ଉତ୍ତରାଖଣ୍ଡ ରୁଦ୍ରପୁରରେ ଅଘଟଣ: କବାଡିଖାନାରେ ବିଷାକ୍ତ ଗ୍ୟାସ ଲିକ୍ ହୋଇ ୩୨ ଜଣ ବେହୋସ୍

ଡେରାଡୁନ: ଉତ୍ତରାଖଣ୍ଡ ରୁଦ୍ରପୁରରେ ଘଟିଛି ଏକ ବଡ ଅଘଟଣ । ଏଠାରେ ଏକ କବାଡିଖାନାରେ ବିଷାକ୍ତ ଗ୍ୟାସ ଲିକ୍ ହୋଇଛି। ଫଳରେ ଏଥି ଯୋଗୁଁ ୩୨ ଜଣ ବେହୋସ୍ ହୋଇଯାଇଛନ୍ତି । ସେମାନଙ୍କ ମଧ୍ୟରେ ସ୍ଥାନୀୟ ଏସଡିଏମ୍ ମଧ୍ୟ ଅଛନ୍ତି । ମଙ୍ଗଳବାର ରୁଦ୍ରପୁର ଅନ୍ତର୍ଗତ ଆଜାଦ ନଗର ଅଞ୍ଚଳରେ ଏହି ଘଟଣା ପ୍ରକାଶ ପାଇଛି । ଏନେଇ ସୂଚନା ପାଇବା ମାତ୍ରେ ଏସଡିଆରଏଫ୍ ଏବଂ ଜିଲ୍ଲା ପ୍ରଶାସନିକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ରୁଦ୍ରପୁର ଅଞ୍ଚଳର ଏକ କବାଡିଖାନାରେ ଥିବା ସିଲିଣ୍ଡରରୁ ଅଚାନକ ଗ୍ୟାସ୍ ଲିକ୍ ହୋଇଥିଲା । ଏହି ଗ୍ୟାସ୍ ସଂସ୍ପର୍ଶରେ ଯେଉଁମାନେ ବି ଆସିଥିଲେ ସେମାନେ ତୁରନ୍ତ ଚେତାଶୂନ୍ୟ ହୋଇଯାଇଥିଲେ । ଏପରିକି ଏସଡିଏମ୍ କିଚ୍ଚା କୌସ୍ତୁଭ ମିଶ୍ରାଙ୍କ ସମେତ ଏସଡିଆରଏଫର ଜଣେ ଯବାନ ମଧ୍ୟ ଚେତା ହରାଇ ପଡିଥିଲେ । ସେମାନଙ୍କୁ ଜିଲ୍ଲା ମୁଖ୍ୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଏସଡିଆରଏଫ ଟିମ୍ କବାଡିଖାନାରେ ପହଞ୍ଚି ଗ୍ୟାସ୍ ସିଲିଣ୍ଡରକୁ ନିଷ୍କ୍ରିୟ କରିଛନ୍ତି ।

ଏବେ ଆହତ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।

Related Posts