ଭାରତର ଆଇଟି ନିୟମ ଅନ୍ତର୍ଜାତୀୟ ମାନବାଧିକାର ସର୍ତ୍ତକୁ ଉଲଂଘନ କରୁଛି: ଜାତିସଂଘ କମିଟି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କେନ୍ଦ୍ର ସରକାର ମେ ୨୫ ତାରିଖରେ ଭାରତରେ ନୂଆ ଆଇଟି ନିୟମ ଲାଗୁ କରିଛନ୍ତି। କିନ୍ତୁ କେନ୍ଦ୍ର ସରକାରଙ୍କ ଏହି ନୂତନ ଆଇଟି ନିୟମକୁ ନେଇ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି। ଟ୍ବିଟର ଓ କେନ୍ଦ୍ର ସରକାର ନୂଆ ନିୟମକୁ ନେଇ ମୁହାଁମୁହିଁ ହୋଇଛନ୍ତି। ଏହା ମଧ୍ୟରେ ମିଳିତ ଜାତିସଂଘର ବିଶେଷଜ୍ଞମାନେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେମାନେ କହିଛନ୍ତି ଯେ ଭାରତର ନୂତନ ଆଇଟି ନିୟମ ଅନ୍ତର୍ଜାତୀୟ ମାନବିକ ଅଧିକାରର ମାପଦଣ୍ଡ ପୂରଣ କରୁନାହିଁ। ଜୁନ୍ ୧୧ ରେ କେନ୍ଦ୍ର ସରକାରଙ୍କୁ ଜାତିସଂଘର ତିନି ଜଣ ବିଶେଷଜ୍ଞ ଏକ ବାର୍ତ୍ତା ପଠାଇ ଏହି ନିୟମ ଉପରେ ଆପତ୍ତି ଉଠାଇଛନ୍ତି। ଏହି ନିୟମର କିଛି ଅଂଶ ଇଣ୍ଟରମିଡିଏଣ୍ଟଙ୍କୁ ଦେଇଥିବା ଶକ୍ତି ବିଭିନ୍ନ ମାନବାଧିକାର ନିୟମର ଉଲ୍ଲଘଂନ କରିପାରେ ବୋଲି ସେମାନେ କହିଛନ୍ତି। କେନ୍ଦ୍ର ସରକାରଙ୍କୁ ପଠାଯାଇଥିବା ଏହି ବାର୍ତ୍ତା ଟି ଜାତିସଂଘର ୱେବସାଇଟରେ ସର୍ବସାଧାରଣରେ ଉପଲବ୍ଧ ରହିଛି। ଏହି ଡକ୍ୟୁମେଣ୍ଟରେ ଜାତିସଂଘର ବିଶେଷଜ୍ଞ ଆଇରେନ୍ ଖାନ୍ ଜନମତ ଏବଂ ଅଭିବ୍ୟକ୍ତିର ସତନ୍ତ୍ରତାର ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି। କ୍ଲେମେଣ୍ଟ ନୟାଲେଟୋସି ଭୋଲେ ଶାନ୍ତିପୂର୍ଣ୍ଣ ସଭାର ଅଧିକାର ଓ ସତନ୍ତ୍ରତାକୁ ନେଇ ଆଲୋଚନା କରିଛନ୍ତି । ସେହିପରି ଜୋସେଫ୍ କାନନାଟାସି ଆସୋସିଏସନ୍, ଏବଂ ଗୋପନୀୟତା ଅଧିକାର ଉପରେ, ପ୍ରଶ୍ନ ଉଠାଇଛନ୍ତି । ଏଥିରେ ଜାତିସଂଘର ବିଶେଷଜ୍ଞମାନେ କହିଛନ୍ତି ଯେ “ ଜାତିବାଦ କିମ୍ବା ଜାତିଗତ ଆପତ୍ତିଜନକ ଟିପ୍ପଣୀ ”, “ଶିଶୁଙ୍କ ପାଇଁ କ୍ଷତିକାରକ”, “ ଅନ୍ୟ ଜଣେ ବ୍ୟକ୍ତିଙ୍କ ଛଦ୍ମନାମ ”, ଭାରତର ଏକତା ପ୍ରତି ବିପଦ ସୃଷ୍ଟି କରିବା, “ଫେକ୍ ନ୍ୟୁଜ୍ ”, “ ଜଣେ ବ୍ୟକ୍ତିଙ୍କୁ ହଇରାଣ କରିବା ଉଦ୍ଦେଶ୍ୟରେ ପୋଷ୍ଟ୍ ” ଇତ୍ଯାଦି ଏହି ନୂତନ ଆଇଟି ନିୟମର ତ୍ରୁଟି ବୋଲି ସେମାନେ ଦର୍ଶାଇଛନ୍ତି ।ଏହି ଚିଠିରେ କୁହାଯାଇଛି ଯେ ଭାରତର ନୂତନ ଆଇଟି ନିୟମ ଅନ୍ତର୍ଜାତୀୟ ମାନବାଧିକାର ଅଧିକାର ଚୁକ୍ତିନାମା ଆନ୍ତର୍ଜାତୀୟ ନାଗରିକ ଅଧିକାର ଏବଂ ରାଜନୈତିକ ଅଧିକାର (ଆଇସିସିପିଆର) ର ନିୟମକୁ ଉଲ୍ଲଂଘନ କରୁଛି। “ICCPR ର ଧାରା 19 (3) ଅନୁଯାୟୀ, ଅଭିବ୍ୟକ୍ତିର ସ୍ବତନ୍ତ୍ରତା ଉପରେ ପ୍ରତିବନ୍ଧକ ନିଶ୍ଚିତ ଭାବରେ ‘ଆଇନ ଦ୍ୱାରା ସ୍ପଷ୍ଟ ଭାବରେ ନିର୍ଦ୍ଧାରିତ’ କରାଯିବା ଆବଶ୍ୟକ। ଏତଦ୍ ବ୍ୟତୀତ ଅନ୍ୟମାନଙ୍କର ଅଧିକାରର ସମ୍ମାନ , ‘ଜାତୀୟ ସୁରକ୍ଷା , ଜନମତ କିମ୍ବା ଜନ ସ୍ବାସ୍ଥ୍ୟ ଏବଂ ନୈତିକତା ସମ୍ପର୍କରେ ମଧ୍ୟ ଚିଠିରେ ଦର୍ଶାଯାଇଛି । ଜାତିସଂଘର ବିଶେଷଜ୍ଞ ମାନେ କହିଛନ୍ତି ଯେ, ” ଉପଭୋକ୍ତାଙ୍କ କଣ୍ଟେଣ୍ଟ ଉପରେ ସୋସିଆଲ ମିଡ଼ିଆ କମ୍ପାନୀ ନଜର ରଖିବା ଏବଂ ନିଜ ଇଚ୍ଛା ମୁତାବକ ହଟାଇଦେବା ପାଇଁ ଅନୁମତି ଦିଆଯାଇଥିବାରୁ ଏହାକୁ ନେଇ ସେମାନେ ଚିନ୍ତିତ ବୋଲି କହିଛନ୍ତି। ଯାହା ଅଭିବ୍ୟକ୍ତିର ସ୍ବତନ୍ତ୍ରତା ଅଧିକାରକୁ କ୍ଷୁର୍ଣ୍ଣ କରିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି। ସେହିପରି ୟୁଜରଙ୍କ ଏନକ୍ରିପସନ୍ ଉପରେ ସରକାରଙ୍କ ଦଖଲକୁ ନେଇ ମଧ୍ୟ ସେମାନେ ଆପତ୍ତି ଉଠାଇଛନ୍ତି। ସୂଚନାଯୋଗ୍ୟ ହ୍ବାଟସଆପ୍ ଗତ ମାସରେ ନୂତନ ଆଇଟି ନିୟମ ଉପରେ ଭାରତ ସରକାରଙ୍କ ବିରୋଧରେ ମକଦ୍ଦମା ଦାୟର କରିଛି । ଯେଉଁଥିରେ ସେମାନେ ୟୁଜରଙ୍କ ଗୋପନୀୟତା ଅଧିକାରକୁ କ୍ଷୁର୍ଣ୍ଣ କରୁଥିବା ଅଭିଯୋଗ କରିଛନ୍ତି। ସାତ ପୃଷ୍ଠାର ଏହି ବାର୍ତ୍ତାରେ ଆଇଟି ନିୟମର ଅନ୍ୟାନ୍ୟ ଦିଗ ଉପରେ ମଧ୍ୟ ଜାତିସଂଘର ବିଶେଷଜ୍ଞ ମାନେ ଉଦବେଗ ପ୍ରକାଶ କରିବା ସହ ଭାରତ ସରକାରଙ୍କୁ ଏହାର ଉତ୍ତର ମାଗିଛନ୍ତି । ଏହି ଚିଠିର ଉତ୍ତରରେ ଭାରତ ସରକାର ଜାତିସଂଘକୁ କହିଛନ୍ତି ଯେ ଆଇଟି ନିୟମ “ସୋସିଆଲ ମିଡିଆର ସାଧାରଣ ୟୁଜରଙ୍କୁ ସଶକ୍ତ କରିବା ପାଇଁ ଅଣାଯାଇଛି।”

Related Posts