମସ୍ତ ଅଧିକାରୀଙ୍କୁ ବଦଳି କରିଥିଲେ। ପ୍ରାୟ 13 ସିବିଆଇ ଅଧିକାରୀଙ୍କୁ ବଦଳି କରାଯାଇଥିଲା। ବଦଳି ହେବା ପରେ ସିବିଆଇରେ ଅଧୀକ୍ଷକ (ଏସପି) ଭାବରେ ପୋଷ୍ଟ ହୋଇଥିବା ସତୀଶ ଦାଗର ତୁରନ୍ତ VRS ନେବାକୁ ଆବେଦନ କରିଥିଲେ। ତେବେ ବ୍ୟକ୍ତିଗତ କାରଣରୁ ସେ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରୁଛନ୍ତି ବୋଲି ସେ କହିଥିଲେ।
ଫେବୃଆରୀ 2020 ରେ, ରାକେଶ ଆସ୍ଥାନାଙ୍କୁ ସମସ୍ତ ଦୁର୍ନୀତି ମାମଲାରେ ସିବିଆଇ ଦ୍ୱାରା କ୍ଲିନ୍ ଚିଟ୍ ଦିଆଯାଇଥିଲା। ଲାଞ୍ଚ ନେବା ଅଭିଯୋଗରେ ତାଙ୍କ ବିରୋଧରେ କୌଣସି ପ୍ରମାଣ ନଥିବା ନେଇ ସିବିଆଇ କହିଛି। ଆଇପିଏସ୍ ଅଧିକାରୀ ରକେଶ ଅସ୍ଥାନା ଝାଡ଼ଖଣ୍ଡର ନେତରହାଟ ବିଦ୍ୟାଳୟର ଛାତ୍ର ଥିଲେ। ୧୯୮୪ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଅସ୍ଥାନାଙ୍କ ବାପା ହରେ କୃଷ୍ଣ ଅସ୍ଥାନା ନେତରହାଟ ବିଦ୍ୟାଳୟର ଶିକ୍ଷକ ଥିଲେ।
ବିାହାର ଚାରା ଘୋଟାଲା ମାମଲାର ତଦନ୍ତରେ ଅସ୍ଥାନା ବଡ଼ ଭୂମିକା ଗ୍ରହଣ କରିଥିଲେ। ସିବିଆଇ ଏସପି ଥିବା ବେଳେ ତାଙ୍କ ନେତୃତ୍ବରେ ୪ଟି ବଡ଼ ମାମଲାର ତଦନ୍ତ ହୋଇଥିଲା।