ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଅମରିନ୍ଦର ସିଂହ କହିଲେ – ‘ମୁଁ କଂଗ୍ରେସରେ ଅଛି, ସମର୍ଥକଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ନିଷ୍ପତ୍ତି’

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ପଞ୍ଜାବ କଂଗ୍ରେସରେ ଲାଗି ରହିଥିବା ବାଦ ବିବାଦ ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କ୍ୟାପଟେନ ଅମରିନ୍ଦର ସିଂ। ସେ ତାଙ୍କ ମନ୍ତ୍ରୀ ପରିଷଦ ସହ ଇସ୍ତଫା ଦେଇଛନ୍ତି। ଆଗକୁ ବିଧାନସଭା ନିର୍ବାଚନ ଆସୁଥିବା ବେଳେ କ୍ୟାପଟେନ୍ ଇସ୍ତଫା ଦେଇଛନ୍ତି। ରାଜ୍ୟପାଳ ବନୱାରୀ ଲାଲ ପୁରୋହିତଙ୍କୁ ଭେଟି ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଇସ୍ତଫା ଦେବା ପରେ ଦଳର ନେତୃତ୍ୱର ନିଷ୍ପତ୍ତିକୁ ନେଇ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଦଳୀୟ ନେତୃବୃନ୍ଦଙ୍କ ବ୍ଯବହାରକୁ ନେଇ ମୁଁ ନିଜକୁ ଅପମାନିତ ଅନୁଭବ କରୁଛି । ସେ କହିଛନ୍ତି ଯେ, ଗତ ଦୁଇ ମାସ ମଧ୍ୟରେ କେନ୍ଦ୍ରୀୟ ନେତୃତ୍ୱଙ୍କ ଦ୍ବାରା ତାଙ୍କୁ ତିନିଥର ଡକାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ମିଡିଆ ପରାମର୍ଶଦାତା ରେଭେନ୍ ଥୁକ୍ରାଲ କହିଛନ୍ତି ଯେ କ୍ୟାପଟେନ୍ ଅମରିନ୍ଦର ସିଂ ତାଙ୍କ ମନ୍ତ୍ରୀ ପରିଷଦ ସହିତ ଇସ୍ତଫା ଦେଇଛନ୍ତି। ଥୁକ୍ରାଲ ଏକ ଟୁଇଟ୍‌ରେ କହିଛନ୍ତି, ” ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ପଞ୍ଜାବ ରାଜ୍ୟପାଳଙ୍କୁ ଭେଟି ତାଙ୍କର ଏବଂ ତାଙ୍କ ମନ୍ତ୍ରୀ ପରିଷଦର ଇସ୍ତଫା ପତ୍ର ଦାଖଲ କରିଛନ୍ତି ।”

କ୍ୟାପଟେନ କହିଛନ୍ତି ଯେ, “‘ସକାଳେ କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟି ଇସ୍ତଫା ଦେବା କଥା କହିଥିଲି । ଗତ ଦୁଇ ରୁ ତିନି ମାସ ମଧ୍ୟରେ ସ୍ଥିତି ଏମିତି ହୋଇଯାଇଥିଲା ଯେ ଅଣନିଶ୍ବାସୀ ହୋଇଯାଇଥିଲି । ୨ମାସରେ ୩ ଥର ଦଳୀୟ ବୈଠକ କରାଯାଉଥିଲେ ସୁଦ୍ଧା ମୋତେ ଗୁରୁତ୍ବ ଦିଆଯାଉନଥିଲା । ଦଳରେ ଅଣଦେଖା କରାଯାଉଥିଲା । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି । ସେମାନେ ଯାହାକୁ ଚାହିଁବେ ମୁଖ୍ୟମନ୍ତ୍ରୀ କରିପାରିବେ । ୫୨ ବର୍ଷର ରାଜନୀତିରେ ଏଭଳି ପରିସ୍ଥିତି କେବେ ଆସିନଥିଲା । ମୋର ସାଥୀ ଶୁଭେଚ୍ଛୁ ଏବଂ ନେତାଙ୍କ ସହିତ ଆଲୋଚନା ପରେ ଯାହା ନିଷ୍ପତ୍ତି ନେବି । କିନ୍ତୁ ବର୍ତ୍ତମାନ କଂଗ୍ରେସ ଦଳରେ ହିଁ ଅଛି ।’ କେବଳ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି । ଦଳରେ ମୋର କିଛି ଭୁଲ ରହିଯାଇଥିଲା ଭାବୁଥିଲି । ସେଥିପାଇଁ ଦଳର ନେତାମାନେ ଅନେକ ଆଲୋଚନା ଏବଂ ପର୍ଯ୍ୟାଲୋଚନା କରୁଥିଲେ । ସେଥିପାଇଁ ମୁଁ ମୋ ପଦବୀରୁ ଇସ୍ତଫା ଦେଉଛି । ଦଳ ଯାହାକୁ ଚାହୁଁଛି ଏବଂ ଯିଏ ଭଲ କାମ କରିପାରିବ ବୋଲି ଦଳ ଭାବୁଛି ତାକୁ ମୁଖ୍ୟମନନ୍ତ୍ରୀ ପଦବୀରେ ବସାଉ ।’

1965 ଭାରତ-ପାକିସ୍ତାନ ଯୁଦ୍ଧରେ କ୍ୟାପଟେନ ଥିବା ଅମରିନ୍ଦର ସିଂ 2017 ରେ ବିଧାନସଭା ନିର୍ବାଚନରେ ​​ବହୁମତ ହାସଲ କରିବା ପରେ ପଞ୍ଜାବର 26 ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ସେ 2010 ରୁ 2013 ପର୍ଯ୍ୟନ୍ତ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ। 2015 ରେ ସେ ପୁନର୍ବାର ପଞ୍ଜାବ କଂଗ୍ରେସର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ।  କ୍ୟାପଟେନ୍ ନଭେମ୍ବର 23, 2016 ରେ ଲୋକସଭାରୁ ଇସ୍ତଫା ଦେଇ ପଞ୍ଜାବ ନିର୍ବାଚନରେ ​​ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରିଥିଲେ ଏବଂ ଦଳ ସଂଖ୍ୟାଗରିଷ୍ଠତା ସହ ରାଜ୍ୟରେ କ୍ଷମତାକୁ ଆସିଥିଲେ। 

Related Posts