ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଉପରକୁ ଚପଲ ଫିଙ୍ଗିଲେ ଜଣେ ମହିଳା

କୋଲାକତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୂର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ବହିଷ୍କୃତ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଓ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରିଛି ଇଡି । ଉଭୟ ନିଜକୁ ନିର୍ଦ୍ଦୋଷ ବୋଲି କହୁଥିବା ବେଳେ, ତାଙ୍କ ଘରୁ ଜବତ ଟଙ୍କା ଏବେ ତାଙ୍କ ପାଇଁ ଅଡ଼ୁଆ ବଢାଇ ଦେଇଛି । ଉଭୟଙକୁ ନେଇ ଜନଆକ୍ରୋଶ ଦେଖିବାକୁ ମିଳିଛି ।

ଆଜି ତାଙ୍କ ଉପରକୁ ଜଣେ ମହିଳା ଚପଲ ମାଡ଼ କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ପାର୍ଥଙ୍କୁ କୋଲକାତାରେ ଥିବା ହସ୍ପିଟାଲକୁ ଇଡିର ଅଧିକାରୀମାନେ ଆଜି ନେଉଥିବା ବେଳେ ପ୍ରବଳ ଭିଡ଼ ହୋଇଥିଲା। ଏହି ସମୟରେ ଜଣେ ମହିଳା ପାର୍ଥଙ୍କ ଉପରକୁ ଚପଲ ଫିଙ୍ଗିଛନ୍ତି।

ଚପଲ ଫିଙ୍ଗିଥିବା ମହିଳା ଜଣଙ୍କ ହେଲେ ସୁଭଦ୍ରା ଓ ତାଙ୍କ ଘର ଦକ୍ଷିଣ ୨୪ ପ୍ରଗଣାର ଅମତାଲାରେ ବୋଲି ସେ ନିଜେ ସମସ୍ତଙ୍କୁ କହିଛନ୍ତି। କାହିଁକି ଚପଲ ମାଡ଼ କଲେ ବୋଲି ସୁଭଦ୍ରାଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ। ଏହାର ଜବାବରେ ସେ କହିଛନ୍ତି, “ଆପଣମାନେ କ’ଣ ଜାଣି ନାହାନ୍ତି? ସେ ଅନେକ ଗରିବ ଲୋକଙ୍କ କଷ୍ଟ ଉପାର୍ଜିତ ଟଙ୍କା ଗିଳି ଦେଇଛନ୍ତି। ଲୋକଙ୍କ ଟଙ୍କାରେ ମଉଜ କରି ଫ୍ଲାଟ କିଣିଛନ୍ତି। ହେଲେ ଆପଣମାନେ ମୋତେ ପଚାରୁଛନ୍ତି କାହିଁକ? ତାଙ୍କୁ ଏବେ ଏସି କାରରେ ନବା ଆଣିବା କରାଯାଉଛି। କିନ୍ତୁ ଏପରି ଲୋକଙ୍କୁ ବେକରେ ଦଉଡ଼ି ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେବା କଥା। ଯଦି ମୁଁ ଫୋପାଡ଼ିଥିବା ଚପଲ ତାଙ୍କ ମୁଣ୍ଡରେ ବାଜି ଥାଆନ୍ତା, ତା’ହେଲେ ମୁଁ ବେଶୀ ଖୁସି ହୋଇଥାଆନ୍ତି। ଅନେକ ଲୋକ ଖାଇବାକୁ ଖାଦ୍ୟ ପାଉନାହାନ୍ତି। ହେଲେ ପାର୍ଥ ଚାଟାର୍ଜୀ ଚାକିରି ଦେବା ନାଁରେ ଲୋକଙ୍କଠାରୁ ଟଙ୍କା ନେଇଛନ୍ତି। ଏହାପରେ ସେହି ଟଙ୍କାରେ ମଉଜ କରୁଥିଲେ। ସେ ଜଣେ ଲୁଟେରା। ଆମ ସମସ୍ତଙ୍କୁ ସେ ଲୁଟ କରିଛନ୍ତି।”

ସୁଭଦ୍ରା ଚପଲ ମାଡ଼ କରିବାରୁ ତୁରନ୍ତ ସୁରକ୍ଷା ଅଧିକାରୀମାନେ ପାର୍ଥଙ୍କୁ ଘେରି ଯାଇଥିଲେ। ଏହାପରେ ସେଠାରୁ ତାଙ୍କୁ ସୁରକ୍ଷିତ ଭାବେ ହସ୍ପିଟାଲ ଓ ପରେ ଇଡି ଅଫିସକୁ ଅଣାଯାଇଥିଲା ।

Related Posts