ଜଣେ ଷ୍ଟ୍ରଙ୍ଗମ୍ୟାନକୁ ସଙ୍ଗଠନର ଦାୟିତ୍ୱ ଦିଆଯାଉ; ତାଙ୍କ ସହ ନିଯୁକ୍ତ ହୁଅନ୍ତୁ ୪ କାର୍ଯ୍ୟକାରୀ ସଭାପତି: ସୁର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ବିଗତ କିଛି ଦିନ ଧରି କଂଗ୍ରେସରେ ଦଳୀୟ କନ୍ଦଳ ଦେଖିବାକୁ ମିଳିଛି । ତେବେ ରାଜ୍ୟରେ ଦଳର ପ୍ରଦର୍ଶନକୁ ନେଇ ପିସିସି ସଭାପତିଙ୍କୁ ପରିବର୍ତ୍ତନ କରାଯାଉ ବୋଲି ଅନେକ ନେତା ମତ ରଖିଛନ୍ତି । ଏପରିକି କିଏ ବର୍ତ୍ତମାନର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସପକ୍ଷରେ ବାହାରୁଥିବାବେଳେ ଆଉ କିଏ ତାଙ୍କୁ ପରିବର୍ତ୍ତନ କରାଯାଉ ବୋଲି ଦାବି କରିଛି । ଏହା ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ପିସିସି ସଭାପତି ପାଇଁ ୧୩/୧୪ଜଣଙ୍କ ନାଁ ଚର୍ଚା ହେଉଛି। କିଏ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ତ ଆଉ କିଏ ବରିଷ୍ଠଙ୍କୁ ପିସିସି ସଭାପତି କରିବାକୁ କହୁଛନ୍ତି। ଆଉ କେତେ ଜଣ ଯୁବ ଗୋଷ୍ଠୀଙ୍କୁ ଦାୟିତ୍ବ ଦିଆଗଲେ ଭଲ ବୋଲି ଯୁକ୍ତି ବାଢ଼ୁଛନ୍ତି। କିନ୍ତୁ ମୋ ମତରେ ଜଣେ ଷ୍ଟ୍ରଙ୍ଗମ୍ୟାନ୍କୁ ସଂଗଠନ ଦାୟିତ୍ବ ଦିଆଯାଉ। ଯାହାର ରାଜ୍ୟ ପାଇଁ ଅବଦାନ ଥିବ ଓ ଯିଏ ସଂଗଠନ ଭିତରେ ରହିଥିବେ। ଏହାସହ ଓଡ଼ିଶାକୁ ୪ଟି ଜୋନ୍ରେ ଭାଗ କରାଯାଉ। ୪ କାର‌୍ୟ୍ୟକାରୀ ସଭାପତି, ୮ଜଣ ଉପ-ସଭାପତି ଓ ୨୦ଜଣ ସାଧାରଣ ସଂପାଦକଙ୍କୁ ନିଯୁକ୍ତ କରାଯାଉ।

ସେମାନେ ଲୋକଙ୍କ ପାଖକୁ ଯିବେ ଓ ଲୋକଙ୍କ ସମସ୍ୟା ବୁଝିବେ। ତାହାଲେ ଯାଇ କଂଗ୍ରେସ ରାଜ୍ୟରେ ଆଗେଇବ। ଯେଉଁମାନେ ପିସିସି ସଭାପତି ହେବେ ବୋଲି କହୁଛନ୍ତି ନିର୍ବାଚନ ବେଳେ ସେମାନେ କେଉଁଠି ଥିଲେ ? ସେମାନେ ନିର୍ବାଚନ ପ୍ରଚାରରେ ଗଲେ ନାହିଁ କି ଟଙ୍କାଟିଏ ମଧ୍ୟ କାଢ଼ିଲେ ନାହିଁ। କେବଳ ନିରଞ୍ଜନ ବାବୁଙ୍କୁ ଖରାପ କହିଦେଲେ ଚଳିବ ନାହିଁ। ସେ ଜଣେ ଭଲ ଲୋକ ବୋଲି ସୁର କହିଛନ୍ତି। ଅନ୍ୟପଟେ ପିସିସି ସଭାପତି ଦୌଡ଼ରେ ଜୟଦେବ ଜେନା ରହିଥିବା ଚର୍ଚା ହେଉଥିବା ବେଳେ ଏହି ଚର୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଖୋଦ୍ ଜୟଦେବ। ଶ୍ରୀ ଜେନା ଗଣମାଧ୍ୟମକୁ କହିଛନ୍ତି ଯେ ପିସିସି ରେସ୍ରେ ମୁଁ ନାହିଁ କି ମୋର ଇଚ୍ଛା ମଧ୍ୟ ନାହିଁ। ମାନସିକ ସ୍ତରରେ ମଧ୍ୟ ଏଥିପାଇଁ ପ୍ରସ୍ତୁତ ହୋଇନାହିଁ। କିନ୍ତୁ ହାଇକମାଣ୍ଡ ଓଡ଼ିଶା ପାଇଁ ଯେଉଁ ଦାୟିତ୍ବ ଦେବେ ତାକୁ ଗ୍ରହଣ କରିବି। ପୂର୍ବରୁ ଦୁଇ ଦୁଇ ଥର ପିସିସି ସଭାପତି ହୋଇଛି।

୨୦୦୪ ମସିହାରେ ମୋ ନାଁ ଘୋଷଣା ହୋଇଥିଲା। ଆଉ ୫ବର୍ଷ ପାଇଁ ପିସିସି ସଭାପତି ରହିଥିଲି। ୨୦୧୩ ମସିହାରେ ପୁଣି ଯେତେବେଳେ ସଭାପତି ହୋଇଥିଲି ସେତେବେଳେ ଏଥିପାଇଁ ଚେଷ୍ଟା ମଧ୍ୟ କରି ନ ଥିଲି। ନିକଟରେ ଶେଷ ହୋଇଥିବା ୫ ରାଜ୍ୟରେ ନିର୍ବାଚନ ଫଳାଫଳ କଂଗ୍ରେସ ସପକ୍ଷରେ ନ ଯିବାରୁ ସାଙ୍ଗଠନିକ ପରିବର୍ତନ କରିବାକୁ କାର‌୍ୟ୍ୟକାରିଣୀ ବୈଠକରେ ସୋନିଆ ଗାନ୍ଧିଙ୍କୁ କୁହାଯାଇଥିଲା। ଖରାପ ଫଳାଫଳ ଥିବା ୫ଟି ରାଜ୍ୟରେ ସଭାପତି ପରିବର୍ତନ ହୋଇଥିବା ବେଳେ ଯେଉଁ ରାଜ୍ୟରେ ସାଂଗଠନିକ ଦୁର୍ବଳତା ଅନୁଭବ ହେଉଛି ସେଠାରେ ନେତୃତ୍ବ ପରିବର୍ତନ ପାଇଁ ଶ୍ରୀମତୀ ଗାନ୍ଧି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସେହିକ୍ରମରେ ଓଡ଼ିଶାରେ ମଧ୍ୟ ପରିବର୍ତନ ହୋଇପାରେ ବୋଲି ଗଣମାଧ୍ୟମରେ ଚର୍ଚା ହେଉଛି। ଏ ଖବର ସାମ୍ନାକୁ ଆସିବା ପରେ ଓଡ଼ିଶାର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts