ନାଗେଶ୍ବରଙ୍କୁ ମହଙ୍ଗା ପଡ଼ିବ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅବମାନନା

ସିବିଆଇ ପୂର୍ବତନ ନିର୍ଦ୍ଦେଶକଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଏମ. ନାଗେଶ୍ବର ରାଓଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ତାଙ୍କ ବିରୋଧରେ ଅଦାଲତ ଅବମାନନା ଅଭିଯୋଗ ଆଣି ଆସନ୍ତା 12 ତାରିଖରେ କୋର୍ଟରେ ହାଜର ହେବାକୁ ସମନ ଜାରି କରିଛନ୍ତି ସୁପ୍ରିମକୋର୍ଟ ।

ସିବିଆଇ ବିବାଦ ଚାଲିଥିଲା ବେଳେ ଅନ୍ତରୀଣ ସିବିଆଇ ମୁଖ୍ୟ ଥିବା ନାଗେଶ୍ବରଙ୍କୁ କୌଣସି ନୀତିଗତ ନିଷ୍ପତ୍ତି ନ ନେବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । କିନ୍ତୁ ବିହାରର ମୁଜାଫରପୁର ସେଲଟର ହୋମ ନାବାଳିକା ଗଣଦୁଷ୍କର୍ମ ମାମଲାର ତଦନ୍ତ କରୁଥିବା ସିବିଆଇ ଅଧିକାରୀ ଏ.କେ ଶର୍ମାଙ୍କୁ ଅପସାରଣ କରି ତାଙ୍କୁ ବଦଳି କରିଥିଲେ ନାଗେଶ୍ବର ରାଓ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସିବିଆଇ ଅଧିକାରୀ ଏ.କେ ଶର୍ମା ମୁଜାଫରପୁର ସେଲଟର ହୋମ୍ ଗଣଦୁଷ୍କର୍ମ ମାମଲାର ତଦନ୍ତ ଦାୟିତ୍ବ ନେଇଥିଲେ । ମୁଜାଫରପୁର ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ ଏ.କେ ଶର୍ମାଙ୍କ ବଦଳି ସଂପର୍କରେ ଜାଣିବା ପରେ କ୍ଷୋଭ ପ୍ରକଟ କରିଥିଲେ । ନିର୍ଦ୍ଦେଶ ସହ ଖେଳିଥିବାରୁ ଈଶ୍ବର ହିଁ ତୁମକୁ ସହାୟକ ହୁଅନ୍ତୁ ବୋଲି କହି ନାଗେଶ୍ବର ରାଓଙ୍କୁ ଭର୍ତ୍ସନା କରିଥିଲେ ସୁପ୍ରିମକୋର୍ଟ ।

Related Posts