୫ବର୍ଷିଆ ପୋଷ୍ଟଂ ପାଇଁ ବାକି ୬ ମାସ ଛାଡିବେ

ସତ୍ୟପାଠ ବ୍ୟୁରୋ : ୫ବର୍ଷ ପାଇଁ ୬ମାସର ଚାକିରୀ କାଳ ଛାଡିବେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ । ରାଜ୍ୟର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ଭାବେ ଶ୍ରୀଯୁକ୍ତ ପାଢ଼ୀଙ୍କୁ ନିଯୁକ୍ତି ମିଳିବା ପାଇଁ ସରକାରୀ ସ୍ତରରେ ସବୁ କାମ ସରିଥିବା ବେଳେ ଯେ କୌଣସି ମୁହୁର୍ତ୍ତରେ ରାଜ୍ୟପାଳଙ୍କ ଅନୁମୋଦନ ସହ ବିଜ୍ଞପ୍ତି ବି ପ୍ରକାଶ ପାଇପାରେ । ନୂଆ ମୁଖ୍ୟ ଶାସନ ସଚିବ କିଏ ହେବେ ତାହା ଯେତିକି ଗୁରୁତ୍ୱପୂର୍ଣ୍ଣ, ତା ଠୁ ବେଶୀ ରୋଚକ ହେଉଛି ପାଢ଼ୀ ବାବୁଙ୍କ ସ୍ୱେଚ୍ଛାକୃତ ଅବସର ଓ ନିଯୁକ୍ତି ।

୧୯୮୩ ବ୍ୟାଚର ଆଇଏଏସ ଆଦିତ୍ୟ ପାଢ଼ୀ ଫେବୃଆରୀ ୨୦୨୦ରେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଥାନ୍ତେ । କିନ୍ତୁ ଠିକ୍ ୬ ମାସ ପୂର୍ବରୁ ସେ ସ୍ୱେଚ୍ଛାକୃତ ଅବସର ପାଇଁ ସରକାରଙ୍କୁ ଆବେଦନ କରିଛନ୍ତି । କଥା ହେଉଛି, ଯଦି ପାଢ଼ୀ ବାବୁ ନିର୍ବାଚନ କମିଶନର ଭାବେ ଯୋଗ ଦେଉଛନ୍ତି ତେବେ ତାଙ୍କୁ କାର୍ଯ୍ୟକାଳ ୨୦୨୫ ଯାଏ ବଢ଼ିଯିବ । ଅଥାତ ମୁଖ୍ୟ ସଚିବ ଭାବେ ୬ମାସ ରହିବା ଅପେକ୍ଷା ନିର୍ବାଚନ କମିଶନର ଭାବେ ସେ ୫ବର୍ଷ ପଦରେ ରହିବେ । ବର୍ତ୍ତମାନର କମିଶନର ଥିବା ନବ ନାୟକଙ୍କ କାର୍ଯ୍ୟକାଳ ଶେଷ ହୋଇଥିବା ବେଳେ ଆଦିତ୍ୟଙ୍କ ନିଯୁକ୍ତି ପରେ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆଗକୁ ଯିବ ବୋଲି କୁହାଯାଉଛି ।

ସରକାରୀ ଚାକିରୀରେ ବାବୁ ହେଉଛନ୍ତି ଅମର । ଏଠି ବି ତାଙ୍କର ଇଚ୍ଛାମୃତ୍ୟୁ ଭଳି ଇଚ୍ଚା ଅବସର । ମାନେ ଇଛା ହେଲେ ଅବସର ନେବେ ନହେଲେ ଚାକିରୀ ଚାଲୁଥିବ । ରାଜ୍ୟ ପୁଲିସ ମୁଖ୍ୟ ଓ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅବସର ଓ ନିଯୁକ୍ତିକୁ ଦେଖିଲେ ଏହା ହିଁ ତ ସ୍ପଷ୍ଟ ହେଉଛି । ତା ଛଡା ରାଜ୍ୟରେ ଯେତେ ସାମ୍ବିଧାନିକ ପଦପଦବୀ (ଆୟୋଗ ବା ସେହିଭଳି) ରହିଛି ଯେଉଁଠାକୁ ଚାହିଁଲେ ସେଠି ଜଣେ ଅବସରପ୍ରାପ୍ତ ଆଇଏଏସ କି ଆଇପିଏସ ଥିବେ ।

Related Posts