ଆରମ୍ଭ ହେଲା ଚେରକଟା ଅଭିଯାନ, ଶ୍ରୀକାନ୍ତଙ୍କ ପରେ ଭକ୍ତ… !

ଶ୍ରୀକାନ୍ତ ଜେନାଙ୍କ ପରେ ଏବେ କଂଗ୍ରେସରେ ବରିଷ୍ଠ ନେତା ଭକ୍ତ ଦାସଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା । 2019 ନିର୍ବାଚନ ପାଇଁ ଟିକେଟ୍‌ ଦୌଡ଼ ଆରମ୍ଭ ହୋଇଯାଇଥିବାବେଳେ କଂଗ୍ରେସରୁ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ି ଚାଲିଛି । ୟା ଭିତରେ ବୁଧବାର କଳାହାଣ୍ଡି ଭବାନୀପାଟଣାରେ ରାହୁଲଙ୍କ ଜନସଭା ପରେ କଂଗ୍ରେସରେ ପୁଣି ଥରେ ଆରମ୍ଭ ହୋଇଛି ଚେର କଟା ଅଭିଯାନ ।

କଳାହାଣ୍ଡିର ପୂର୍ବତନ ସାଂସଦ ତଥା କଂଗ୍ରେସର ବରିଷ୍ଠ ନେତା ଭକ୍ତ ଦାସଙ୍କର ସ୍ଥିତି ଏବେ ଦୋହଲିବାରେ ଲାଗିଛି । ଦଳରେ ତାଙ୍କର ପତିଆରା କମ୍‌ କରିବା ତଥା ପକ୍ଷଚ୍ଛେଦନ ପାଇଁ ଯୋଜନା ଚାଲିଥିବା ଚର୍ଚ୍ଚା ହେଉଛି । ଭବାନୀପାଟଣା ଜନସଭାରେ ପୂର୍ବତନ କଂଗ୍ରେସ ସାଂସଦ ସୁବାସ ନାୟକଙ୍କୁ କଂଗ୍ରେସରେ ସାମିଲ୍‌ କରାଗଲା । ସୁବାସ 2009ରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବାବେଳେ ତାଙ୍କର ଘର ବାହୁଡ଼ା କଳାହାଣ୍ଡିରେ ଭକ୍ତଙ୍କ ପାଇଁ ସୃଷ୍ଟି କରିଛି ଅଡୁଆ । ସୁବାସ ଭକ୍ତଙ୍କର ପ୍ରତିଦ୍ବନ୍ଦ୍ବୀ । ତାଙ୍କର ଦିଲ୍ଲୀ କନେକ୍ସନ୍‌ ବି ଭଲ ରହିଛି ।

ଗୁରୁତ୍ବପୂର୍ଣ୍ଣ କଥା ହେଲା ସୁବାସଙ୍କୁ ଦଳରେ ମିଶାଇବା ପାଇଁ କଂଗ୍ରେସ ପର୍ଯ୍ୟବେକ୍ଷକ ଜିତେନ୍ଦ୍ର ସିଂ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ପିସିସି ସଭାପତି ତାଙ୍କ ଘରକୁ ଯାଇଥିଲେ । କିନ୍ତୁ ସେମାନଙ୍କ ସହ ଭକ୍ତ ନ ଥିଲେ । ଏଥିରୁ ସ୍ପଷ୍ଟ ଯେ ଭକ୍ତଙ୍କ ସହମତି ବିନା ସୁବାସଙ୍କୁ ଦଳରେ ମିଶାଯାଇଛି ।

ଅନ୍ୟପଟେ ନିରଞ୍ଜନଙ୍କ ସହ ଭକ୍ତଙ୍କର ସମ୍ପର୍କ ମଧୁର ନୁହେଁ ଏକଥା ସମସ୍ତଙ୍କୁ ଜଣା । କାରଣ ନିରଞ୍ଜନଙ୍କ ସହ ପିସିସି ସଭାପତି ଦୌଡ଼ରେ ଭକ୍ତ ଦାସ ହିଁ ଥିଲେ । ସେତେବେଳେ ଚିରଞ୍ଜିବୀ ବିଶ୍ବାଳ ଓ ନବ ଦାସଙ୍କ ନାଁକୁ ନେଇ କଥା ଉଠିଥିଲେ ବି ଉଭୟ ନେତା ଏ ଦୌଡ଼ରେ ନ ଥିବା ସ୍ପଷ୍ଟ କରିଥିଲେ ।

ଏ ସବୁ ଭିତରେ ନିଜ ଓ ନିଜ ପୁଅଙ୍କ ପାଇଁ ଦୁଇଟି ଦଳୀୟ ଟିକେଟ୍‌ ଆଶାରେ ଥିବା ଭକ୍ତଙ୍କୁ ଗୋଟିଏ ବି ଟିକେଟ୍‌ ମିଳିବା ନେଇ ରହିଛି ସନ୍ଦେହ । ପୁଣି ଦଳରେ ତାଙ୍କର ସ୍ଥିତି କ’ଣ ହେବ ତାକୁ ନେଇ ମଧ୍ୟ ସୃଷ୍ଟି ହୋଇଛି ଆଶଙ୍କା ।

Related Posts