ଫାଦର୍ଶ ଡେ ର କାହାଣୀ – ବନ୍ଧୁକାଧାରୀ ଗୁଳି ଚଳାଇବାକୁ ଯାଉଥିଲେ ଏତିକିବେଳେ ପାପା ଡାକି ପଶିଆସିଲା ୬ ବର୍ଷର ଝିଅ, ବଞ୍ଚିଗଲା ବାପାର ଜୀବନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :  ଆଜି ହେଉଛି ବିଶ୍ବ ପିତୃ ଦିବସ ଅର୍ଥାତ୍ ଫାଦର୍ଶ ଡେ। ଆଉ ପିତୃ ଦିବସ ଅବସରରେ ବାପାଙ୍କ ଜୀବନ ବଞ୍ଚାଇଥିବା ଛଅ ବର୍ଷର କୁନି ଝିଅକୁ ନେଇ ଏବେ ଚର୍ଚ୍ଚାର ଜୋର ଧରିଛି । ଘଟଣା ହେଉଛି ଏହି ଜୁନ୍ ମାସ ୯ ତାରିଖର। ଫରିଦାବାଦ ସ୍ଥିତ ସଞ୍ଜୟ କଲୋନୀରେ ଜଣେ ବ୍ୟକ୍ତି ଏକ ମନି ଟ୍ରାନ୍ସଫର ଦୋକାନ ଚଳାନ୍ତି। ସେହିଦିନ ୩ ଜଣ ଦୁର୍ବୃତ୍ତ ଉକ୍ତ ଦୋକାନ ଲୁଟିବା ସହିତ ଦୋକାନୀଙ୍କ ଉପରକୁ ଗୁଳି ଚଳାଇବା ପାଇଁ ଯୋଜନା କରିଥିଲେ। କିନ୍ତୁ ଦୁର୍ବୃତ୍ତ ମାନେ ଦୋକାନ ଭିତରକୁ ପ୍ରବେଶ କରିବା ମାତ୍ରେ ୬ ବର୍ଷର କୁନି ଝିଅଟି ବାପା ଡାକି ଦୋକାନ ଭିତରକୁ ପଶି ଆସିଥିଲା। କୁନି ଝିଅ ମୁହଁରୁ ବାପା ଡାକ ଶୁଣିବା ପରେ ଦୁର୍ବୃତ୍ତ ମାନେ ମନ ପରିବର୍ତ୍ତନ କରି ଦେଇଥିଲେ। ଗୁରୁବାର ଦିନ ଏହି ତିନି ଜଣ ଦୁର୍ବୃତ୍ତଙ୍କୁ ପୋଲିସ ଗିରଫ କରିଛି। ସୂଚନାନୁସାରେ, ଏହି ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣ ଫରିଦାବାଦର ବାସିନ୍ଦା ସୁମିତ ଏବଂ ମନୋହର ଏବଂ ଅନ୍ୟ ଜଣେ ହେଉଛନ୍ତି ରାଜସ୍ଥାନର ଅଜୟ ବୋଲି ଜଣାପଡିଛି।  ସେମାନଙ୍କ ଗ୍ୟାଙ୍ଗର ଅନ୍ୟ ଜଣେ ସଦସ୍ୟ ସୌରଭଙ୍କୁ ମଧ୍ୟ ଗୁରୁବାର ଦିନ ପୋଲିସ ଗିରଫ କରିଛି। ଏବଂ ସେମାନଙ୍କ ନିକଟରୁ ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ଚୋରି କରିଥିବା ଏକ ମୋଟରସାଇକେଲ ଜବତ କରିଛି।  ସେମାନଙ୍କର ବୟସ ପ୍ରାୟ 25 ରୁ 30 ବର୍ଷ ହେବ ବୋଲି ପୁଲିସ କହିଛି । ଫରିଦାବାଦ ପୋଲିସର PRO ସୁବେ ସିଂ କହିଛନ୍ତି ଯେ “ ପଚରାଉଚରା ସମୟରେ ଅଭିଯୁକ୍ତ ମାନେ ସ୍ବୀକାର କରିଛନ୍ତି ଯେ ସେମାନଙ୍କ ମଧ୍ୟରୁ ତିନିଜଣ ଜୁନ୍ ୯ ତାରିଖରେ ସଞ୍ଜୟ କଲୋନୀରେ ମନି ଟ୍ରାନ୍ସଫର ଦୋକାନ ଚଳାଉଥିବା ଜଣେ ବ୍ୟକ୍ତିଙ୍କଠାରୁ ନଗଦ ଟଙ୍କା ଲୁଟି ନେଇଥିଲେ । କିନ୍ତୁ ପ୍ରକୃତରେ ସେମାନଙ୍କର ଯୋଜନା ଥିଲା ଯେ ସେମାନେ ଦୋକାନୀଙ୍କ ଉପରକୁ ଗୁଳି ଚଳାଇଥାନ୍ତେ । କିନ୍ତୁ ସେମାନେ ଦୋକାନରେ ପ୍ରବେଶ କରିବା ସମୟରେ ୬ ବର୍ଷର କୁନି ଝିଅ ଟିଏ ବାପା ଡାକି ଦୋକାନ ଭିତରକୁ ପ୍ରବେଶ କରିଥିଲା । ଅଭିଯୁକ୍ତ ଦାବି କରିଛି ଯେ ପିଲାଟିକୁ ଦେଖିବା ପରେ ସେମାନେ ସେମାନଙ୍କର ମତ ବଦଳାଇଦେଇଥିଲେ । ” ପୋଲିସ୍ ଅଧିକାରୀ କହିଛନ୍ତି ଯେ ଏହି ଗ୍ୟାଙ୍ଗର ନେତା ହେଉଛନ୍ତି ସୁମିତ, ଯିଏ ଅପରାଧ କରିବା ପାଇଁ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା କରିଥିଲେ। ପୋଲିସ କହିଛି ଯେ , “ଅଭିଯୁକ୍ତଙ୍କୁ ଗୁରୁବାର ଦିନ ଫରିଦାବାଦର ବିଭିନ୍ନ ସ୍ଥାନରୁ ବେଆଇନ ଅସ୍ତ୍ରଶସ୍ତ୍ର ସହ ଗିରଫ କରାଯାଇଥିଲା ଏବଂ ସେମାନେ ଏହି ଲୁଟ୍ କରିଥିବା ନେଇ ସ୍ବୀକାର କରିଛନ୍ତି ।”  ସେମାନଙ୍କୁ କୋର୍ଟରେ ହାଜର କରାଯାଇଛି ଏବଂ ଅଧିକ ପଚରାଉଚରା ପାଇଁ ତିନି ଦିନିଆ ରିମାଣ୍ଡରେ ନିଆଯାଇଛି।  ଏହି ଘଟଣାରେ ଅଧିକ ଅନୁସନ୍ଧାନ କରାଯାଉଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। 

Related Posts