ରାଜସ୍ଥାନରେ ଲମ୍ପି ଚର୍ମରୋଗକୁ ନେଇ ନିଆରା ପ୍ରତିବାଦ, ବିଧାନସଭାକୁ ଗାଈ ଧରି ଆସିଲେ ଭାଜପା ବିଧାୟକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜସ୍ଥାନରେ ଲମ୍ପି ଚର୍ମରୋଗ ଏବେ ପର୍ଯ୍ୟନ୍ତ ୫୭,୦୦୦ ଗୋରୁଙ୍କ ଜୀବନ ନେଲାଣି। ଏହି ରୋଗରେ ୧୧ ଲକ୍ଷ ଗୋରୁ ଆକ୍ରାନ୍ତ ମଧ୍ୟ ହେଲେଣି। ଗୋରୁଙ୍କ ଲମ୍ପି ଜନିତ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଥିବାରୁ ସ୍ଥାନୀୟ କୃଷକଙ୍କୁ କ୍ଷତି ସହିବାକୁ ପଡ଼ୁଛି। ରାଜ୍ୟ ସରକାର ଏହାର ନିରାକରଣ ପାଇଁ କୌଣସି ପଦକ୍ଷେପ ନେଉ ନ ଥିବା ଦର୍ଶାଇ ଜୟପୁରରେ ଭାଜପା କର୍ମୀମାନେ ମଙ୍ଗଳବାର ବଡ଼ ବିକ୍ଷୋଭ କରିଛନ୍ତି। ଭାଜପା ପକ୍ଷରୁ ବିଧାନସଭା ଘେରାଓ ବେଳେ ପୋଲିସ ବ୍ୟାରିକେଡିଂ କରି ସେମାନଙ୍କୁ ଅଟକାଇଥିଲା। ଏପରି କି ରାଜ୍ୟ ଭାଜପା ସଭାପତି ସତୀଶ ପୁନିଆ ଓ ବରିଷ୍ଠ ନେତା ଅରୁଣ ଚତୁର୍ବେଦୀଙ୍କୁ ମାଡ଼ ମଧ୍ୟ ମାରିଥିବା ଅଭିଯୋଗ ହୋଇଥିଲା। ଏଥିରେ ଉଭୟେ ଆହତ ହୋଇଥିବା ଭାଜପା ଅଭିଯୋଗ ଆଣିଛି। ଅନେକ ନେତା ଓ କର୍ମୀଙ୍କୁ ପୋଲିସ ଗିରଫ କରିଛି।
ଭାଜପା ଅଫିସରୁ ଦଳୀୟ କର୍ମୀମାନେ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ବିଧାନସଭା ଘେରାଓ କରିବାକୁ ଯାଉଥିବାବେଳେ ପୋଲିସ ସେମାନଙ୍କୁ ବୈସ ଗୋଡାଉନ୍‌ ସର୍କଲରେ ଅଟକାଇଥିଲା। କିନ୍ତୁ ଭାଜପା ନେତା ଓ କର୍ମୀ ପୋଲିସ କଥା ନ ଶୁଣି ବ୍ୟାରିକେଡ୍‌ ଭାଙ୍ଗି ଗୃହକୁ ପ୍ରବେଶ କରିଥିଲେ।

ଅନ୍ୟପଟେ ଭାଜପା ବିଧାୟକ ସୁରେଶ ସିଂ ରାଓ୍ବତ୍‌ ଓ ଅନ୍ୟ କେତେଜଣ ବିଧାୟକ କିଛି ନିଆରା ଢଙ୍ଗରେ ଏହି ଘଟଣାର ପ୍ରତିବାଦ କରିଥିଲେ। ଏହି ବିଧାୟକ ମାନେ ବିଧାନସଭାକୁ ଗାଈ ଆଣି ପ୍ରତିବାଦ କରିଥିଲେ। ହେଲେ କିଛି ସମୟ ପରେ ଗାଈ ଟି ବିଧାନସଭା ପରିସରରୁ ଦୌଡ଼ି ପଳାଇଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ଏହି ପ୍ରତିବାଦ ନେଇ ଭାଜପା ସଭାପତି ପୁନିଆ କହିଛନ୍ତି, ଲମ୍ପି ଚର୍ମରୋଗ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନେତୃତ୍ୱାଧୀନ ସରକାର ଧରା ପଡ଼ିଯାଇଛନ୍ତି। କେନ୍ଦ୍ର ସରକାର ଏହି ରୋଗକୁ ମହାମାରୀ ରୂପେ ଘୋଷଣା କରନ୍ତୁ ବୋଲି ଦାବି କରି ମୁଖମନ୍ତ୍ରୀ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ଗୁଜରାଟ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଓ ହରିୟାଣା ସରକାର ଏହି ଲମ୍ପି ନିରାକରଣ ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନେଇଛନ୍ତି। ଗେହଲଟ ସରକାର ପ୍ରତି ପ୍ରଭାବିତ ଗାଈ ମାଲିକଙ୍କୁ ୫୦ ହଜାର ଟଙ୍କା ଲେଖାଏ କ୍ଷତିପୂରଣ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ଅନ୍ୟପକ୍ଷେ ରାଜସ୍ଥାନ ବିଧାନସଭାରେ ବିତର୍କ ବେଳେ ପ୍ରାଣୀଧନ ମନ୍ତ୍ରୀ ଲାଲଚନ୍ଦ କଟାରିଆ ବିବୃତି ରଖି କହିଛନ୍ତି, ଗୋରୁଙ୍କୁ ଲମ୍ପିରୁ ରକ୍ଷା କରିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ପ୍ରାଣୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ କରାଯାଉଛି। ରୋଗ ନିରାକରଣ ପାଇଁ ପର୍ଯ୍ୟାପ୍ତ ଔଷଧ ଯୋଗାଇ ଦିଆଯାଉଛି। ଗୋରୁଙ୍କୁ ରକ୍ଷା କରିବାରେ କୌଣସି ହେଳା କରାଯାଇ ନାହିଁ। ଷ୍ଟାଫ୍‌ ସଙ୍କଟ ଯେପରି ନ ହେବ ସେଥିଲାଗି ୨୦୦ ଭେଟେରିନାରି ଡାକ୍ତରଙ୍କ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆଯାଇଛି।

Related Posts