ନବ ଦାସଙ୍କ ହତ୍ୟା ପରେ ପୋଲିସ କର୍ମୀଙ୍କ ଫିଟନେସକୁ ଗୁରୁତ୍ୱ, କମିଶନରେଟ୍ ପୋଲିସ ପକ୍ଷରୁ ଜାରି ହେଲା ସ୍ୱତନ୍ତ୍ର ନିର୍ଦ୍ଦେଶନାମା

ଭୁବନେଶ୍ୱର,୧୫/୨(ସତ୍ୟପାଠ ବ୍ୟୁରୋ): ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଫିଟନେସ ନେଇ ତତ୍ପର ପୋଲିସ। ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ଦ୍ଦେଶନାମାରେ ଫିଟ୍ ରହିବାକୁ ପୋଲସକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ପୋଲିସ କର୍ମଚାରୀ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବା ପାଇଁ ନିୟମିତ ବାୟାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପିଆର, ଡିପିଓ, କମିସନରେଟ୍ ପୋଲିସ ମୁଖ୍ୟାଳୟ, ଟିମ୍ ୬୦, ଓଏସଏପି ମୋବିଲାଇଜଡ୍ ଫୋର୍ସ ପାଇଁ ଏହି ନିର୍ଦ୍ଦେଶନାମା ଆସିଛି ।

ଏଥିରେ କୁହାଯାଇଛି ପ୍ରତ୍ୟେକ ଆଇନ୍ ଶୃଙ୍ଖଳା ବିଭାଗ ପାଇଁ ଶାରୀରିକ ଓ ମାନସିକ ଭାବେ ଫିଟ୍ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜଣେ ପୋଲିସ କର୍ମଚାରୀ ନିକଟରେ ଶାରୀରିକ ଓ ମାନସିକ ସମସ୍ୟା ଦେଖାଦେବା ଆଶଙ୍କା ଅଧିକ ବୋଲି ଏଥିରେ କୁହାଯାଇଛି।

କମିଶନରେଟ୍ ପୋଲିସ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମରେ କୁହାଯାଇଛି ଯେ, ଡ୍ୟୁଟିରେ ସୁବିଧା ଅନୁସାରେ ସକାଳ ୬ଟା ଓ ସନ୍ଧ୍ୟା ୪ଟାରେ ନିଜ ନିଜ କ୍ୟାମ୍ପସରେ ବ୍ୟାୟାମ କରିବେ। ବାୟାମ ପୂର୍ବରୁ ପ୍ରତ୍ୟେକ ପୋଲିସ କର୍ମଚାରୀ ଉପସ୍ଥାନ ଦେବେ। ଏହି ଉପସ୍ଥାନ ମାସକୁ ୮୦%ରୁ ଯେପରି କମ୍ ନହେବ ସେଥିପ୍ରତି ଧ୍ୟାନ ଦେବେ। ପ୍ରତ୍ୟେକ ପୋଲିସ କର୍ମଚାରୀଙ୍କ ଓଜନକୁ ପ୍ରାଧାନ୍ୟ ଦିଆଯିବା ସହିତ ନିୟମିତ ତଦାରଖ କରାଯିବ। ଶାରୀରିକ ଉନ୍ନତିକୁ ପ୍ରତ୍ୟେକ ୪୦ ଦିନରେ ରେକର୍ଡ କରାଯିବ। ଡିଫଲ୍ଟଟର ଗୁଡିକ କ୍ରମାଗତ କୋଠରୀରେ ରଖାଯିବ। ଏଥିସହିତ ତମାଖୁ ଦ୍ରବ୍ୟ ଏବଂ ମଦ୍ୟପାନର ବ୍ୟବହାର ନକରିବାକୁ ପୋଲିସ କର୍ମୀମାନଙ୍କୁ ଚାପ ଦିଆଯିବା ସହିତ ୟୁନିଫର୍ମରେ ସ୍ମାର୍ଟ ଲୁକକୁ ଗୁରୁତ୍ୱ ଦିଆଯିବ ବୋଲି ଏହି ନିର୍ଦ୍ଦେଶନାମାରେ କୁହାଯାଇଛି।

Related Posts