ଆଡ଼ଭୋକେଟଙ୍କ କ୍ଲର୍କ ଆବେଦନକାରୀଙ୍କ ପାଇଁ ସତ୍ୟପାଠ ଫାଇଲ୍ କରିପାରିବେ ନାହିଁ : ଓଡିଶା ହାଇକୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ନ୍ୟାୟ ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ପାଇଁ ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, କୌଣସି ମାମଲା ସହ ଜଡିତ ମୂଳ ପକ୍ଷଭୁକ୍ତ ମାନଙ୍କର ବ୍ୟକ୍ତିଗତ ଆଫିଡେଭିଟ୍‌ର ମହତ୍ତ୍ବକୁ ଦୃଷ୍ଟିରେ ରଖି ଆଡଭୋକେଟଙ୍କ କିରାଣୀମାନଙ୍କ ଦ୍ବାରା ଆଫିଡେଭିଟ୍ ଦାଖଲ କରିବା ଗ୍ରହଣୀୟ ନୁହେଁ। ଏଭଳି ଅଭ୍ୟାସ ଓଡ଼ିଶା ହାଇକୋର୍ଟର ନିୟମ ୨୬ କୁ ଉଲ୍ଲଂଘନ କରୁଛି। ତେଣୁ ହାଇକୋର୍ଟ ରେଜିଷ୍ଟ୍ରିକୁ ନିର୍ଦ୍ଦେଶ ଦେଇଛନ୍ତି ଯେ କୋର୍ଟର ଅଧିକାର ଭିତରେ ଆସୁନଥିବା ଏହି ପ୍ରକ୍ରିୟାକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉ । ଜଷ୍ଟିସ୍ ଏସ.କେ ପାଣିଗ୍ରାହୀଙ୍କ ସିଙ୍ଗିଲ୍ ବେଞ୍ଚ୍ କହିଛନ୍ତି ଯେ, ଏକ ଅରିଜିନାଲ ପିଟିସନରେ ଥିବା ତଥ୍ୟ ସମ୍ପର୍କରେ କୌଣସି କ୍ଲର୍କଙ୍କର ବ୍ଯକ୍ତିଗତ ଜ୍ଞାନ କିମ୍ବା ବିଶ୍ବାସର କୌଣସି ମାଧ୍ୟମ ନଥିବାରୁ ତାଙ୍କୁ ଏକ ଆଫିଡେଭିଟ୍ ଦାଖଲ କରିବାକୁ ଅନୁମତି ଦେବାର ପ୍ରଶ୍ନ ଉଠି ନାହିଁ ବୋଲି ହାଇକୋର୍ଟ କହିଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଆଫିଡେଭିଟ୍ ହେଉଛି ସତ୍ୟର ଏକ ପ୍ରମାଣ। ଲିଖିତ ଆକାରରେ ଦିଆଯାଉଥିବା ଏକ ଇଚ୍ଛୁକ ଘୋଷଣା। ତେଣୁ, ଏକ ଆଫିଡେଭିଟ୍ ରେ ଥିବା ସମସ୍ତ ତଥ୍ୟ ଜମା କରାଯାଇଥିବା ବ୍ୟକ୍ତିର ସର୍ବୋତ୍ତମ ତଥ୍ୟ। ଏହାର ସତ୍ୟତା ଗ୍ରହଣ ଯୋଗ୍ଯ ହୋଇଥାଏ। କୋର୍ଟ ସ୍ପଷ୍ଟ କରିଛନ୍ତି, “ଏକ ଆଫିଡେଭିଟ୍ ହେଉଛି କୋର୍ଟରେ ପ୍ରମାଣ ଦାଖଲ କରିବାର ସବୁଠାରୁ ଗ୍ରହଣଯୋଗ୍ୟ ତଥ୍ୟ । କୋର୍ଟ ମାମଲା ସହ ଜଡିତ ପକ୍ଷ ନିଜର ପ୍ରମାଣ ଆଫିଡେଭିଟ୍ ମାଧ୍ୟମରେ ପ୍ରଦାନ କରନ୍ତି । ତେଣୁ ଆଫିଡେଭିଟ୍ ସର୍ବଦା ଏକ ନିର୍ଦ୍ଦିଷ୍ଟ ନିୟମ ଅନୁଯାୟୀ ହେବା ଉଚିତ୍। ଏହି ନିୟମଗୁଡିକର ଉଦ୍ଦେଶ୍ୟ ହେଉଛି, କୋର୍ଟରେ ଦାଖଲ ହେଉଥିବା ପ୍ରମାଣ ଭରଷା ଯୋଗ୍ୟ କି ନୁହେଁ ଆଫିଡେଭିଟ୍ ଆଧାରରେ ବିଚାର କରିବା। ଏହି କାରଣରୁ ଏକ ଆଫିଡେଭିଟ୍ ଦାଖଲ କରୁଥିବା ପକ୍ଷ ତାଙ୍କ ବ୍ୟକ୍ତିଗତ ଜ୍ଞାନ, ସୂଚନା କିମ୍ବା ବିଶ୍ୱାସରେ କେଉଁ ତଥ୍ୟର ସତ୍ୟତା ରହିଛି ତାହା ପ୍ରକାଶ କରିବା ଆବଶ୍ୟକ । ତେଣୁ ତଥ୍ୟର ଉତ୍ସ ଆଫିଡେଭିଟରେ ପ୍ରକାଶ କରାଯିବା ଆବଶ୍ୟକ ବୋଲି ହାଇକୋର୍ଟ କହିଛନ୍ତି । ଉଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ ଯେକୌଣସି ଆଫିଡେଭିଟ୍ ଯଦି କୋର୍ଟଙ୍କ ନିୟମାବଳୀର ଉଲଙ୍ଘନ କରୁଥାଏ ତାହା ଗ୍ରହଣୀୟ ନୁହେଁ।

Related Posts