ଆନନ୍ଦପୁରକୁ ରେଳ ସଂଯୋଗ ଦାବି; ଶୁଣିଲେନି ସରକାର, ବଡ଼ଦାଣ୍ଡରେ ଦଣ୍ଡ ପ୍ରଣାମ କରି ପ୍ରତିବାଦ ଜଣାଇଲେ ଅଞ୍ଚଳବାସୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡକୁ ରେଳପଥ ସଂଯୋଗ ଦାବିରେ ବୁଧବାର ପୁରୀ ବଡ଼ଦାଣ୍ଡରେ ଅଭିନବ ଉପାୟରେ ପ୍ରତିବାଦ ଜଣାଇଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ଏହି ଦାବି ଉପସ୍ଥାପନ ପାଇଁ ସ୍ଥାନୀୟ ଅଞ୍ଚଳର ମା’ ଧନେଇ ସେବା ସଂଘର କର୍ମକର୍ତ୍ତା ଓ ଆନନ୍ଦପୁର ଉପଖଣ୍ଡର ସଚେତନ ନାଗରିକଙ୍କ ନେତୃତ୍ବରେ ଶତାଧିକ ଲୋକ ଶୋଭାଯାତ୍ରା କରିବାସହ ଶ୍ରୀଗୁଣ୍ଡିଚା ମନ୍ଦିରଠାରୁ ଶ୍ରୀମନ୍ଦିର ସିଂହଦ୍ବାର ପର୍ଯ୍ୟନ୍ତ ଦଣ୍ଡ ପ୍ରଣାମ କରିଛନ୍ତି। ପରେ ସିଂହଦ୍ବାରରେ ପହଞ୍ଚି ମହାପ୍ରଭୁଙ୍କୁ ଗୁହାରି ଜଣାଇଛନ୍ତି।

ଏହି ପ୍ରତିବାଦରେ ସାମିଲ ହୋଇଥିବା ପ୍ରତିବାଦକାରୀ ମାନେ କହିଛନ୍ତି ଯେ, ରାଜ୍ୟ ରାଜସ୍ବର ସିଂହ ଭାଗ କେନ୍ଦୁଝର ଜିଲ୍ଲାରୁ ହିଁ ଭରଣା ହେଉଛି। ରାଜ୍ୟ ସରକାର କେନ୍ଦୁଝର ଜିଲ୍ଲା ରାଜସ୍ୱ ହିଁ ଚାଲୁଛି କହିଲେ ଚଳେ। ମାତ୍ର, ବହୁଦିନରୁ କେନ୍ଦୁଝରର ଏକ ମୁଖ୍ୟ ଉପଖଣ୍ଡକୁ ରେଳପଥ ସଂଯୋଗ ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ଏହି ଦାବି ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରିନି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ରେଳବିଭାଗକୁ ଆନନ୍ଦପୁରକୁ ରେଳପଥ ସଂଯୋଗ ପାଇଁ ନିର୍ଦ୍ଦେଶ ଥିଲା। ଏହାସତ୍ତ୍ବେ ମଧ୍ୟ ଏହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରିନି। ପୂର୍ବତଟ ରେଳପଥ ପକ୍ଷରୁ ଏହା ଉପରେ ଏକ ସର୍ଭେ କରାଯାଇଥିଲା। ଯାଜପୁରରୋଡ୍‌ଠାରୁ ଯଶିପୁର ପର୍ଯ୍ୟନ୍ତ ଆନନ୍ଦପୁର ଦେଇ ପ୍ରାୟ ୧୩୮ କିମି ରେଳପଥ ଏହି ସର୍ଭେ ଅନ୍ତର୍ଭୁକ୍ତ ଥିଲା। ଏହି ସର୍ଭେ ରିପୋର୍ଟ ୨୦୧୮ ମସିହାରୁ ରେଳ ବୋର୍ଡକୁ ପଠା ଯାଇଥିଲେ ମଧ୍ୟ ରେଳବୋର୍ଡ ପକ୍ଷରୁ ଏନେଇ କୌଣସି ଉତ୍ତର ଆସୁନି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବାରମ୍ବାର ଜଣାଇ ବିଫଳ ହେବା ପରେ ଆମେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଆନନ୍ଦପୁରକୁ ରେଳପଥ ସଂଯୋଗ ପାଇଁ ଦାବି ଜଣାଇଛୁ। ଏ ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସଦ୍‌ବୁଦ୍ଧି ଦେବାକୁ ଗୁହାରି କରିଛୁ ବୋଲି ପ୍ରତିବାଦକାରୀ କହିଛନ୍ତି।

ଏହି ଦଣ୍ଡପ୍ରଣାମ ଯାତ୍ରାରେ ମା ଧନେଇ ସେବା ସଂଘ ସଭାପତି ବିଷ୍ଣୁପ୍ରସାଦ ବାରିକ, ଯୁବ ସମାଜସେବୀ ଶ୍ରୀକାନ୍ତି ମିଶ୍ର, ଘସିପୁରା ମା ସୁନ୍ଦୁରାଇ କ୍ଲବ ସଭାପତି ତୋଫାନ କୁମାର ସାହୁ, ଅଳତି ଓଡ଼ିଶା ୟୁଥ୍‌ ଅର୍ଗାନାଇଜର୍ସ ସଭାପତି ଦୀପକ କୁମାର ବରାଳ, ଜ୍ଞାନରଂଜନ ସାହୁ, ମାନସ ରଂଜନ ସା, ଆଶୁତୋଷ ପଣ୍ଡା, ଯୁଦ୍ଧିଷ୍ଠିର ପଣ୍ଡା, ନାରାୟଣ ଦେହୁରି, ଚନ୍ଦ୍ରମଣି ଜେନା, ମହାଦେବ ସାହୁ, ରମାକାନ୍ତ ଯେନା, ବୀର ନାହାକ, ଲକ୍ଷ୍ମୀଧର ପାଢ଼ୀ, ପ୍ରହଲ୍ଲାଦ କେଶୀ, ବଳରାମ ସାହୁ, ଚିନ୍ତାମଣି ସାହୁ ପ୍ରମୁଖ ସାମିଲ ଥିଲେ।

Related Posts