ରାଜ୍ୟରେ ମୋଟ ୧୮ ଲକ୍ଷ ୭୯ ହଜାର ୨୨୬ ମାମଲା ବିଚାରଧୀନ ରହିଛି : ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟର ନିମ୍ନକୋର୍ଟଠାରୁ ଆରମ୍ଭ କରି ହାଇକୋର୍ଟ ପର୍ଯ୍ୟନ୍ତ ମୋଟ ୧୮ ଲକ୍ଷ ୭୯ ହଜାର ୨୨୬ ମାମଲା ବିଚାରଧୀନ ଅଛି । ସେ ମଧ୍ୟରୁ ୧ ଲକ୍ଷ ୨୮ ହଜାର ୧୯ଟି ମାମଲା ୧୫ ବର୍ଷରୁ ଅଧିକ ପୁରୁଣା ବୋଲି ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା। ଆଇନ୍ ମନ୍ତ୍ରୀ ଆହୁରି କହିଛନ୍ତି, ଉଚ୍ଚ ନ୍ୟାୟାଳୟଙ୍କ ଅନୁମୋଦନ ପାଇବା ପରେ ରାଜ୍ୟ ସରକାର ଜନସାଧାରଣଙ୍କୁ ମାମଲା ଗୁଡିକର ତୁରନ୍ତ ଫଇସଲା କରିବା ପାଇଁ ବ୍ଲକ ସ୍ତରରେ ପର୍ଯ୍ୟାୟକ୍ରମେ ଗୋଟିଏ ଗୋଟିଏ ସିଭିଲ୍ ଜଜ୍ ଓ ଜେଏଫଏଫସି କୋର୍ଟ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି । ମାମଲା ଗୁଡିକର ତୁରନ୍ତ ଫଇସଲା କରିବା ପାଇଁ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ମଧ୍ୟ ବିହିତ ପଦକ୍ଷେପମାନ ଗ୍ରହଣ କରାଯାଉଛି ବୋଲି ଆଇନ୍ ମନ୍ତ୍ରୀ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ।

ସୂଚନା ଅନୁସାରେ ଏନେଇ ଆଜି ବିଧାନସଭାରେ ପ୍ରଶ୍ନ କରିଥିଲେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ।ସେ କହିଥିଲେ ଯେ, ନିମ୍ନକୋର୍ଟଠାରୁ ଆରମ୍ଭ କରି ହାଇକୋର୍ଟ ପର୍ଯ୍ୟନ୍ତ ରାଜ୍ୟରେ କେତେ ମାମଲା ବିଚରାଧୀନ ଅଛି? ତା ସହିତ ୧୫ ବର୍ଷରୁ ଅଧିକ ପୁରୁଣା ମାମଲାର ସଂଖ୍ୟା କେତେ? ପଡି ରହିଥିବା ମାମଲାର ତ୍ୱରିତ ବିଚାର କରିବା ପାଇଁ ଅଧିକ କୋର୍ଟ କିମ୍ବା ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇଁ ସରକାର ଚିନ୍ତା କରୁଛନ୍ତି କି ? ଏହାର ଉତ୍ତର ରଖି ମନ୍ତ୍ରୀ ଗୃହରେ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି।

Related Posts