ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆମ ଆଦମୀ ପାର୍ଟି ଏବଂ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା ମଧ୍ୟରେ ବିବାଦ ଚରମରେ ପହଞ୍ଚିଛି। ସ୍ଥିତି ଏପରି ହୋଇଛି ଯେ ଏବେ ଉପରାଜ୍ୟପାଳଙ୍କ ବିରୋଧରେ ସାରା ରାତି ବିଧାନସଭାରେ ଧାରଣା ଦେବେ ଆପ ବିଧାୟକ। ଆପ ବିଧାୟକମାନେ ଦିଲ୍ଲୀ ଉପରାଜ୍ୟପାଳଙ୍କ ଇସ୍ତଫା ଦାବି କରିଛନ୍ତି। ଏହାସହ ତାଙ୍କ ବିରୋଧରେ ତଦନ୍ତର ଦାବି କରିଛି। ଆପ ବିଧାୟକ ଦୁର୍ଗଶେ ପାଠକ ସୋମବାର ଉପରାଜ୍ୟପାଳ ଭିକେ ସକ୍ସେନାଙ୍କ ବିରୋଧରେ ଘୋଟାଲାର ଅଭିଯୋଗ ଆଣିଛନ୍ତି। ଖଦି ଗ୍ରାମ୍ୟ ଉଦ୍ୟୋଗର ଅଧ୍ୟକ୍ଷ ଥିବା ସମୟରେ ସକ୍ସେନା ୧୪ ଶହ କୋଟି ଟଙ୍କାର ଘୋଟାଲା କରିଥିବା ଅଭିଯୋଗ ଆଣିଛି ଆପ। ଆପ ବିଧାୟକ ସୌରଭ ଭାରଦ୍ୱାଜ କହିଛନ୍ତି, ଉପରାଜ୍ୟପାଳଙ୍କ ବିରୋଧରେ ତଦନ୍ତ ଦାବି କରି ଆଜି ସଂଧ୍ୟା ୭ଟାରୁ ଆପ୍ ଏମଏଲଏ ମାନେ ବିଧାନସଭା ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣ ଦେବେ। ଏହାସହ ସାରା ରାତି ବିଧାନସଭାରେ ବିତାଇବେ।
ଏହା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଧାନସଭାରେ ବିଜେପିକୁ ଟାର୍ଗେଟ କରିଥିଲେ। ଆମ ଆଦମୀ ପାର୍ଟି ବିଧାୟକ ସଚ୍ଚୋଟ ଏଥିପାଇଁ ଜଣେ ବି ବିଧାୟକ ବିକ୍ରି ହେଲେ ନାହିଁ ଏବଂ ବିଜେପିର ଅପରେଶନ ଲୋଟସ ଦିଲ୍ଲୀରେ ଫେଲ ହୋଇଛି ବୋଲି କହିଥିଲେ। ଅନ୍ୟପଟେ ଦିଲ୍ଲୀ ଉପରାଜ୍ୟପାଳ ଆମ ଆଦାମୀ ପାର୍ଟି ସରକାରଙ୍କ ଅନେକ ଫାଇଲକୁ ଫେରାଇ ଦେଇଥିଲେ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖସ୍ତ ନଥିବା କହି ପ୍ରସ୍ତାବ ଗୁଡିକୁ ଫେରାଇ ଦେଇଥିଲେ। ତେବେ ଅବକାରୀ ଦୁର୍ନୀତି ଠାରୁ ଆରମ୍ଭ କରି ଫାଇଲ ଫେରାଇବା ପର୍ଯ୍ୟନ୍ତ ଦିଲ୍ଲୀ ଉପରାଜ୍ୟପାଳ ଓ ଆପ ସରକାର ମଧ୍ୟରେ ବିବାଦ ଲାଗି ରହିଛି।
