(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଆଜି ଠାରୁ ଆରମ୍ଭ ହୋଇଛି ବିଜେପିର ଦେଶବ୍ୟାପୀ ଜନ ଆର୍ଶିବାଦ ଯାତ୍ରା । ଏନେଇ ଓଡିଶାରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ । ତେବେ କିଛି ସମୟ ପୂର୍ବରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏହା ପରେ ଉଭୟଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବିମାନବନ୍ଦରରେ ଭୁବନେଶ୍ବର ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ବହୁ ବିଜେପି ନେତା ଉପସ୍ଥିତ ଥିଲେ। ଭୁବନେଶ୍ୱରରେ ବିମାନବନ୍ଦରରେ ପହଞ୍ଚିବା ପରେ ଉଭୟ ପୁରୀ ଗସ୍ତରେ ଯାଇଛନ୍ତି । ପୁରୀ ଗସ୍ତ କାର୍ଯ୍ୟକ୍ରମରେ ରାସ୍ତାର ବିଭିନ୍ନ ସ୍ଥାନରେ ଉଭୟଙ୍କୁ ସମ୍ବର୍ଦ୍ଧିତ କରିବା କାର୍ଯ୍ୟକ୍ରମ ରହିଛି ।
ଏହା ସହ ପୁରୀ ଗସ୍ତରେ ଥିବା ଦୁଇ ମନ୍ତ୍ରୀଙ୍କର ବକୁଳ ବନ ପରିଦର୍ଶନରେ ଯିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରମନ୍ତ୍ରୀ ପୁରୀରୁ ଫେରି ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବେ । ମିଳିଥିବା ସୂଚନା ଅନୁସାରେ ଆଜିଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ଏଣେ ଆଜି ସଂଧ୍ୟାରେ ଟ୍ରେନ ଯୋଗେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାୟଗଡ଼ା ଗସ୍ତରେ ଯିବେ। ୨୦ ତାରିଖରେ କୋରାପୁଟରେ ରହଣୀ, ୨୧ ତାରିଖରେ ଜୟପୁର କାର୍ଯ୍ୟକ୍ରମ ସହ ନବରଙ୍ଗପୁର, କେସିଙ୍ଗା, ଟିଟିଲାଗଡ଼, କଣ୍ଟାବାଞ୍ଝି, ପାଟଣାଗଡ଼ ଦେଇ ବଲାଙ୍ଗିର ଯିବେ । ୨୨ ତାରିଖରେ ମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ କାର୍ଯ୍ୟକ୍ରମ ରହିଥିବାର ସୂଚନା ମିଳିଛି ।