” ମୋ ସ୍କୁଲ ” ରେ ଆମ ଦୁର୍ନିତୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର :  ଦୁର୍ନୀତିକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ପାନପୋଷ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପୁଣି ଥରେ ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇ ପଡ଼ିଛି । ପିଡବ୍ଲ୍ୟୁଡି କୋଡ୍‌ ମୁତାବକ ୫ ଲକ୍ଷ ଟଙ୍କାରୁ ଅଧିକ ପ୍ରତ୍ୟେକଟି କାମ କରିବାକୁ ହେଲେ ଟେଣ୍ଡର ବାଧ୍ୟତାମୂଳକ । କିନ୍ତୁ ପାନପାଷ ଆଇଟିଡିଏ କ୍ଷେତ୍ରରେ ବହୁ ବ୍ୟତିକ୍ରମ ପରିଲକ୍ଷିତ ହେଉଛି। ଅଭିଯୋଗ ମୁତାବକ ଟେଣ୍ଡର ଏଡ଼ାଇବା ପାଇଁ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ଭିତିରିଆ ବୁଝାମଣା ହୋଇ କୋଟି କୋଟିର କାମକୁ ବିଭାଗୀୟ ନାଁରେ ଭାଗ ଭାଗ କରି ଠିକାଦାରମାନଙ୍କୁ ବାଣ୍ଟି ଦିଆଯାଉଛି । ମୋ ସ୍କୁଲ ଅଭିଯାନରେ ବଡ ଧରଣର ଅନିୟମିତତା ଦେଖାଦେଇଛି। 

କିଛି ଦିନ ତଳେ ‘ମୋ ସ୍କୁଲ ଅଭିଯାନ’ ରେ ୧୦ଟି ସ୍କୁଲର ଭିତ୍ତିଭୂମିର ବିକାଶ ପାଇଁ ୩ କୋଟି ୭୧ ଲକ୍ଷ ୮୦ ହଜାର ଟଙ୍କା ମଞ୍ଜୁର ହୋଇଛି। ଗୋଟିଏ ସ୍କୁଲ୍‌ ପିଛା ୩୦ଲକ୍ଷରୁ ଆରମ୍ଭ କରି ୫୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି। ତେବେ, ଆଇନକୁ ମତ୍ ଦେଇ କାମର ଖୋଲା-ଇ ଟେଣ୍ଡର କରାଯାଇ ନାହିଁ। ମୋ ସ୍କୁଲର ଡିପାର୍ଟମେଣ୍ଟାଲ କାମ ପାଇଁ ପ୍ରତ୍ୟେକ ସ୍କୁଲକୁ ୪ ଜଣ କରି ୧୦ଟି ସ୍କୁଲକୁ ପ୍ରାୟ ୪୦ ଠିକାଦାରଙ୍କୁ ବାଣ୍ଟି ଦିଆଯାଇଛି। 

ପ୍ରତ୍ୟେକ ବର୍ଷ ‌ସେବାଶ୍ରମ ବିଦ୍ୟାଳୟ , ଆବାସିକ ବିଦ୍ୟାଳୟ ଓ ଆଦିବାସୀ ହଷ୍ଟେଲର ମରାମତି ଏବଂ ଅନ୍ୟାନ୍ୟ କାମ ବାବଦକୁ କୋଟି କୋଟି ଟଙ୍କା ଆସୁଛି। କିନ୍ତୁ କୋଟି କୋଟି ଟଙ୍କା ଆସୁଥିଲେ ମଧ୍ୟ ‌ଟେଣ୍ଡର ନ କରି ଡିପାର୍ଟମେଣ୍ଟାଲ କାମ ପାଇଁ ଚିହ୍ନା ଜଣା ଠିକାଦାରମାନଙ୍କୁ ବାଣ୍ଟି ଦିଆଯାଉଛି। ବିଭାଗ ପକ୍ଷରୁ ଜାରି ୨୦୨୦ ରୁ ୨୦୨୧ ଜୁନ୍‌ ମାସ ପର୍ଯ୍ୟନ୍ତ କୁଆରମୁଣ୍ଡା, ଲାଠିକଟା, ନୂଆଗାଁ ଓ ବିଶ୍ରା ବ୍ଲକରେ ମରାମତି ଓ ଅନ୍ୟାନ୍ୟ ଖର୍ଚ୍ଚ ସମ୍ପର୍କିତ ତଥ୍ୟରୁ ଏହି ଦୁର୍ନୀତି ସାମ୍ନାକୁ ଆସିଛି। 

ତେବେ ସବୁ ବର୍ଷ ଏଭଳି ନିୟମ ଉଲ୍ଲଂଘନ କରୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦୁର୍ନୀତିର ଚେର ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ପର୍ଯ୍ୟନ୍ତ ଲମ୍ବିଛି। ଅଭିଯୋଗ ଅନୁଯାୟୀ ଦୁର୍ନୀତିରେ ସଂସ୍ଲିଷ୍ଟ ଯନ୍ତ୍ରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା ବେଆଇନ କାମ କରିବା ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । 

ପାନପୋଷ ଆଇଟିଡିଏରୁ ମିଳିଥିବା ତଥ୍ୟ ମୁତାବକ , ୨୦୨୦-୨୧ରେ ବିଭାଗକୁ ବିଭିନ୍ନ କାମ ବାବଦକୁ ମୋଟ୍‌ ୫ କୋଟି ୧୮ ଲକ୍ଷ ୪ ହଜାର ୫୦୦ ଟଙ୍କା ଖର୍ଚ୍ଚ ପାଇଁ ଆସିଛି। ଏହା ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ନନ୍‌-ପ୍ଲାନ୍‌ ପାଣ୍ଠିରୁ ୫୦ ଲକ୍ଷ, ଦ୍ବିତୀୟ ପର୍ଯ୍ୟାୟରେ ୩ କୋଟି ୯୮ ଲକ୍ଷ ୫ ହଜାର ୫୦୦ ଟଙ୍କା, ସାଂସଦ ପାଣ୍ଠିରୁ ପ୍ରାୟ ୭୦ ଲକ୍ଷ ରହିଛି। ୨୦୨୧ ଜୁନ୍‌ ସୁଦ୍ଧା ୪ କୋଟି ୧୦ ଲକ୍ଷ ୭ ହଜାର ଟଙ୍କା ଖର୍ଚ୍ଚ ହୋଇ ସାରିଛି। 

ମିଳିଥିବା ସୂଚନା ମୁତାବକ ମୋଟ୍‌ ୮୭ଟି କାମକୁ ଦୁଇ ଜଣ ଯନ୍ତ୍ରୀ ହିମାଂଶୁ ପଣ୍ଡା ଓ ଲାଲମୋହନ ହେମ୍ବ୍ରମ୍‌ଙ୍କ ନାଁରେ ବାଣ୍ଟି ଦିଆଯାଇଥିବା ଜଣାପଡିଛି। ପ୍ରଥମ ପର୍ଯ୍ୟାୟରେ କୁଆରମୁଣ୍ଡା, ବିଶ୍ରା, ନୂଆଗାଁ ଓ ଲାଠିକଟାରେ ୫୧ଟି କାମ ପାଇଁ ମୋଟ୍‌ ୨ କୋଟି ୫୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଟେଣ୍ଡର ଏଡାଇବାକୁ ପ୍ରତ୍ୟେକ କାମକୁ ୨ ଲକ୍ଷରୁ ଆରମ୍ଭ କରି ୫ ଲକ୍ଷ ଟଙ୍କା କରି ଠିକାଦାରମାନଙ୍କୁ ବାଣ୍ଟି ଦିଆଯାଇଛି।

ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କିଛି କିଛି କାମ ଶେଷ ହୋଇଥିବା ବେଳେ ଅନ୍ୟ କିଛି କାମ ଏବେ ବି ଜାରି ରହିଛି । କିନ୍ତୁ ବାସ୍ତବ ଚିତ୍ର ଆଉ କିଛି। ଅଧିକାଂଶ ଜାଗାରେ ଏବେବି କାମ ଆରମ୍ଭ ହୋଇ ନାହିଁ। ବିଶ୍ରା ଓ ଲାଠିକଟା ବ୍ଲକର ଆଦବାସୀ ସ୍କୁଲର ୧୮ଟି ନଳକୂପ ଖନନ ବାବଦରେ ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । 

ଅର୍ଥାତ୍‌ ଗୋଟିଏ ନଳକୂପ ବାବଦରେ ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଗୋଟିଏ ନଳକୂପ ବସାଇବା ପାଇଁ ଅଢ଼େଇ ଲକ୍ଷରୁ ସାଢ଼େ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଆଇଟିଡିଏ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି। ତେଣୁ ଏହା ପଛର କାରଣ କଣ ଏହା ତଦନ୍ତ ସାପେକ୍ଷ। ସେହିପରି ନୂଆଗାଁ, କୁଆରମୁଣ୍ଡା, ବିଶ୍ରା ଓ ଲାଠିକଟାର ସ୍କୁଲର ୨୯ଟି ଶୌଚାଳୟ ମରାମତି ପାଇଁ ୧ କୋଟି ୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ତେବେ ଏଥିରେ ମଧ୍ୟ ସମାନ ଫର୍ମୁଲା ଆପଣା ଯାଇଛି। ବିଭାଗୀୟ କାମ ପାଇଁ ପ୍ରତ୍ୟେକ କାମକୁ ୧ ଲକ୍ଷରୁ ଆରମ୍ଭ କରି ୫ ଲକ୍ଷରେ ଭାଗ ଭାଗ କରି ଠିକାଦାରମାନଙ୍କୁ ବାଣ୍ଟି ଦିଆଯାଇଛି। 

ତେବେ ଉଲ୍ଲେଖନୀୟ କଥା ହେଉଛି, ପ୍ରତିବର୍ଷ ମରାମତି ନାଁରେ କୋଟି କୋଟି ଟଙ୍କା ଆସୁଥିବା ବେଳେ ଏହି ରାଶି ବିନିଯୋଗ ହେଉ ନଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି। କିନ୍ତୁ ତାଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଯାଉ ନାହିଁ।

ପାନପୋଷ ଆଇଟିଡିଏରେ ବର୍ଷ ବର୍ଷ ଧରି ଚାଲି ଆସୁଥିବା ଏହି ଦୁର୍ନୀତିକୁ ଅତୀତରେ ବିରୋଧୀ ଦଳମାନେ ମଧ୍ୟ ବିରୋଧ କରିଆସିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ ଉଚ୍ଚ ଅଧିକାରୀଙ୍କ ଛତ୍ରଛାୟାରେ ରହିଥିବା ଆଇଟିଡିଏର ଏହି ବାବୁ ଓ ଯନ୍ତ୍ରୀମାନେ ଗୋଟିଏ ପରେ‌ ଗୋଟିଏ ନିୟମ ଭଙ୍ଗ କରି ଚାଲିଛନ୍ତି।

Related Posts