ନିର୍ବାଚନ ପୁର୍ବରୁ ଗୁଜରାଟ ସରକାରଙ୍କ ବଡ଼ ନିଷ୍ପତି; ରାଜ୍ୟରେ ୟୁନିଫର୍ମ ସିଭିଲ କୋଡ ପାଇଁ ଗଠନ ହେବ କମିଟି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଧାନସଭା ନିର୍ବାଚନ ପୁର୍ବରୁ ଗୁଜରାଟ ସରକାର ବଡ଼ ନିଷ୍ପତି ନେଇଛନ୍ତି। ସରକାର ‘ୟୁନିଫର୍ମ ସିଭିଲ କୋଡ’କୁ ରାଜ୍ୟରେ ଲାଗୁ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଗୁଜରାଟ ସରକାର ୟୁନିଫର୍ମ ସିଭିଲ କୋଡ ନିୟମ ଉପରେ ନିଷ୍ପତି ନେବା ପାଇଁ ଏକ କମିଟି ଗଠନ କରିଛନ୍ତି। ଏନେଇ ଆଜି ରାଜ୍ୟ ଗୃହମନ୍ତ୍ରୀ ହର୍ସ ସଙ୍ଘବି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଗୁଜରାଟ ମନ୍ତ୍ରୀମଣ୍ଡଳ ସମାନ ନାଗରିକ ସଂହିତା ଲାଗୁ କରିବା ଉଦେଶ୍ୟରେ କମିଟି ଗଠନ କରିବାକୁ ନିଷ୍ପତିି ଅନୁମତି ପ୍ରଦାନ କରିଛନ୍ତି । ଆଜି ବସିଥିବା କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ୍ ଏହି ପ୍ରସ୍ତାବ ରଖିଥିଲେ । ଗଠନ ହେବାକୁ ଥିବା ଏହି କମିଟିରେ ହାଇକୋର୍ଟ ଜଷ୍ଟିସ୍ ଅଧ୍ୟକ୍ଷ ରହିବେ ବୋଲି ସେ ସୂଚନା ଦେଇଛନ୍ତି ।

ତେବେ ଆଜି ରାଜ୍ୟ କ୍ୟାବିନେଟ ବୈଠକ ବସିବା ପୂର୍ବରୁ ସରକାର ରାଜ୍ୟରେ ୟୁନିଫର୍ମ ସିଭିଲ କୋଡ୍ ଲାଗୁ ହେବା ନେଇ ସମ୍ଭାବନା ଥିବା କହିଥିଲେ । ତେବେ ଆଗାମୀ ଗୁଜୁରାଟ ନିର୍ବାଚନ ପୂର୍ବରୁ ଏହା ରାଜ୍ୟ ସରକାରଙ୍କ ଏକ ବଡ ନିଷ୍ପତ୍ତି ବୋଲି କୁହାଯାଉଛି।

ୟୁନିଫର୍ମ ସିଭିଲ କୋଡ କ’ଣ ?

ୟୁନିଫର୍ମ ସିଭିଲ କୋଡ ବା ସମାନ ନାଗରିକ ସଂହିତା ଅନୁଯାୟୀ, ଆଇନ ଦୃଷ୍ଟିରେ ସମସ୍ତେ ସମାନ। ଜାତି, ଧର୍ମ, ମହିଳା ଏବଂ ପୁରୁଷ ସମସ୍ତଙ୍କ ପାଇଁ ଗୋଟିଏ ସାଧାରଣ ନିୟମ ରହିବ। ୟୁସିସିର ଅର୍ଥ ହେଉଛି ବିବାହ, ଛାଡପତ୍ର, ସନ୍ତାନ ଗ୍ରହଣ ଏବଂ ସମ୍ପତ୍ତି ବିଭାଜନ କ୍ଷେତ୍ରରେ ସମସ୍ତ ନାଗରିକଙ୍କ ପାଇଁ ସମାନ ନିୟମ ରହିବ। ଦେଶରେ ରହୁଥିବା ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ ନିୟମ ରହିବ। ଧର୍ମ, ଜାତି ନିର୍ବିଶେଷରେ ସେହି ବ୍ୟକ୍ତି ସମ୍ପୃକ୍ତ ଅଟନ୍ତି, ଯେଉଁ ରାଜ୍ୟରେ ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ଲାଗୁ ହେବ। ଏହା ଅଧୀନରେ ବିବାହ, ଛାଡପତ୍ର ଏବଂ ସମ୍ପତ୍ତି ବଣ୍ଟନ କ୍ଷେତ୍ରରେ ସମସ୍ତ ଧର୍ମ ପାଇଁ ସମାନ ଆଇନ ପ୍ରଯୁଜ୍ୟ ହେବ।

Related Posts