(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଏବେ ସେଠାରେ କେଉଁ ପ୍ରକାରର ସରକାର ଗଠନ ହେବ ତାକୁ ନେଇ ଏବେ ଚର୍ଚ୍ଚା ଧରୁଛି। ତାଲିବାନ ମଧ୍ୟ ଗତକାଲି ପୂର୍ବତନ ରାଷ୍ଟ୍ରପତି ହମିଦ କରଞ୍ଜାଇଙ୍କୁ ଭେଟିଛି। ତାଲିବାନ ଏବେ ରାଜନୈତିକ ପ୍ରକ୍ରିୟା ଆରମ୍ଭ କରିଛି। ଅପରପକ୍ଷରେ ଦେଶ ଛାଡି ପଳାଇଥିବା ଆଶରଫ ଘାନି ୟୁଏଇରେ ଆଶ୍ରୟ ନେଇଛନ୍ତି।
ତେବେ ଆଫଗାନିସ୍ତାନରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠା ହେବ ନାହିଁ ବୋଲି ତାଲିବାନ ଖୋଲା ଖୋଲି ଘୋଷଣା କରିଛି। କୁହାଯାଉଛି ଯେ କାଉନସିଲ ମେମ୍ବରଙ୍କୁ ନେଇ ନୂଆ ସରକାର ଗଠନ ହୋଇପାରେ। ତାଲିବାନ ଆଫଗାନିସ୍ତାନର ନେତା, ସେନା ଅଧିକାରୀଙ୍କ ସହ ଆଲୋଚନା ଜାରି ରଖିବ ଏବଂ ନୂତନ ସରକାରଙ୍କ ଢ଼ାଞ୍ଚାରେ କାର୍ଯ୍ୟ କରିବ। ଏନେଇ ସର୍ବୋଚ୍ଚ ତାଲିବାନ କମାଣ୍ଡର ୱାହିଦୁଲ୍ଲା ହାସିମୀ ଗଣମାଧ୍ୟମକୁ କହିଛନ୍ତି । ଏହା ସଙ୍ଗେ ସଙ୍ଗେ କାଉନସିଲ ଦ୍ୱାରା ବିଭିନ୍ନ ବିଭାଗର ମନ୍ତ୍ରୀ ଚୟନ ହେବେ।
ତାଲିବାନର ବରିଷ୍ଠ ନେତା ୱାହିଦୁଲ୍ଲା ହାସିମି କହିଛନ୍ତି ଯେ ସରକାରଙ୍କ ଗଠନ କ’ଣ ହେବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ କିନ୍ତୁ ଗଣତାନ୍ତ୍ରିକ ସରକାର ଗଠନ ହେବ ନାହିଁ। ସେ କହିଛନ୍ତି ଯେ ଆଫଗାନିସ୍ତାନରେ ଗଣତନ୍ତ୍ରର କୌଣସି ଆଧାର ନାହିଁ।
ସାମ୍ବାଦିକ ସମ୍ମିଳନୀରେ ତାଲିବାନ କହିଛି ଯେ ସେ ଆଫଗାନ ଲୋକଙ୍କ ସହ ନରମ ଆଭିମୁଖ୍ୟ ଗ୍ରହଣ କରିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ମହିଳାମାନେ ଅତ୍ୟାଚାରର ଶିକାର ହେବେ ନାହିଁ, ସେମାନଙ୍କୁ ଇସଲାମର ନିୟମ ମାନିବାକୁ ପଡ଼ିବ।
ଏପଟେ ଶରଣ ନେବା ପରେ ୟୁଏଇର ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ମାନବିକତା ଦୃଷ୍ଟିକୋଣରୁ ରାଷ୍ଟ୍ରପତି ଆସରଫ ଘନି ଏବଂ ତାଙ୍କ ପରିବାରକୁ ଶରଣ ଦିଆଯାଇଛି। ତେବେ ରକ୍ତପାତ ଏଡାଇବା ପାଇଁ ପଦ ଛାଡିଥିବା ନେଇ ପୁଣି ଦୋହରାଇଛନ୍ତି ଘନି।