ଚାକିରିରୁ ବାହାର କରାଯିବା ପରେ ୭ ଜଣ କର୍ମଚାରୀଙ୍କ ବିଷ ପିଇ ଗଣ ଆତ୍ମହତ୍ୟା ଉଦ୍ୟମ

ଭୋପାଳ: ମଧ୍ୟ ପ୍ରଦେଶର ବାଣିଜ୍ୟିକ ସହର ଇନ୍ଦୋରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଚାକିରିରୁ ବାହାର କରାଯିବା ପରେ ୭ ଜଣ କର୍ମଚାରୀ ବିଷ ପିଇ ଗଣ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସମସ୍ତ କର୍ମଚାରୀଙ୍କୁ ଏମବାୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସା ପରେ ସମସ୍ତେ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି, କିନ୍ତୁ ଚିକିତ୍ସାଧୀନ ଥିବାରୁ କର୍ମଚାରୀଙ୍କ ବୟାନ ରେକର୍ଡ ହୋଇ ପାରି ନାହିଁ । ଘଟଣା ପରେ କମ୍ପାନିର ଦୁଇ ମାଲିକ ଫେରାର ହୋଇଯାଇଥିବା ଜଣାପଡିଛି।

ସୂଚନା ଅନୁସାରେ, ଇନ୍ଦୋରର ପରଦେଶୀପୁରା ଥାନା ଅନ୍ତର୍ଗତ ଅଜମେରା ୱାୟର ପ୍ରଡକ୍ଟରେ କାମ କରୁଥିବା ଏହି କର୍ମଚାରୀଙ୍କୁ କାମ ନଥିବା କହି କମ୍ପାନି ଗତ କିଛି ମାସରୁ ଦରମା ଦେଇ ନଥିଲା । ଏହାପରେ ବୁଧବାର ହଠାତ କର୍ମଚାରୀଙ୍କୁ ଚାକିରିରୁ ବାହାର କରି ଦେଇଥିଲା। ରିପୋର୍ଟ ଅନୁସାରେ, ଗୁରୁବାର ସକାଳେ ସାତ ଜଣ କର୍ମଚାରୀ ଫ୍ୟାକ୍ଟ୍ରୀରେ ପହଞ୍ଚି ମାଲିକଙ୍କୁ ଭେଟିବା ପାଇଁ ଜିଦ୍ କରିଥିଲେ । କିନ୍ତୁ ମାଲିକ ଭେଟିବାକୁ ମନା କରିବାରୁ ସମସ୍ତେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

କର୍ମଚାରୀଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, କମ୍ପାନିର ମାଲିକ ନୂଆ କାରଖାନା ଖୋଲିଛନ୍ତି ଏବଂ ଏଠାରୁ ବାହାର କରାଯାଇଥିବା କର୍ମଚାରୀଙ୍କୁ ନୂଆ କମ୍ପାନିରେ କାମ ଦେବାକୁ କହିଥିଲେ, କିନ୍ତୁ ପରେ ଏପରି କରି ନଥିଲେ । ଶେଷରେ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିବା ସେମାନେ କହିଛନ୍ତି।

Related Posts