ଆନନ୍ଦପୁରରେ ମାତିଛନ୍ତି ଚୋର: ଚୋରି ବେଳେ, ଜଣକୁ କାବୁ କଲେ ଗ୍ରାମବାସୀ

ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ଏବେ ଚୋରଙ୍କ ପାଇଁ ଭୂସ୍ଵର୍ଗ ପାଲଟିଛି। କିଛି କିଛି ଦିନ ହେଲା ଅନେକ ଙ୍କ ଘରୁ ଚୋରି ହେବା ନେଇ ଖବର ସାମ୍ନାକୁ ଆସୁଛି । ଗତ ୧ ତାରିଖ ରାତିରେ ଘଷିପୁରା ଥାନା ବାରିଗାଁରେ ଜଣଙ୍କ ଘରେ ପଶି ସ୍ବାମୀ ସ୍ତ୍ରୀ ଓ ୧୫ ବର୍ଷିୟା ଝିଅକୁ ଭୁଜାଲି ଓ ରୁହା ରଡରେ ଆକ୍ରମଣକରି ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଲୁଟ୍ ଘଟଣାର ଦିନକ ପରେ ଆଜି ସନ୍ଧ୍ୟାରେ ପୁଣି ଆଉ ଏକ ଲୁଟ୍ ଘଟଣା ଘଟିଛି।

ରାମଚନ୍ଦ୍ରପୁର ଥାନା ସିଆପଡା ଠାରେ ଏନ ଏଚ୍ ୨୦ ରାସ୍ତା କଡରେ ଥିବା ପ୍ରଶାନ୍ତ ସାହୁଙ୍କ ଘରେ କଳାକନା ବୁଲାଇଛନ୍ତି ଚୋର। ତେବେ ଏହି ଘଟଣାରେ ସ୍ଥାନୀୟ ଲୋକେ ଜଣେ ଚୋରଙ୍କୁ କାବୁ କରି ପୋଲିସ ଜିମାରେ ଦେଇଛନ୍ତି।

ସୂଚନା ଅନୁଯାୟୀ, ରାମଚନ୍ଦ୍ରପୁର ଥାନା ସିଆପଡା ଠାରେ ଏନ ଏଚ୍ ୨୦ ରାସ୍ତା କଡରେ ଥିବା ପ୍ରଶାନ୍ତ ସାହୁଙ୍କ ଘରେ କେହି ନଥିବା ବେଳେ ଚୋର କଳାକନା ବୁଲାଇଛନ୍ତି। ଘରର କବାଟକୁ ଶାବଳରେ ତାଡି ଘରେ ପଶିଥିଲେ ୩ ଲୁଟେରା ବେଡରୁମର ୨ଟି ଆଲମିରା ଭାଙ୍ଗି ୧ଲକ୍ଷ ୧୦ହଜାର ଟଙ୍କା ସହ ୧୦ ଭରିରୁ ଅଧିକ ସୂନା ଅଳଙ୍କାର , ଲାପଟପ ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି। ଘରେ ପଶି ଲୁଟେରା ମାନେ ଲୁଟ୍ ପାଟ୍ ଚଳାଇଥିବା ସମୟରେ ପ୍ରଶାନ୍ତ ଓ ତାଙ୍କ ପତ୍ନୀ ପହଁଞ୍ଚି ଯାଇ ପାଟି କରିବାରୁ ୨ ଲୁଟେରା ସାମଗ୍ରୀ ନେଇ ଫେରାର ହୋଇଯାଇଥିଲେ।

ଅନ୍ୟ ଜଣେ ଲୁଟେରା ପିନ୍ଧିଥିବା ନିଳ ରଙ୍ଗର ସାର୍ଟକୁ ବଦଳାଇ ବ୍ୟାଗରେ ଆଣିଥିବା ନାଲି ଟିସାର୍ଟ ପିନ୍ଧି ବାଇକ୍ ଗଡାଇ ପଳାଉଥିବା ସମୟରେ ସ୍ଥାନୀୟ ଲୋକଙ୍କ ହାବୁଡରେ ଧରା ପଡିଥିଲା। ପୋଲିସ୍ ଧରାପଡିଥିବା ଲୁଟେରାକୁ ନିଜ ହେପାଜତକୁ ନେଇ ପଚାରା ଉଚୁରା ଚଳାଇଛି। ତେବେ ଧରା ପଡିଥିବା ଲୁଟେରା ନିଜ ଘର ମୟୂରଭଞ୍ଜ ଅଞ୍ଚଳରେ ହୋଇଥିବା କହୁଛି।

Related Posts