ମୋଦି ଚାମ୍ପିଅନ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସବୁଠାରୁ ବଡ଼ ପୁରସ୍କୃତ କରିଛି ମିଳିତ ଜାତିସଂଘ । ପରିବେଶ ସୁରକ୍ଷା ଦିଗରେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିତ ଜାତିସଂଘ ସମ୍ମାନିତ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଫ୍ରାନ୍ସର ରାଷ୍ଟ୍ରପତି ମ୍ୟାକ୍ରନ୍‌ଙ୍କୁ ‘ଚାମ୍ପିଅନ୍‌ସ ଅଫ୍‌ ଦି ଆର୍ଥ’    ପୁରସ୍କାର ଦିଆଯାଇଛି । ପଲିସି ଲିଡରସିପ୍‌ ବିଭାଗରେ ଏହି ପୁରସ୍କାର ଦିଆଯାଇଛି । ସୋଲାର ଆଲାଏନ୍ସ ଓ ପରିବେଶ ସୁରକ୍ଷା ଦିଗରେ ଉତ୍କୃଷ୍ଟ କାମ ପାଇଁ ଏହି ଦୁଇ ବିଶ୍ବ ନେତାଙ୍କୁ ସମ୍ମାନିତ କରାଯାଇଛି । ମ୍ୟାକ୍ରନ୍‌ଙ୍କୁ ପରିବେଶ ପାଇଁ ବିଶ୍ବସ୍ତରୀୟ ଚୁକ୍ତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୨୦୨୨ ଯାଏଁ ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ୍‌ ବ୍ୟବହାର ବନ୍ଦ କରିବା ଉଦ୍ଦେଶ୍ୟରେ ଶପଥ ନେବା ପାଇଁ ସମ୍ମାନ ଦିଆଯାଇଛି  ।

ମୋଦି-ମ୍ୟାକ୍ରନ୍‌ଙ୍କୁ ‘ଚାମ୍ପିଅନ୍‌ସ ଅଫ୍‌ ଦି ଆର୍ଥ ପୁରସ୍କାର’

ପରିବେଶ ଉପରେ ପଲିସି ଲିଡରସିପ୍‌ ପାଇଁ ସମ୍ମାନିତ

ସଷ୍ଟେନେବୁଲ୍‌ ଏନର୍ଜି ପାଇଁ କୋଚ୍ଚି ବିମାନ ବନ୍ଦରକୁ ସମ୍ମାନ

ପରିବେଶ ପାଇଁ ସବୁଠାରୁ ବଡ଼ ସମ୍ମାନ ଭାବେ ଦିଆଯାଉଥିବା ଏହି ପୁରସ୍କାର ୨୦୦୫ରେ ଆରମ୍ଭ ହୋଇଥିଲା । ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ଜୋଆନ୍‌ କଲିଙ୍ଗ ନାମକ ସଂସ୍ଥା, ଚୀନ୍‌ର ଜିନ୍‌ଜିଆଙ୍ଗ ଗ୍ରୀନ୍‌ ରୁରାଲ୍‌ ପ୍ରୋଗ୍ରାମ୍‌, କୋଚ୍ଚି ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ଏବଂ ବିୟଣ୍ଡ ମିଟ୍‌ ଏଣ୍ଡ ଇମ୍ପୋସିବଲ୍‌ ଫୁଡ୍‌ସ ନାମକ ଆଉ ଏକ ସଂସ୍ଥାକୁ ମଧ୍ୟ ପୁରସ୍କୃତ କରାଯାଇଛି । ମିଳିତ ଜାତିସଂଘ ପକ୍ଷରୁ କୁହାଯାଇଛି ଯେ ଏମାନେ ଉନ୍ନତ ଭବିଷ୍ୟତ ପାଇଁ ଆଜିକୁ ପରିବର୍ତ୍ତନ କରୁଛନ୍ତି  । ନିକଟରେ ବନ୍ୟା ଦୁର୍ଦ୍ଦଶା ଭୋଗିଥିବା କେରଳର କୋଚ୍ଚି ଅନ୍ତର୍ଜାତୀୟ ବିମାନବନ୍ଦରକୁ ସଷ୍ଟେନେବଲ୍‌ ଏନର୍ଜି ବା ନବୀକରଣ ଯୋଗ୍ୟ ଶକ୍ତି ପାଇଁ ସମ୍ମାନିତ କରାଯାଇଛି । ଏହା ହେଉଛି ବିଶ୍ବର ପ୍ରଥମ ସଂପୂର୍ଣ୍ଣ ସୌର ଶକ୍ତି ଚାଳିତ ବିମାନ ବନ୍ଦର ।

ଭାରତ ଗସ୍ତରେ ଆସିଥିବା ମିଳିତ ଜାତିସଂଘର ମହାସଚିବ ଏଣ୍ଟୋନିଓ ଗୁତାରେସ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି  । ସେ କହିଛନ୍ତି , ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତ ସୌର ଶକ୍ତିରେ ଚତୁର୍ଥ ଓ ନବୀକରଣଯୋଗ୍ୟ ଶକ୍ତିରେ ପଞ୍ଚମ ସବୁଠାରୁ ବଡ଼ ଦେଶ ହୋଇଛି । ମୁଁ ଆଶା କରୁଛି ଯେ ଭାରତ ଶୀଘ୍ର ଉପରକୁ ଉଠିବ । ’

Related Posts