ଗତ ୬ ମାସରେ ଉପରାଜ୍ୟପାଳ ମୋତେ ଯେତିକି ପ୍ରେମ ପତ୍ର ଲେଖିଛନ୍ତି, ମୋ ପତ୍ନୀ ସାରା ଜୀବନରେ ସେତିକି ଲେଖିନଥିବେ: କେଜ୍ରିୱାଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀର ଆମ ଆଦମୀ ପାର୍ଟିର ସରକାର ଏବଂ ଉପରାଜ୍ୟପାଳ ବିନୟ ସକସେନାଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ । ବିଭିନ୍ନ ପ୍ରସଙ୍ଗ ନେଇ ଉଭୟ ଉଭୟଙ୍କ ଉପରେ ଆରୋପ ପ୍ରତ୍ୟାରୋପ ଲଗାଇବା ଜାରି ରଖିଛନ୍ତି । ଗତକାଲି ଉପରାଜ୍ୟପାଳ ଦିଲ୍ଲୀ ସରକାରଙ୍କ ବିଜୁଳି ସବସିଡି ଯୋଜନାରେ ଦୁର୍ନୀତି ନେଇ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଆଜି ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ତାଙ୍କୁ କଟାକ୍ଷ କରି ଏକ ଟ୍ୱିଟ କରିଛନ୍ତି। ଉପରାଜ୍ୟପାଳ ତାଙ୍କୁ ଗାଳି କରୁଥିବା ସେ କହିଛନ୍ତି।

କେଜ୍ରିୱାଲ ଟ୍ୱିଟ କରି ଲେଖିଛନ୍ତି ଯେ, ଏଲଜି ସାହେବ ମୋତେ ପ୍ରତ୍ୟେକ ଦିନ ଗାଳି କରୁଛନ୍ତି । ସେ ଯେତିକି ଗାଳି କରୁଛନ୍ତି ମୋ ସ୍ତ୍ରୀ ମଧ୍ୟ ମୋତେ ସେହି ପରିମାଣର ଗାଳି କରୁନଥିବେ । ଗତ ୬ ମାସ ମଧ୍ୟରେ ଉପରାଜ୍ୟପାଳ ମୋତେ ଯେତିକି ପ୍ରେମ ପତ୍ର ଲେଖିଛନ୍ତି, ସାରା ଜୀବନରେ ମୋର ପତ୍ନୀ ମୋତେ ସେତିକି ପ୍ରେମ ପତ୍ର ଲେଖିନଥିବେ । ବର୍ତ୍ତମାନ ଏଲଜି ସାହେବଙ୍କୁ ଟିକେ ଶାନ୍ତିରେ ରହିବା ଦରକାର । ସେ ନିଜର ସୁପର ବସଙ୍କୁ ମଧ୍ୟ କୁହନ୍ତୁ ସେ ମଧ୍ୟ ଟିକେ ଶାନ୍ତିରେ ବସିବେ । ଅରବିନ୍ଦ ନାଁ ନନେଇ ଉପରାଜ୍ୟପାଳଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । ସେ ଲଗାତର ଅଭିଯୋଗ କରିଆସୁଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଇସାରାରେ ଉପରାଜ୍ୟପାଳ ବିନୟ ସକସେନା ଆପ ସରକାର ବିରୋଧରେ କାମ କରୁଛନ୍ତି ।

ତେବେ କେଜ୍ରିୱାଲଙ୍କ ଏହି ମନ୍ତବ୍ୟର ଜବାବରେ ବିଜେପି ପ୍ରତିକ୍ରିୟା ରଖିଛି । ବିଜେପି ସାଂସଦ ମୋନଜ ତିୱାରୀ କହିଛନ୍ତି ଏହା ପିଲାଳିଆମୀ । ଏଭଳି କରି ଆପଣ ଦର୍ଶାଉଛନ୍ତି ଆପଣଙ୍କର ମାନସିକସ୍ତର କଣ । ବିଗତ ୭ ବର୍ଷରେ ଦିଲ୍ଲୀ ସରକାରଙ୍କ ଗୋଟିଏ ହେଲେ ବିଭାଗ ଠିକରେ ଚାଲିଛି ନା କୌଣସି ଫାଇଲରେ ସେ ଦସ୍ତଖତ କରିଛନ୍ତି । ନିଜର ରୁଚି ଅନୁସାରେ ସେ କାମ କରିଚାଲିଛନ୍ତି ବୋଲି କହି ମନୋଜ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି ।

Related Posts