ବିହାରରୁ ଆସିଲା ଆଶ୍ଚର୍ଯ୍ୟ କଲା ଭଳି ଘଟଣା; ସୁଡ଼ଙ୍ଗ କରି ଟ୍ରେନ ଇଞ୍ଜିନକୁ ଚୋରିକରି ନେଲେ ଚୋର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଡକାୟତମାନଙ୍କ ଏକ ଦଳ ବିହାର ପୋଲିସର ନିଦ ହଜେଇ ଦେଇଛି। ଏହି ଗ୍ୟାଙ୍ଗ ଏତେ ଚତୁର ଯେ, ସେମାନେ ରେଳ ପ୍ରଶାସନର ନାକ ତଳେ ଏକ ପୁରୁଣା ଟ୍ରେନ୍ ଇଞ୍ଜିନ ଚୋରି କରିନେଇଛନ୍ତି। ଏ ବାବଦରେ ରେଳ ଅଧିକାରୀ କୌଣସି ସୂଚନା ପାଇ ନଥିଲେ।

ବିହାରର ବେଗୁସରାଇରେ ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ସୁଡ଼ଙ୍ଗ କରି ପୂରା ଟ୍ରେନ୍ ଇଞ୍ଜିନକୁ ଉଠାଇ ନେଇଛନ୍ତି । ଗତ ସପ୍ତାହରେ ଏହି ଘଟଣା ଘଟିଥିଲା । ଗରହାର ରେଲଓ୍ବେ ୟାର୍ଡରୁ ଚୋରଙ୍କ ଗ୍ୟାଙ୍ଗ ଇଞ୍ଜିନକୁ ଚୋରି କରିନେଇଛନ୍ତି । ଏନେଇ ଅଭିଯୋଗ ପରେ ପୋଲିସ ଖୋଜାଖୋଜି ଆରମ୍ଭ କରିଥିଲେ । ପରେ ମିଜାଫରପୁରର ଏକ କବାଡ଼ିଆ ଦୋକାନରେ ଛାନବିନ୍ କରି ଟ୍ରେନ୍ ଇଞ୍ଜିନର କିଛି ଅଂଶ ଜବତ୍ କରିଛି ପୋଲିସ । ଏହି ଘଟଣାରେ ୩ଜଣକୁ ପୋଲିସ ହେପାଜତ ରଖି ପଚରାଉଚରା କରୁଛି ।

ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ଏହି ଗ୍ୟାଙ୍ଗ ଏତେ ଚତୁର ଯେ ଏହା ସୁଡ଼ଙ୍ଗ ତିଆରି କରି ରେଲଓ୍ବେ ୟାର୍ଡରେ ଥିବା ଏକ ଅଚଳ ଇଞ୍ଜିନର ପାର୍ଟ ଚୋରି କରୁଥିଲା। ଚୋରମାନେ ଟନେଲ ଦେଇ ଆସୁଥିଲେ ଓ ରେଳ ପାର୍ଟକୁ ଅଖାରେ ଭର୍ତ୍ତି କରି ନେଇଯାଉଥିଲେ। ଏ ବାବଦରେ ରେଳ ଅଧିକାରୀ ଓ ସୁରକ୍ଷା ବାହିନୀ ମଧ୍ୟ ସଚେତନ ନଥିଲେ। କେବଳ ଏତିକି ନୁହେଁ ପୂର୍ଣ୍ଣିୟା ଜିଲ୍ଲାରେ ଚୋରମାନେ କେବଳ ଏକ ଭିଣ୍ଟେଜ୍ ମିଟର ଗେଜ୍ ଷ୍ଟିମ୍ ଇଞ୍ଜିନ୍ ବିକ୍ରି କରିଥିଲେ। ଯାହା ସର୍ବସାଧାରଣ ପ୍ରଦର୍ଶନ ପାଇଁ ରେଳ ଷ୍ଟେସନରେ ପୋଷ୍ଟ କରାଯାଇଥିଲା। ଏହି ଘଟଣାରେ ରେଳ ଇଞ୍ଜିନିୟରଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରରେ ରହିଛି। କାରଣ ଏହି ପୁରା ର୍ୟାକେଟ୍ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଏକଜିକ୍ୟୁଟ୍ କରାଯାଇଥିଲା।

ଏହି ଗ୍ୟାଙ୍ଗ ବିହାରର ଅନେକ ଅଞ୍ଚଳରେ ସକ୍ରିୟ ଅଛି। ଫୋର୍ବସଗଞ୍ଜକୁ ଆରାରିଆ ସହିତ ସଂଯୋଗ କରୁଥିବା ବ୍ରିଜର କିଛି ଗୁରୁତ୍ୱପୂର୍ଣ୍ଣ ଅଂଶ ଓ ଲୁହା ଆଙ୍ଗଲ୍ ପର୍ଯ୍ୟନ୍ତ ଏହି ଗ୍ୟାଙ୍ଗ ଚୋରି କରିଥିଲେ। ସେତୁର ଏକ ପ୍ରମୁଖ ଅଂଶ ନ ମିଳିବା ପରେ ବିଭାଗକୁ ଏବାବଡଦରେ ଜଣା ପଡିଥିଲା। ଯାହା ପରେ ବର୍ତ୍ତମାନ ସେତୁ ସୁରକ୍ଷା ପାଇଁ ଜଣେ କନଷ୍ଟେବଳ ନିୟୋଜିତ ହୋଇଛନ୍ତି। ଏହି ମାମଲାରେ ପୋଲିସ ଅଜ୍ଞାତ ଲୋକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଚଳିତ ବର୍ଷ ଏପ୍ରିଲରେ ଏହି ଗ୍ୟାଙ୍ଗ ୫୦୦ ଟନ ଓଜନ ବିଶିଷ୍ଟ ୪୫ ବର୍ଷ ପୁରୁଣା ଇସ୍ପାତ ବ୍ରିଜ ଭାଙ୍ଗି ବିକ୍ରି କରିଥିଲା। ଏହି ମାମଲାରେ ଜଳ ସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ସମେତ ଆଠ ଜଣଙ୍କୁ ଗିରଫ କରାଯାଇଛି।

ଏଥିରେ କୌଣସି ସନ୍ଦେହ ନାହିଁ ଯେ ବିଭାଗ ଓ ଚୋର ଗ୍ୟାଙ୍ଗର ମିଲିଭଗତରେ ଏପରି ହେଉଛି। ଏଭଳି ପରିସ୍ଥିତିରେ ବିହାର ପୋଲିସ ଏହି ଗ୍ୟାଙ୍ଗକୁ ନିୟନ୍ତ୍ରଣ କରିବାରେ କେତେ ସଫଳ ହେବ ତାହା ଦେଖିବାକୁ ବାକି ରହିଛି।

Related Posts