ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କ୍ୟାପଟେନ ଅମରିନ୍ଦର ସିଂ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଗତ କିଛି ମାସ ଧରି ପଞ୍ଜାବ କଂଗ୍ରେସରେ ଚାଲିଥିବା ବିବାଦ ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କ୍ୟାପଟେନ ଅମରିନ୍ଦର ସିଂ । କ୍ୟାପଟେନ୍ ତାଙ୍କ ବାସଭବନରେ ବିଧାୟକଙ୍କ ସହ ଆଲୋଚନା କରିବା ପରେ ରାଜ ଭବନ ଯାଇ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେଇଛନ୍ତି । ପୂର୍ବରୁ ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଥିଲା । ସିଦ୍ଧୁଙ୍କ ସହ ବିବାଦ ଭିତରେ ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହାପୂର୍ବରୁ ତାଙ୍କ ପୁଅ ରଣନ୍ଦର ସିଂ ଟ୍ୱିଟରରେ ଲେଖିଛନ୍ତି ଯେ , ” ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦାଖଲ କରିବାବେଳେ ମୋ ପିତାଙ୍କୁ ରାଜ ଭବନରେ ସାଙ୍ଗରେ ନେଇ ମୁଁ ଗର୍ବିତ ଏବଂ ଆମ ପରିବାରର ମୁଖ୍ୟ ଭାବରେ ଏକ ନୂତନ ଆରମ୍ଭ କରିବାକୁ ଯାଉଛି। “

ଅମରିନ୍ଦରଙ୍କ ଇସ୍ତଫା ପରେ କିଏ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବ ତାହାକୁ ନେଇ ଚର୍ଚ୍ଚା ହେଉଛି । ଏପରିକି ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଥିବା ସିଦ୍ଧୁଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି ।ବହୁସଂଖ୍ୟକ ବିଧାୟକମାନଙ୍କ ଠାରୁ ଆବେଦନ ପାଇଥିବା ଦର୍ଶାଇ ଜରୁରୀ ବୈଠକ ଘୋ‌ଷଣା କରାଯାଉଛି ବୋଲି ଗତ ବିଳମ୍ବିତ ରାତ୍ରୀରେ କଂଗ୍ରେସ ଟୁଇଟ୍‌ କରିଥିଲା। 

ସୂଚନାଯୋଗ୍ୟ ଯେ, ଅନେକ ମାସ ହେଲାଣି ପଞ୍ଜାବ କଂଗ୍ରେସରେ କନ୍ଦଳ ଲାଗି ରହିଥିଲା। ସିଦ୍ଧୁ ଓ କ୍ୟାପଟେନ୍‌ଙ୍କ ମଧ୍ୟରେ କ୍ଷମତା ଯୁଦ୍ଧ ଲାଗି ରହିଥିଲା। କୁହାଯାଉଥିଲା ଯେ ସିଦ୍ଧୁ ପଞ୍ଜାବ କଂଗ୍ରେସର ସଭାପତି ହେବା ପରେ ସବୁ ଠିକ୍ ହୋଇଯିବ। କିନ୍ତୁ ସେମିତି କିଛି ହେଲା ନାହିଁ। ବରଂ କନ୍ଦଳ ଆହୁରି ବଢ଼ିଛି।

Related Posts