ବଦଳିଲା ବିଜେଡି ବସ୍ ଙ୍କ ଠିକଣା

ସତ୍ୟପାଠ ବ୍ୟୁରୋ : ବଦଳିଲା ବିଜେଡି ବସ୍ ଙ୍କ ଠିକଣା । ଏଣିକି ନବୀନ ନିବାସ କି ବିଜେଡି କାର୍ଯ୍ୟାଳୟ ନୁହେଁ ବରଂ ନୂଆ ଠିକଣାଟି ହେଉଛି ନୂଆଦିଲ୍ଲୀ । ସେଇଠି ରହି ବସ୍ ଦଳକୁ ଅପରେଟ କରିବେ । ନିଷ୍ପତି, ନିର୍ଦ୍ଦେଶ ସବୁକିଛି ନିଆଯିବ ଦିଲ୍ଲୀରୁ । ନବୀନ ନିବାସ କେବଳ ଦଳର ବ୍ରାଂଚ ଅଫିସ ଭଳି କାମ କରିବ ।

ରାଜ୍ୟ ରାଜନୀତିରେ ଏବେ ଖାଲି ଗୋଟିଏ ଚର୍ଚ୍ଚା । ଆଉ ନବୀନ ନିବାସରୁ ଅପରେଟ ହେଉନି ବିଜୁ ଜନତା ଦଳ । ଦଳର ନୂଆ ବସ୍ ଏବେ ନୂଆ ଠିକଣାରେ ରହି ଦଳକୁ ଚଳାଉଛନ୍ତି । ନବୀନ ନିବାସ ଆଉ ବିଜେଡି ପାର୍ଟି ଅଫିସ କେବଳ ଷ୍ଟେଟ୍ ବ୍ରାଂଚ ଅଫିସ ଭଳି କାମ କରୁଛି ଆଉ ନବୀନ ବାବୁ ଦଳ ସଭାପତି ତ ନୁହଁନ୍ତି ବରଂ ବସ୍ ଙ୍କ ଅଧିକୃତ ଭଳି ସବୁ ହଁରେ ହଁ ଭରୁଛନ୍ତି । ସେଇଆ ହିଁ ହେଉଛି । ଦିଲ୍ଲୀରେ ଥାଇ ଫୋନକଲରେ ନିଷ୍ପତି ଶୁଣାଇ ଦିଆଯାଉଛି ଆଉ ତାହା ନବୀନ ବାବୁ କାର୍ଯ୍ୟକାରୀ କରୁଛନ୍ତି ।

ନିର୍ବାଚନ ପରେ ଏ ଚର୍ଚ୍ଚା ଆରମ୍ଭ ହୋଇଥିଲା ସତ କିନ୍ତୁ ରାଜ୍ୟସଭା ନିର୍ବାଚନ ପରଠାରୁ ଏହା ଯେମିତି ସମସ୍ତଙ୍କ ମୁହଁରେ ବସା ବାନ୍ଧି ଦେଇଛି । ବସ୍ ବସିଛନ୍ତି ଦିଲ୍ଲୀରେ ଆଉ ଫୋନ କରି ବୁଝୁଛନ୍ତି ହାଲଚାଲ । କିଏ କଣ କରିବ, କିଏ କଣ କହିବ ସବୁ ନିଷ୍ପତି ସେଠୁ । ଏଠି ଖାଲି ଅନୁଶାସନର ଅନୁପାଳନ ଚାଲିଛି ।

ବିଜେପି-ବିଜେଡି ସମ୍ପର୍କ ପୁଣିଥରେ ସୁଦୃଢ଼ ହେବାରେ ଲାଗିଛି । ଭଙ୍ଗାମନ ପୁଣି ଯୋଡି ହୋଇଛି ଆଉ ଏମିତି ଯୋଡି ହୋଇଛି ଯେ, ଦିଲ୍ଲୀ ବସ୍ ଯାହା କହୁଛନ୍ତି ସେଇଆ ହେଉଛି ଦଳରେ । ଦଳ ଭିତରୁ ଅବଶ୍ୟ କିଛି ବିରୋଧାଭାସ ଆରମ୍ଭ ହୋଇଛି କିନ୍ତୁ ପାଟି ଫିଟାଇ କହିବା ଭଳି କାହାର ଯୁ’ ନାହିଁ ।

କୁହାଯାଉଛି ନିର୍ବାଚନ ପରେ ଦୁଇ ବିରୋଧୀ ରାଜନୈତିକ ଦଳ ଭିତରେ ଏକ ଅଘୋଷିତ ଡିଲ୍ ହୋଇଛି । ସିବିଆଇ ତଦନ୍ତ ଆଉ କେନ୍ଦ୍ରୀୟ ଅନୁଦାନର ଭୟ ହେଉ ଅବା ଆଳ ଦେଖାଇ ଶଙ୍ଖ ଶିବିରକୁ ନିଜ ହାତ ମୁଠାକୁ ନେଇ ଯାଇଛି ପଦ୍ମଦଳ । ସଂଖ୍ୟା ନଥାଇ ବି ରାଜ୍ୟସଭା ପ୍ରାର୍ଥୀ ଦେବା, ବିରୋଧୀ ଦଳର ପ୍ରାର୍ଥୀ ହୋଇ ବି ବିଜେଡି ତାହାକୁ ସମର୍ଥନ କରିବା, ସଂଶୋଧିତ ଆରଟିଆଇ ବିଲ ସପକ୍ଷରେ ଭୋଟ ଦେବା ଆଉ କିଛି ନା କିଛି ବାହାନାରେ ଦୁଇ ରାଜନୈତିକ ଦଳର ଶୀର୍ଷ ନେତୃତ୍ୱଙ୍କ ଫୋନ କଲ ଏମିତି କିଛି ସୂଚନା ଦେଉଥିବା ରାଜନୀତି ସମୀକ୍ଷକ କହୁଛନ୍ତି ।

ଶୀର୍ଷକଟି ପଢ଼ିବା ପରେ ପାଠକ ଭାବୁଥିବେ ଖବରଟି ଏକଦମ୍ ମନଗଢ଼ା ବୋଲି । କିନ୍ତୁ ବର୍ତ୍ତମାନର ରାଜନୈତିକ ପରିବେଶ ଓ ପରିସ୍ଥିତି ଏହାହିଁ ବାର୍ତ୍ତା ଦେଉଛି ।

Related Posts