ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା: ସମନ ଦେଖି ସ୍ବାସ୍ଥ୍ୟ ଖରାପ, ମାସକର ମହଲତ ମାଗିଲେ ଗୋଲକ

ସମନ ଦେଖି ସ୍ବାସ୍ଥ୍ୟ ବିଗିଡ଼ି ଗଲା । ହାଜର ହେଲେନାହିଁ, ମାଗିଲେ ମାସକର ମହଲତ । ଛତ୍ରପୁରର ବିଜେଡି ନେତା ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ବିଜେପି ନେତା ଗୋଲକ ମହାପାତ୍ରଙ୍କୁ ଜାରି ହୋଇଥିଲା ସମନ । କିନ୍ତୁ ସେ ଗଞ୍ଜାମ ପୋଲିସ ନିକଟରେ ହାଜର ହେଲେନାହିଁ । ଅସୁସ୍ଥ ଥିବାରୁ ତାଙ୍କୁ ମାସେ ପର୍ଯ୍ୟନ୍ତ ମହଲତ ଦେବାକୁ ଓକିଲଙ୍କ ମାଧ୍ୟମରେ ପୋଲିସ ନିକଟରେ ଆବେଦନ କରିଛନ୍ତି ଗୋଲକ ମହାପାତ୍ର ।


ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ହାଜର ହେବାକୁ ଗତ ୨୯ ତାରିଖରେ ଦୁଇ ବିଜେପି ନେତା ଭୃଗୁ ବକ୍ସିପାତ୍ର ଓ ଗୋଲକ ମହାପାତ୍ରଙ୍କୁ ସମନ ପଠାଇଥିଲା ପୋଲିସ । ପୋଲିସର ସ୍ପେଶାଲ ମେସେଞ୍ଜରଙ୍କ ଜରିଆରେ ଉଭୟ ନେତାଙ୍କ ପାଖରେ ସମନ ପହଞ୍ଚା ଯାଇଥିଲା । ଗୋଲକଙ୍କୁ ୭ ତାରିଖରେ ହାଜର ହେବାକୁ ସମନ ହୋଇଥିବା ବେଳେ ଭୃଗୁଙ୍କୁ ୯ ତାରିଖରେ ହାଜର ହେବାକୁ କୁହାଯାଇଥିଲା । ଏସବୁ ଭିତରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ପୋଲିସ ନିକଟରେ ହାଜର ହୋଇନାହାନ୍ତି ଗୋଲକ ।

ଗୋଟିଏ ପଟେ ଗୋଲକ ମହାପାତ୍ର ପୋଲିସ ସମନକୁ ଟାଳିଥିବା ବେଳେ ଏହା ପୂର୍ବରୁ ବିଜେଡିର ଦୁଇ ନେତାଙ୍କୁ ମଧ୍ୟ ଚିଟଫଣ୍ଡ ମାମଲାରେ ସିବିଆଇ ସମନ ଜାରି କରିଥିବା ବେଳେ ଏହାକୁ ଟାଳି ଦେଇଥିଲେ ଅତନୁ ଓ ଅରୁଣ । ଗତ ୨୯ ତାରିଖରେ ଏନେଇ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହୋଇଥିଲା । ଗତ ୨୮ ଓ ୩୦ରେ ଉଭୟଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନୋଟିସ ହୋଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ତେବେ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ମଧ୍ୟ ଏନେଇ ମୁହଁ ଖୋଲିନଥିଲେ ଅତନୁ ଓ ଅରୁଣ ।

Related Posts