ଲକ୍ଷ୍ୟ ଜିରୋ କାଜୁଆଲଟି

ଭୟଙ୍କର ରୂପ ନେଉଛି ତିତଲି । ତିତଲି ପାଇଁ ୭ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଅଧିକ ସତର୍କ ହୋଇଛନ୍ତି ଗଞ୍ଜାମ, ପୁରୀ, ଗଜପତି, କେନ୍ଦ୍ରାପଡ଼ା , ଜଗତସିଂହପୁର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲା ପ୍ରଶାସନ । ବାତ୍ୟା ପ୍ରଭାବରେ ଏସବୁ ଜିଲ୍ଲାରେ ଲାଗି ରହିଛି ବର୍ଷା । ଫାଇଲିନ୍‌ ଓ ହୁଦହୁଦ୍‌ ଭଳି ଜୀବନ ଜିରୋ କାଜୁଆଲଟି ବା ଜୀବନ ହାନିକୁ ପୁରା ଶୂନ ରଖିବାକୁ ପ୍ରଶାସନ ତତ୍ପର ହୋଇଛି ।

ଜଗତସିଂହପୁରରେ ଲୋକଙ୍କୁ ସତର୍କ କରିବା ସହ ବାତ୍ୟା ମୁକାବିଲ ପାଇଁ ପ୍ରସ୍ତୁତ ହୋଇଛି ପ୍ରଶାସନ । ସବୁ ବ୍ଲକ୍‌ରେ ଖାଦ୍ୟ ସାମଗ୍ରୀ ମହଜୁଦ ରଖାଯାଇଛି । ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଉଛି । ବାତ୍ୟା ମୁକାବିଲା ପାଇଁ ନୟାଗଡ଼ରେ ସବୁ ବ୍ଲକର ବିଡିଓଙ୍କୁ ସଜାଗ କରିଛି ଜିଲ୍ଲା ପ୍ରଶାସନ । ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଗୁରୁବାର ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି ।

ପୁରୀ ଜିଲ୍ଲାରେ NDRF ଟିମ୍‌କୁ ସଜାଗ ରଖାଯାଇଛି । ତଳିଆ ଆଂଚଳରେ ରହୁଥିବା ଲୋକଙ୍କୁ ପକ୍କା ସ୍କୁଲ ଘର, ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯାଉଛି । ଆବଶ୍ୟକ ଔଷଧ, ଡାକ୍ତରୀ ଟିମ୍‌ ଓ ପଶୁ ଖାଦ୍ୟ ମହଜୁଦ ରଖାଯାଇଛି । ପ୍ରତି ବ୍ଲକ୍‌ରେ ଖୋଲିଛି ନିୟନ୍ତ୍ରଣ କକ୍ଷ । ସମୁଦ୍ରରେ ଉଚ୍ଚ ଜୁଆର ସାଙ୍ଗକୁ ଜୋରରେ ପବନ ବୋହିବାରୁ ଭୟଭୀତ ହୋଇପଡିଛନ୍ତି ଉଠାଦୋକାନୀ ଓ ପର୍ଯ୍ୟଟକ ।

ସେହିପରି କେନ୍ଦ୍ରାପଡ଼ାର ସମସ୍ତ ୯ଟି ବ୍ଲକ୍‌ ସମେତ ସହରାଞ୍ଚଳ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜିଲ୍ଲା ମୁଖ୍ୟାଳୟ, ସବୁ ତହସିଲ୍ ଓ ବ୍ଲକ୍‌ରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି । ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଚୁର ପରିମାଣରେ ହେଲୋଜିନ ବଟିକା ଓ ପାନୀୟ ଜଳ ମହଜୁଦ ରଖାଯାଇଛି । ମହାକାଳପଡ଼ା, ରାଜନଗର, ଆଳି, ରାଜକନିକା ପେଣ୍ଠ, ବତୀଘର, ଜମ୍ବୁ, ରାମ ନଗର୍, ଖରିନାସୀ ଆଦି ଉପକୂଳବର୍ତ୍ତୀ ଅଞ୍ଚଳ ଉପରେ କଡା ନଜର ରଖାଯାଇଛି ।

ଭଦ୍ରକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯିବା ସହ ସବୁ ତହସିଲଦାର, ବିଡ଼ିଓ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଆବଶ୍ୟକ ପଡିଲେ ତଳିଆ ଅଂଚଳ ଲୋକମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଜଳ ନିଷ୍କାସନ ପାଇଁ ଡ୍ରୋଜର ମେସିନ, ନଦୀ କୂଳିଆ ଅଞ୍ଚଳରେ ବୋଟ, ଡଙ୍ଗାର ବ୍ୟବସ୍ଥା କରାଯାଇଛି ।

Related Posts