
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟ ରାଜନୀତିକୁ ନେଇ ବଡ ବୟାନ ଦେଇ ଚର୍ଚ୍ଚାରେ ଅଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ତେବେ ରାଜନୀତି ପାର୍ଟ ଟାଇମ୍ ଜବ୍ ନୁହେଁ। ଏହାକୁ ବୃତ୍ତି କରିବାକୁ ପଡ଼ିବ ବୋଲି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି। ‘ଅମିତ ଶାହ ଓ ବିଜେପି ଯାତ୍ରା’ ପୁସ୍ତକର ଓଡ଼ିଆ ସଂସ୍କରଣ ଉନ୍ମୋଚନ ଉତ୍ସବରେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଏପରି କହିଛନ୍ତି। ଏହା ସହ ଶ୍ରୀ ପଟ୍ଟନାୟକ କହିଛନ୍ତି, ରାଜନୀତି ଏକ ପାର୍ଟ ଟାଇମ୍ ଜବ୍ ନୁହେଁ। ରାଜନୀତିକୁ ବୃତ୍ତି କରି ୨୪ ଘଣ୍ଟା କାମ କରିବାକୁ ପଡ଼ିବ। ତାହା ନକଲେ ଆଧୁନିକ ପ୍ରତିଯୋଗିତାମୂଳକ ବ୍ୟବସ୍ଥାରେ ସଫଳତା କମ୍ ମିଳିବ। ଅମିତ ଶାହଙ୍କ ରାଜନୀତି ପ୍ରତି ଯେଉଁ ଆଭିମୁଖ୍ୟ ଥିଲା ସେହି କଥାକୁ ସେ ଯଦି ୧୦ ବର୍ଷ ତଳେ କହି ଥାଆନ୍ତେ, ତାହାହେଲେ ତାଙ୍କୁ ଲୋକ ଥଟାରେ ଉଡାଇ ଦେଇଥାଆନ୍ତେ।
ତେବେ ୨୦୧୪ ମସିହା ଉତ୍ତରପ୍ରଦେଶ ନିର୍ବାଚନରେ ତାଙ୍କୁ ଅଦ୍ଭୁତ ସଫଳତା ମିଳିଥିଲା। ରାଜନୈତିକ ଦୃଶ୍ୟପଟରେ ଯେଉଁ କେତେ ଜଣ ଲୋକ ଅଛନ୍ତି ସେମାନଙ୍କ ଭିତରେ ଅମିତ ଶାହ ଜଣେ ଅଦ୍ଭୁତ ସଫଳ କାହାଣୀର ନାୟକ ଅଟନ୍ତି। ଏହି ପୁସ୍ତକଟିକୁ ଭୋଟ୍ କାଙ୍ଗାଳ ନେତାମାନେ ପଢ଼ିବା ଉଚିତ। ବହୁ ନେତା ଅଛନ୍ତି, ସେମାନଙ୍କୁ ଭୋଟ୍ ମିଳୁନାହିଁ। ବହୁ ନେତା ଅଛନ୍ତି ସଫଳତା ହାସଲ କରିପାରୁନାହାନ୍ତି। ସେମାନେ ଏହି ପୁସ୍ତକ ପଢ଼ିଲେ ସଫଳତା ମିଳିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।