ସରଗରମ ଧାମନଗର ରାଜନୀତି; ଉପନିର୍ବାଚନ ପାଇଁ ମଇଦାନରେ ୩ ଦଳର ଜୋରଦାର କସରତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭଦ୍ରକ ଜିଲ୍ଲା ଧାମନଗରର ବିଧାୟକ ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗ ପରେ ଏବେ ଏହି ଆସନଟି ଖାଲି ପଡ଼ିଛି। ଏହି ଆସନରେ ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ଙ୍କ ପକ୍ଷରୁ ବିଦ୍ଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇ ସାରିଛି। ବିଜ୍ଞପ୍ତି ଅନୁସାରେ ଶୁକ୍ରବାର ଠାରୁ ନାମାଙ୍କନ ଦାଖଲ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାମନଗର ଉପନିର୍ବାଚନ ପାଇଁ ଏବେ ରାଜ୍ୟର ୩ ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ନିଜ ନିଜର ପ୍ରାର୍ଥୀ ଖୋଜିବାରେ ଲାଗି ପଡିଛନ୍ତି।

*ଆସନ ବଞ୍ଚାଇବାକୁ ବିଜେପିର ପ୍ରସ୍ତୁତି

ଏହି ଆସନଟି ବିଜେପି ଖାତାରେ ଥିବା ବେଳେ ଦଳ ଏହାକୁ ପୁନର୍ବାର ହାତେଇବାକୁ ଚେଷ୍ଟା କରୁଛି। ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀ ଦଳୀୟ ପ୍ରାର୍ଥୀ ହେବା ଆପାତତଃ ଚୂଡ଼ାନ୍ତ ବୋଲି କୁହାଯାଉଛି। ଆସନ୍ତା ଦିନେ, ଦୁଇଦିନ ମଧ୍ୟରେ ସୂରଜଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ବ‌ିଜେପିର ଉପରମହଲରୁ ସୂଚନା ମିଳିଛି। ଉପନିର୍ବାଚନରେ ନିଜ ସ୍ଥିତି ବଜାୟ ରଖିବା ପାଇଁ ବିଜେପି ଏବେଠାରୁ ଅଣ୍ଟା ଭିଡ଼ିଛି। ରାଜ୍ୟ ସଭାପତି ସମୀର ମହାନ୍ତି ଗୁରୁବାର ବିଳମ୍ବିତ ରାତି ଯାଏ ଦଳୀୟ ନେତା ଓ କର୍ମୀମାନଙ୍କ ସହ ରୁଦ୍ଧଦ୍ବାର ବୈଠକ କରିବା ପରେ ଶୁକ୍ରବାର ଦିନ ଧାମନଗର ନିର୍ବାଚନମଣ୍ଡଳୀର କିଛି ଅଞ୍ଚଳକୁ ଯାଇ କର୍ମୀଙ୍କୁ ଭେଟିଛନ୍ତି। ଅନ୍ୟପକ୍ଷରେ ବିଜେପିର ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ବରୀ ଶୁକ୍ରବାର ଅପରାହ୍ନରେ ଭଦ୍ରକର ଏକ ହୋଟେଲରେ ଦଳୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି। ଶ୍ରୀମତୀ ପୁରନ୍ଦେଶ୍ବରୀ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କୁ ମଧ୍ୟ ଭେଟି ନିର୍ବାଚନ ପ୍ରସ୍ତୁତି ସଂପର୍କରେ ଆଲୋଚନା କରିଥିବା ଜଣାପଡ଼ିଛି। ସେହିପରି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ଧାମନଗରର ବିଭିନ୍ନ ଅଞ୍ଚଳ ବୁଲି କର୍ମୀଙ୍କୁ ଭେଟିବା ସହ ଆରଡ଼ି ଯାଇ ଆଖଣ୍ଡଳମଣିଙ୍କୁ ଦର୍ଶନ କରିଥିଲେ। ପରେ ସେ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ଭଦ୍ରକ କୁଆଁଶସ୍ଥିତ ବାସଭବନକୁ ଯାଇ ସେଠାରେ ପରିବାର ସଦସ୍ୟଙ୍କୁ ଭେଟିଥିଲେ।

*କନ୍ଦଳ ଭୁଲି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ବିଜେଡିର ଆହ୍ବାନ

ଅନ୍ୟ ପକ୍ଷରେ ରାଜ୍ୟର ସବୁ ଉପ ନିର୍ବାଚନକୁ ଜିତି ଆସୁଥିବା ବିଜେଡି ଏହି ଆସନକୁ ବିଜେପି ହାତରୁ ଛଡେଇ ଆଣିବାକୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛି।ଧାମନଗର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଜେଡି ଶିବିର ମଧ୍ୟ ଚଳଚଞ୍ଚଳ ହୋଇଉଠିଛି। ପ୍ରାର୍ଥୀ ଚୟନକୁ ନେଇ ଦଳ ମଧ୍ୟରେ କନ୍ଦଳ ଦେଖା ଦେଇଥିଲେ ମଧ୍ୟ ଏହାକୁ ଯଥା ସମ୍ଭବ ସମାଧାନ ପାଇଁ ଚେଷ୍ଟା କରୁଛି ଦଳ। ପ୍ରାର୍ଥୀ କିଏ ହେବ, ତାହା ବଡ଼ କଥା‌ ନୁହେଁ। ଧାମନଗର ମାଟିରେ ମୁଖ୍ୟମନ୍ତ୍ରୀଙ୍କ ବିକାଶଧାରାକୁ ବଜାୟ ରଖିବାକୁ ହେଲେ ସମସ୍ତ ଦଳୀୟ କର୍ମୀଙ୍କୁ ଏକ ମନ, ଏକ ପ୍ରାଣ ହୋଇ କାମ କରିବାକୁ ପଡ଼ିବ। କର୍ମୀଙ୍କ କାନରେ ଏଭଳି ଗୁରୁମନ୍ତ୍ର ଫୁଙ୍କିଛନ୍ତି ବିଜେଡିର ବରିଷ୍ଠ ନେତୃମଣ୍ଡଳୀ। ଏବେଠାରୁ ଦଳର ନେତାମାନେ ତୃଣମୂଳସ୍ତରର କର୍ମୀଙ୍କୁ ନେଇ ବୈଠକ ଓ ସମାବେଶ ଆରମ୍ଭ କରିଛନ୍ତି। ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଶୁକ୍ରବାର ଦିନ ଧାମନଗର ନିର୍ବାଚନମଣ୍ଡଳୀର ଦୋବଲ ଓ ଅସୁରାଳି ଅଞ୍ଚଳରେ କର୍ମୀ ସମ୍ମିଳନୀ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶକୁ ପାଥେୟ କରି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଆହ୍ବାନ ଦେଇଛନ୍ତି। ସେହିପରି କଲ୍ୟାଣୀ ପଞ୍ଚାୟତଠାରେ ଆୟୋଜିତ କର୍ମୀ ସମ୍ମିଳନୀରେ ବିଜେଡି ନେତା ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ, ରାଜ୍ୟସଭା ସାଂସଦ ସୁଲତା ଦେଓ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଧାମନଗରର ସମସ୍ତ ନେତା ଓ କର୍ମୀ ଏକତ୍ରିତ ‌ହେବାକୁ ଆହ୍ବାନ ଦେଇଥିଲେ।

*ପ୍ରାର୍ଥୀ ଚୟନ ପାଇଁ କଂଗ୍ରେସର ବୈଠକ

ତେବେ ଏସବୁ ଭିତରେ କଂଗ୍ରେସ ମଧ୍ୟ ପଛରେ ରହି ନାହିଁ। ନିକଟରେ ଶେଷ ହୋଇଥିବା ବ୍ରଜରାଜନଗର ଉପନିର୍ବାଚନରେ ଦଳ ତୃତୀୟରୁ ଦ୍ଵିତୀୟ ସ୍ଥାନକୁ ଆସିବା ପରେ ଦଳରେ ଆତ୍ମବିଶ୍ବାସ ବୃଦ୍ଧି ପାଇଛି। ନୂଆ ପିସିସି ସଭାପତିଙ୍କ ନେତୃତ୍ବରେ ଦଳ ଏଠାରେ ଭଲ ପ୍ରଦର୍ଶନ ପାଇଁ ଆଶା ରଖିଛି। ଏଥିପାଇଁ ଦଳ ପକ୍ଷରୁ ମଧ୍ୟ ଜୋରଦାର କସରତ ଆରମ୍ଭ ହୋଇଛି। ଏହି କ୍ରମରେ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ନିମନ୍ତେ ଶୁକ୍ରବାର ଦିନ କଂଗ୍ରେସର ଏକ ୪ ଜଣିଆ ପ୍ରତିନିଧି ଦଳ ଧାମନଗର ଆସି ବରିଷ୍ଠ ନେତା ଓ କର୍ମୀଙ୍କ ସହ ଆଲୋଚନା କରିଛନ୍ତି। ଧାମନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧୂଷୁରୀ ପଞ୍ଚାୟତର ବାହାରବିଲଠାରେ ଅନୁଷ୍ଠିତ ବୈଠକରେ ବାବା ହରେକୃଷ୍ଣ ସେଠୀ, ହୃଦାନନ୍ଦ ସେଠୀ, ବିଦ୍ୟାଧର ଜେନା, ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ, ପୂର୍ବତନ ସାଂସଦ ମୁରଲୀଧର ଜେନାଙ୍କ ସାମ୍ଭାବ୍ୟ ପ୍ରାର୍ଥିତ୍ବ ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଏହି ପ୍ରତିନିଧି ଦଳରେ କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ପୂର୍ବତନମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ପୂର୍ବତନ ବିଧାୟକ ଚିନ୍ମୟ ବେହୁରିଆଙ୍କ ସହ ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ ବୈଠକରେ ଉପସ୍ଥିତ ଥିଲେ। ତୃଣମୂଳସ୍ତରରୁ ସଂଗୃହୀତ ହୋଇଥିବା ରିପୋର୍ଟ ଦଳୀୟ ହାଇକମାଣ୍ଡଙ୍କୁ ଦିଆଯିବ ବୋଲି ସୂଚନା ମିଳିଛି। ତେବେ ଆସନ୍ତା ୧୦ ତା‌ରିଖ ସୁଦ୍ଧା କଂଗ୍ରେସର ପ୍ରାର୍ଥୀ କିଏ ହେବେ ସେନେଇ ଚିତ୍ର ସ୍ପଷ୍ଟ ହେବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।

ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁସାରେ ଶୁକ୍ରବାର ଅର୍ଥାତ୍ ୭ ତାରିଖ ଠାରୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ହୋଇପାରିବ। ପୂର୍ବାହ୍ମ ୧୧ଟାରୁ ଅପରାହ୍ଣ ୩ଟା ମଧ୍ୟରେ ପ୍ରାର୍ଥୀ ନିଜେ କିମ୍ବା ତାଙ୍କର କୌଣସି ଜଣେ ପ୍ରସ୍ତାବକ ମନୋନୟନ ପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭଦ୍ରକଙ୍କ କାର୍ୟ୍ୟାଳୟରେ ରିଟର୍ଣ୍ଣିଂ ଅଧିକାରୀ କିମ୍ବା ତହସିଲଦାର ତିହିଡିଙ୍କ ନିକଟରେ ଦାଖଲ କରିପାରିବେ। ସେହିଭଳି ଭଦ୍ରକ ବିଡିଓଙ୍କ କାର୍ୟ୍ୟାଳୟରେ ଆସନ୍ତା ୧୫ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ଅକ୍ଟୋବର ୧୭ ତାରିଖ ହେଉଛି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଏହାପରେ ଉପନିର୍ବାଚନ ପାଇଁ ନଭେମ୍ବର ୩ ତାରିଖରେ ଭୋଟ ଗ୍ରହଣ ହେବ। ପୂର୍ବାହ୍ଣ ୭ଟାରୁ ସଂଧ୍ୟା ୬ଟା ଯାଏ ଭୋଟ ଗ୍ରହଣ ହେବ।

Related Posts