ନିଶା ଖାଇବାକୁ ଟଙ୍କା ନ ଦେବାରୁ ମା’ ଙ୍କୁ ଧାରୁଆ ଅସ୍ତ୍ର ହାଣି ଦେଲା ପୁଅ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ନିଶା ସେବନ ପାଇଁ ଟଙ୍କା ନଦେବାରୁ ମା’ ଙ୍କୁ ଧାରୁଆ ଅସ୍ତ୍ର ହାଣି ରକ୍ତାକ୍ତ କଲା ପୁଅ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଅନ୍ତର୍ଗତ ଖଡ଼ିବିଲ ଗାଁରେ। ମିଳିଥିବା ସୂଚନା ମୁତାବକ, ଖଡ଼ିବିଲ ଗାଁର ମଣ୍ଟୁ ଜେନା ନାମକ ଜଣେ ଯୁବକ ନିଶା ଦ୍ରବ୍ୟ କିଣି ସେବନ କରିବା ପାଇଁ ଆଜି ସକାଳେ ସେ ତାଙ୍କ ମା’ ରଙ୍ଗବତୀ ଜେନାଙ୍କୁ ୫୦୦ ଟଙ୍କା ମାଗିଥିଲେ ।

ତେବେ ମା ରଙ୍ଗବତୀ କିନ୍ତୁ ୫୦୦ ଟଙ୍କା ଦେଇ ପାରିବେନି ବୋଲି କହିଥିଲେ। ସେ ତାଙ୍କ ପାଖରେ ଥିବା ୩୦ ଟଙ୍କା ପୁଅକୁ ଦେଇଥିଲେ। ତେବେ ୫୦୦ ଟଙ୍କା ନ ମିଳିବାରୁ ମଣ୍ଟୁ ରାଗିଯାଇ ଏକ ଧାରୁଆ ଅସ୍ତ୍ରରେ ନିଜ ମା’ ରଙ୍ଗବତୀଙ୍କୁ ଆକ୍ରମଣ କରିଥିଲା। ଏହା ଫଳରେ ରଙ୍ଗବତୀଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିଲା।

ଆଘାତ ପାଇ ରଙ୍ଗବତୀ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ। ସେଠାରେ ଉପସ୍ଥିତ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମିଳିଥିବା ସୂଚନା ଅନୁସାରେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ତେବେ ଏହି ଖବର ଲେଖାଯିବା ସୁଦ୍ଧା ଏ ଘଟଣାକୁ ନେଇ ଥାନାରେ କୌଣସି ଲିଖିତ ଅଭିଯୋଗ କରାଯାଇନାହିଁ।

Related Posts