ବିହାର ଓ ୟୁପିର ଗଙ୍ଗା ନଦୀରେ ଭାସୁଛି ପ୍ରାୟ ୧୦୦ ଶବ : କରୋନା ସଂକ୍ରମଣ ଭୟରେ ଉତ୍ତେଜନା

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଗତ କିଛି ଦିନ ତଳେ ଉତ୍ତରପ୍ରଦେଶର ହମିରପୁରର ଯମୁନା ନଦୀରେ ଅନେକ ଅର୍ଦ୍ଧ ଦଗ୍ଧ ଶବ ଭାସୁଥିବାର ନଜର ଆସିଥିବା ବେଳେ ଏବେ ଗଙ୍ଗା ନଦୀରେ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ପାଖାପାଖି ୯୬ ଅଜ୍ଞାତ ମୃତଦେହ ଗତ କିଛି ଦିନ ହେବ ଗଙ୍ଗା ନଦୀରେ ଭାସୁଥିବା ଦେଖିବାକୁ ମିଳିଥିଲା। ଗଙ୍ଗା ନଦୀରେ ଭାସୁଥିବା ଏହି ଶବ ଗୁଡିକ କୋଭିଡ୍ ପୀଡିତାଙ୍କ ମୃତ ଦେହ ବୋଲି ଆଶଙ୍କା କରାଯାଉଛି। ବିହାରର ବକ୍ସର ଜିଲ୍ଲାରେ 71 ଟି ମୃତଦେହ ଠାବ କରାଯାଇଥିବା ବେଳେ ଉତ୍ତରପ୍ରଦେଶର ଗାଜିପୁର ଜିଲ୍ଲାରୁ ଅତି କମରେ 25 ଟି ମୃତଦେହ ମିଳିଛି। ଉଭୟ ଜିଲ୍ଲାର ଅଧିକାରୀମାନେ ଏପର୍ଯ୍ୟନ୍ତ କୋଭିଡ ପୀଡିତଙ୍କ ମୃତଦେହକୁ ନିଶ୍ଚିତ କରିନାହାଁନ୍ତି। ଟେଷ୍ଟ ପାଇଁ ନମୁନା ପଠାଯାଇଥିବା ବେଳେ ବକ୍ସର ପୁଲିସ କହିଛି ଯେ ,ଉତ୍ତରପ୍ରଦେଶର ଗାଜିପୁରରୁ ଏହି ମୃତଦେହ ଗୁଡିକ ଭାସିଆସୁଥିବାର ସନ୍ଦେହ କରାଯାଉଛି। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱାତ ମଙ୍ଗଳବାର ଦିନ ଉଭୟ ରାଜ୍ୟ ଦ୍ବାରା ତଦନ୍ତ ପାଇଁ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଧ୍ୟାନ ଦେଇଛନ୍ତି। ମନ୍ତ୍ରୀ ଟୁଇଟ କରି କହିଛନ୍ତି ଯେ “ବିହାରର ବକ୍ସର ଗଙ୍ଗାରେ ଶବ ଭାସିଵା ଦୁର୍ଭାଗ୍ୟଜନକ। ଏହା ନିଶ୍ଚିତ ଭାବେ ଅନୁସନ୍ଧାନର ବିଷୟ। ଗଙ୍ଗା ମା’ର ଧର୍ମ ଏବଂ ନିରନ୍ତରତା ବଜାୟ ରଖିବା ପାଇଁ ମୋଦୀ ସରକାର ପ୍ରତିବଦ୍ଧ। ସେ କହିଛନ୍ତି ଯେ ବିହାର ଏବଂ ୟୁପି ସଂପୃକ୍ତ ରାଜ୍ୟଗୁଡିକ ତୁରନ୍ତ ଏହି ବିଷୟରେ ଅବଗତ ହେବା ଆବଶ୍ୟକ।” ବକ୍ସର ଏସପି ନୀରଜ କୁମାର କହିଛନ୍ତି “ଆମେ ଏପର୍ଯ୍ୟନ୍ତ ଗଙ୍ଗା ନଦୀରୁ 71 ଟି ମୃତଦେହ ବାହାର କରିଛୁ। ଆମେ ସମସ୍ତ ମୃତଦେହର ପୋଷ୍ଟମର୍ଟମ କରିଥିଲୁ ଏବଂ ଡିଏନ୍ଏ ଏବଂ କୋଭିଡ୍ ନମୁନା ମଧ୍ୟ ନେଇଛୁ। ” ସରକାରୀ କୋଭିଡ ପ୍ରୋଟୋକଲ ଅନୁଯାୟୀ ମୃତଦେହକୁ ସତ୍କାର କରାଯାଇଛି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ମୃତଦେହ ସ୍ଥାନୀୟ ବାସିନ୍ଦାଙ୍କ ପରିଜନଙ୍କର କି ନାହିଁ ଜାଣିବା ପାଇଁ ପୋଲିସ ଉକ୍ତ ଅଞ୍ଚଳରେ ଯାଞ୍ଚ କରୁଛି। “କିଛି ଶବ ୟୁପିରୁ ଭାସି ଆସି ଥାଇପାରନ୍ତି । ତେଣୁ ଏହା ବିହାର ଏବଂ ୟୁପି ପୋଲିସ ପାଇଁ ଅନୁସନ୍ଧାନର ବିଷୟ ବୋଲି ସେ କହିଛନ୍ତି। ଉତ୍ତରପ୍ରଦେଶର ଏଡିଜି (ଆଇନ ଶୃଙ୍ଖଳା) ପ୍ରଶାନ୍ତ କୁମାର କହିଛନ୍ତି, “ବିହାରରେ ମୃତଦେହ ମିଳିଛି ଏବଂ ଏହାର ଅନୁସନ୍ଧାନ କରିବା ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବିହାର ସରକାରଙ୍କ ଦାୟିତ୍ବ ଅଟେ। ଏଥିପାଇଁ ୟୁପିକୁ ଦାୟୀ କରିବା ଠିକ୍ ନୁହେଁ। ” ବକ୍ସରରେ ଏପର୍ଯ୍ୟନ୍ତ 1,172 ଆକ୍ଟିଭ କୋଭିଡ୍ କେସ୍ ରହିଥିବା ବେଳେ ସୋମବାର ପର୍ଯ୍ୟନ୍ତ ଜିଲ୍ଲାରେ 26 ଟି କୋଭିଡ ମୃତ୍ୟୁ ଘଟିଛି। ଗାଜିପୁରରେ କର୍ତ୍ତୃପକ୍ଷ କହିଛନ୍ତି ଯେ ଗତ ଦୁଇ ଦିନ ମଧ୍ୟରେ ଗଙ୍ଗାରେ ଅତି କମରେ 25 ଅଜ୍ଞାତ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ବାରାଣାସୀ (ରେଞ୍ଜ) ଆଇଜି ସୁଭେନ୍ଦ୍ର କେ ଭାଗବତ ମଙ୍ଗଳବାର କହିଛନ୍ତି ଯେ ସେ ପ୍ରକୃତ ସଂଖ୍ୟା ଦେଇପାରିବେ ନାହିଁ କିନ୍ତୁ ଅତି କମରେ 25 ଟି ମୃତଦେହ ଉଦ୍ଧାର କରାଯାଇଛି। ଉତ୍ତରପ୍ରଦେଶରେ ଗଙ୍ଗା କାନପୁର, ହମିରପୁର, ପ୍ରୟାଗରାଜ, ଚାନ୍ଦଲି, ବାରାଣାସୀ, ଗାଜିପୁର ଦେଇ ପ୍ରବାହିତ ହୁଏ ଏବଂ ପରେ ବିହାରର ବକ୍ସାର ଜିଲ୍ଲାରେ ପ୍ରବେଶ କରେ । ସରକାରୀ ତଥ୍ୟ ଅନୁଯାୟୀ, ଗତ 15 ଦିନ ମଧ୍ୟରେ ଗାଜିପୁର ଜିଲ୍ଲାରେ କୋଭିଡ ଯୋଗୁଁ 59 ଜଣଙ୍କର ମୃତ୍ୟୁ ଘଟିଛି।

Related Posts