(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଟୋକିଓ ଅଲିମ୍ପିକ୍ସର ରେସଲିଂରେ ଭାରତ ଜବରଦସ୍ତ ପ୍ରଦର୍ଶନ କରିଛି। ଭାରତର ଦୁଇ ଯୁବ ରେସଲର୍ ରବି କୁମାର ଦାହିୟା ଓ ଦୀପକ ପୁନିଆ ସେମିଫାଇନାଲରେ ପହଞ୍ଚିଛନ୍ତି।
ବିଶ୍ବର ଦ୍ବିତୀୟ ଶ୍ରେଷ୍ଠ କୁସ୍ତି ଖେଳାଳି ଭାରତର ଦୀପକ ପୁନିଆ ପୁରୁଷ ୮୬ କିଲୋଗ୍ରାମ୍ ‘ଫ୍ରିଷ୍ଟାଇଲ୍ କୁସ୍ତି ପ୍ରତିଯୋଗିତା’ରେ ୬-୩ ପଏଣ୍ଟରେ ଚାଇନାର ଜୁଶେନ୍ ଲିନଙ୍କୁ ହରାଇ ଅନ୍ତିମ-୪ରେ ସ୍ଥାନ ପକ୍କା କରିଛନ୍ତି। ଦୀପକ ପ୍ରି-କ୍ୱାର୍ଟର୍ ଫାଇନାଲରେ ନାଇଜେରିଆର ଏକେରେକେମେ ଆଗିଓମୋରଙ୍କୁ ଏକତରଫା ଭାବେ ୧୨-୧ ପଏଣ୍ଟରେ ପରାସ୍ତ କରିଥିଲେ।
ଦୀପକ ସେମିଫାଇନାଲରେ ଆମେରିକାର ଡେଭିଡ୍ ମୋରିସଙ୍କୁ ଭେଟିବେ। ସେହିପରି ବିଶ୍ବର ୪ର୍ଥ ସ୍ଥାନରେ ଥିବା ଭାରତର ରବି କୁମାର ‘୧୬ ବାଉଟ୍ ରାଉଣ୍ଡ୍’ ପ୍ରତିଯୋଗିତାରେ ପ୍ରତିଦ୍ବନ୍ଦ୍ବୀ କଲମ୍ବିଆର ଅସ୍କାର୍ ଟାଇଗର୍ଗୋଜ୍ଙ୍କୁ ହରାଇଛନ୍ତି। ପ୍ରଥମ ରାଉଣ୍ଡ୍ରେ ଧିମା ପ୍ରଦର୍ଶନ ସତ୍ଵେ ରବି କୁମାର ୩-୨ରେ ଅଗ୍ରଣୀ ରହିଥିଲେ।
କିନ୍ତୁ, ଦ୍ବିତୀୟ ରାଉଣ୍ଡ୍ରେ ଭଲ ପ୍ରଦର୍ଶନ କରି ଟାଇଗରଗୋଜ୍ଙ୍କ ଉପରେ ଆଧିପତ୍ୟ ବିସ୍ତାର କରିବା ସହ ୮ ପଏଣ୍ଟ୍ ଲାଭ କରିଥିଲେ। ରବି କୁମାର ୫୭ କେଜି ଫ୍ରିଷ୍ଟାଇଲ୍ ଇଭେଣ୍ଟର କ୍ବାର୍ଟର-ଫାଇନାଲ୍ରେ ବୁଲ୍ଗେରିଆର ବାଲଗେଲ୍ଭୋ ଭାଲେଣ୍ଟିନୋଭ୍ଙ୍କୁ ୧୪-୪ରେ ପରାସ୍ତ କରି ସେମି-ଫାଇନାଲ୍କୁ ଉନ୍ନୀତ ହୋଇଥିଲେ।
ଅନ୍ୟପକ୍ଷରେ ମହିଳା ୫୭ କେଜି ଫ୍ରିଷ୍ଟାଇଲରେ ଭାରତର ଅଂଶୁ ବେଲାଋଷର ଇରିନା କୁରାଚକିନାଙ୍କ ନିକଟରୁ ୨-୮ ପଏଣ୍ଟରେ ହାରିଯାଇଛନ୍ତି। ଅଂଶୁଙ୍କ ପାଖରେ ରିପିଚେଜ୍ ରାଉଣ୍ଡରେ ଲଢ଼ିବାର ସୁଯୋଗ ରହିଛି। କିନ୍ତୁ ଏଥିପାଇଁ ବେଲାରୁଷର ଇରିନାଙ୍କୁ ଫାଇନାଲରେ ପହଞ୍ଚିବାକୁ ପଡ଼ିବ। ଇରିନା କ୍ୱାର୍ଟର୍ ଫାଇନାଲରେ ରୁଷିଆନ ଅଲିମ୍ପିକ୍ କମିଟିର ଭାଲେରିଆ କୋଭଲୋଭାଙ୍କୁ ୬-୩ରେ ହରାଇ ସେମିରେ ପହଞ୍ଚି ସାରିଛନ୍ତି।