ଭକୁଆ ହେଲେ ଭର୍ତ୍ତୁହରି !

ସତ୍ୟପାଠ ବ୍ୟୁରୋ : ରାଜନୈତିକ ଉଚ୍ଚାକାଂକ୍ଷା ପାଇଁ ନବୀନ ଆଉ ମୋଦିଙ୍କ ଭିତରେ ଯେଉଁ ନୂଆ ସମ୍ପର୍କ ତିଆରି ହୋଇଛି, ତାହାର ପ୍ରଭାବ ଧିରେଧିରେ ଦଳଭାଇ ମାନଙ୍କ ଉପରେ ପଡୁଛି । ଆରଟିଆଇ ସଂଶୋଧନ ବିଲରେ ନବୀନ ଯେଭଳି ମୋଦିଙ୍କୁ ସମର୍ଥନ ଦେଲେ ଏହାଦ୍ୱାରା କେବଳ ରାଜ୍ୟବାସୀ ପ୍ରତାରିତ ହୋଇ ନାହାଁନ୍ତି, ବରଂ ବିଜୁ ଜନତା ଦଳର ବହୁ ସମ୍ମାନସ୍ପଦ ସ୍ୱାଭିମାନୀ ଦଳଭାଇ ଭକୁଆ ହୋଇଛନ୍ତି ଏବଂ ଅପମାନିତ ହୋଇଛନ୍ତି । ଯାହାର ସଦ୍ୟତମ ଉଦାହରଣ ହେଉଛନ୍ତି ଭର୍ତ୍ତୁହରି ମହତାବ । ସଂଶୋଧିତ ବିଲକୁ ବିରୋଧ କରି ପ୍ରଥମେ ଭର୍ତ୍ତୁହରି ସଦନରେ ନିଜ ମତ ରଖିଥିଲେ କିନ୍ତୁ ଶେଷ ମୁହୁର୍ତ୍ତରେ ଦଳର ନିଷ୍ପତି ବଦଳିବା ସହ ସେ ବିଲ ସପକ୍ଷରେ ଭୋଟ ଦେଲେ ଆଉ ଭକୁଆ ହେଲେ ।

“ସଂଶୋଧିତ ସୂଚନା ଅଧିକାର ବିଲରେ ଦୁର୍ନୀତି ଓ ସ୍ୱଚ୍ଛତା ଦିଗରେ ଏକ ଭୁଲ ବାର୍ତ୍ତା ନଯାଉ । ଏହା ଏ ଦେଶର ପ୍ରତ୍ୟେକ ନାଗରିକର ଅଧିକାର । ବ୍ୟକ୍ତି ଅଧିକାରକୁ କ୍ଷୁର୍ଣ୍ଣ କରାନଯାଉ”- ଭର୍ତ୍ତୁହରି ମହତାବ

ଲୋକସଭାରେ ନୂଆ ଆରଟିଆଇ ବିଲ କିଭଳି ସୂଚନାଧିକାରର କ୍ଷମତାକୁ କ୍ଷୁର୍ଣ୍ଣ କରୁଛି ତାହା ବୁଝାଇଥିଲେ ମହତାବ ବାବୁ । ବିଲ୍ କୁ ନେଇ ନିଜ ମତ ରଖିବା ବେଳେ ସେ ଶାଣିତ ସମାଲୋଚନା କରିଥିଲେ । କିନ୍ତୁ ଭୋଟିଂ ବେଳକୁ ସପକ୍ଷରେ ଗଲା ବିଜେଡିର ଭୋଟ । ଦଳର ପରିବର୍ତ୍ତୀତ ଆଭିମୁଖ୍ୟ ସହ ବାଧ୍ୟ ହୋଇ ଦଳର ହଁରେ ହଁ ଭରିଲେ ଭର୍ତ୍ତୁହରି ମହତାବ । ମୋଦିଙ୍କୁ ଦଳପତିଙ୍କ ସମର୍ଥନ ଓ ତାଙ୍କ ନିକଟରେ ସମର୍ପଣ ଆଗରେ ମହତାବ ବାବୁ ଭକୁଆ ହୋଇ ଯାଇଛନ୍ତି ।

ସଂସଦରେ ଆଲୋଚନାରେ ଭାଗ ନେଇକି ଯେତେବେଳେ ଭର୍ତ୍ତୁହରି ବାବୁ ତାଙ୍କ ଯୁକ୍ତି ଉପସ୍ଥାପନ କରୁଥିଲେ, ସେତେବେଳେ ତାଙ୍କର କହିବା ଶୈଳୀ ଓ ସୂଚନାଧିକାର ପ୍ରସଙ୍ଗକୁ ଯେଭଳି ଗୁରୁତର ସହ ନେଇଥିଲେ ଆଉ ବିତର୍କ ସମୟରେ ତାଙ୍କର ଶରୀରର ଭାବଭଙ୍ଗୀ (ବଡି ଲାଙ୍ଗୁଏଜ୍) ରେ ଯେଉଁ ଗାମ୍ଭୀର୍ଯ୍ୟ ଥିଲା, ତାକୁ ଯିଏ ଦେଖିଛି ସିଏ କେବେ ବି ବିଶ୍ୱାସ କରି ପାରିବ ନାହିଁ, ଯେ ଏହି ସମାନ ବ୍ୟକ୍ତି ଯିଏ କି ଭୋଟ ବେଳକୁ ସମ୍ପୂର୍ଣ୍ଣ ଭାବରେ ବୁଲିଯିବେ ଓ ୟୁ-ଟର୍ଣ୍ଣ ମାରିବେ ଆଉ ଯେତେ ଛେପ ନିଜେ ଫୋପାଡିଛନ୍ତି ସେ ସବୁକୁ ପୁଣି ଢ଼ୋକିଦେବେ ।

ସମ୍ପ୍ରତି ଏଇଥିପାଇଁ ‘ଭକୁଆ’ ଶବ୍ଦଟି ବ୍ୟବହାର କରାଯାଇଛି, ଭର୍ତ୍ତୁହରି ବାବୁ ଜଣେ ସମ୍ମାନସ୍ପଦ ନେତା । ଓଡିଶା ବାସୀ ଆଶା କରୁଥିଲେ, ସଂଶୋଧନ ନାଁରେ ଆରଟିଆଇ ଆଇନକୁ କେନ୍ଦ୍ର ସରକାର ଯେଭଳି ଭାବେ ପାଣିଚିଆ କରିବାକୁ ଚେଷ୍ଟା କରୁଛନ୍ତି, ଭର୍ତ୍ତୁହରି ବାବୁ ତାହା ବୁଝିଛନ୍ତି ଆଉ ସେ ଏହାକୁ ଛାଡିବେନି । ହେଲେ ଶେଷ ମୁହୁର୍ତ୍ତରେ ଦଳର ଆଭିମୁଖ୍ୟ ବଦଳିବା ସହ ମହତାବ ନିଜ ଆଭିମୁଖ୍ୟ ବଦଳାଇଦେଲେ । କିନ୍ତୁ ଭର୍ତ୍ତୁହରି ଦେଇଥିବା ମନ୍ତବ୍ୟ ଆଉ ବଦଳି ପାରିଲା ନାହିଁ । ତେଣୁ ପୋଡା ଟ୍ରାନ୍ସଫର୍ମର ସହ ସମ୍ପର୍କ ଯୋଡି ହୋଇଯିବା ପରେ ଭର୍ତ୍ତୁହରି କେବଳ ଯାହା ଭକୁଆ ହୋଇ ରହିଗଲେ ।

Related Posts