ଭାରତରେ କରୋନା ଯୋଗୁଁ ପ୍ରାୟ ୫୦ ଲକ୍ଷ ମୃତ୍ୟୁ ଘଟିଛି : ୟୁଏସଏ ରିପୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତ କରୋନାର ଦ୍ବିତୀୟ ଲହରର କରାଳ ପ୍ରକୋପ ଦେଖିଛି ବର୍ତ୍ତମାନ ସମ୍ଭାବ୍ୟ ତୃତୀୟ ଲହର ନେଇ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି। ଏପଟେ କରୋନା ମୃତକଙ୍କ ସଂଖ୍ୟାକୁ ନେଇ ବିବାଦ ଦେଖାଦେଇଛି। ସଂସଦରେ ଏ ନେଇ ଜୋରଦାର ଚର୍ଚ୍ଚା ହେଉଛି। ମଙ୍ଗଳବାର କୋଭିଡ୍ ମୃତକଙ୍କ ସଠିକ୍ ସଂଖ୍ୟା ସାର୍ବଜନୀନ କରିବା ପାଇଁ କଂଗ୍ରେସ ନେତା ମଲିକାର୍ଜୁନ୍ ଖଡଗେ ଏବଂ ଶିବସେନା ସାଂସଦ ସଞ୍ଜୟ ରାଉତ ମଧ୍ୟ ଏ ନେଇ ସରକାରଙ୍କୁ ପ୍ରଶ୍ନ କରିଥିଲେ। 

   ସରକାରୀ ଆକଳନ ଅନୁଯାୟୀ ଭାରତରେ ଚାରି ଲକ୍ଷରୁ ଅଧିକ ମୃତ୍ୟୁ ଘଟିଥିବା ବେଳେ ୟୁଏସ୍ଏ ପକ୍ଷରୁ ଜାରି ଏକ ରିପୋର୍ଟ 10 ଗୁଣ ଅଧିକ ମୃତ୍ୟୁ ହୋଇଥିବା ଦାବି କରାଯାଇଛି । ଆମେରିକାର ଏହି ଅନୁସନ୍ଧାନ ରିପୋର୍ଟରେ କୁହାଯାଇଛି ଯେ ଭାରତରେ କରୋନା ମହାମାରୀ ଯୋଗୁଁ 34 ରୁ 47 ଲକ୍ଷ ମୃତ୍ୟୁ ଘଟିଛି।  ଯାହା କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ସଂଖ୍ୟା ତୁଳନାରେ 10 ଗୁଣ ଅଧିକ।

 ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଭାରତରେ କରୋନା ଯୋଗୁଁ ଏପର୍ଯ୍ୟନ୍ତ 4,14,482 ଜଣଙ୍କର ମୃତ୍ୟୁ ଘଟିଛି, ଯାହା ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି। ଆମେରିକାରେ 609000 ମୃତ୍ୟୁ ସହ ପ୍ରଥମ ଏବଂ ବ୍ରାଜିଲରେ 542000 ମୃତ୍ୟୁ ସହ ଦ୍ଵିତୀୟ ସ୍ଥାନରେ ଅଛନ୍ତି। ଆମେରିକୀୟ ଷ୍ଟଡି ଗ୍ରୁପ୍ ସେଣ୍ଟର ଅଫ୍ ଗ୍ଲୋବାଲ୍ ଡେଭଲପମେଣ୍ଟର ରିପୋର୍ଟରେ ଏହି ଦାବି କରାଯାଇଛି ।

 ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ମୃତ୍ୟୁ ସଂଖ୍ୟା ପ୍ରକୃତରେ ଅଧିକ ହୋଇପାରେ। ଯଦି ଏହି ସଂଖ୍ୟାକୁ ଦେଖାଯାଏ, ତେବେ ଭାରତ ସ୍ୱାଧୀନତା ଏବଂ ବିଭାଜନ ପରଠାରୁ ଏହା ସବୁଠାରୁ ବଡ ଦୁଃଖଦ ଘଟଣା। ଏହି ଅଧ୍ୟୟନରେ, କରୋନା କାଳରେ ହୋଇଥିବା ମୃତ୍ୟୁ ଏବଂ ଏହାର ପୂର୍ବ ବର୍ଷଗୁଡ଼ିକରେ ହୋଇଥିବା ତଥ୍ୟକୁ ବିଶ୍ଳେଷଣ କରାଯାଇଛି।  ଏହାକୁ ଭିତ୍ତି କରି 2020 ରୁ 2021 ମଧ୍ୟରେ ମୃତ୍ୟୁସଂଖ୍ୟା ବାହାର କରାଯାଇଛି । ବର୍ତ୍ତମାନ ଏହି ରିପୋର୍ଟ ସରକାରଙ୍କ ଦ୍ବାରା ଜାରି ତଥ୍ୟ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। ସେଣ୍ଟର ଫର ଗ୍ଲୋବାଲ ଡେଭଲପମେଣ୍ଟ ଷ୍ଟଡି ଦ୍ବାରା ମଙ୍ଗଳବାର ଦିନ ପ୍ରକାଶିତ ଏହି ରିପୋର୍ଟରେ ସରକାରୀ ତଥ୍ୟ, ଆନ୍ତର୍ଜାତୀୟ ଆକଳନ, ସେରୋଲୋଜିକାଲ ରିପୋର୍ଟ ଏବଂ ଘରୋଇ ସର୍ଭେ ଆଧାରରେ ପ୍ରକାଶ କରାଯାଇଛି ।  ଏହି ରିପୋର୍ଟର ବିଶେଷ କଥା ହେଉଛି ଏହି ରିପୋର୍ଟର ଲେଖକମାନଙ୍କ ମଧ୍ୟରେ ମୋଦୀ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟମ ମଧ୍ୟ ସାମିଲ ଅଛନ୍ତି।  ଅନୁସନ୍ଧାନକାରୀମାନେ ଦାବି କରିଛନ୍ତି ଯେ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରକୃତ ସଂଖ୍ୟା ପାଖାପାଖି ପଚାଶ ଲକ୍ଷ।

Related Posts