ବଢୁଛି ବାୟୁ ପ୍ରଦୂଷଣର ମାତ୍ରା; ପ୍ରଦୂଷଣ ବଳୟରେ ଦେଶର ୧୩୨ ସହର, ତାଲିକାରେ ଭୁବନେଶ୍ୱର ସମେତ ରାଜ୍ୟର ୭ ସହର ସାମିଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶ ତଥା ଆମ ରାଜ୍ୟ ଓଡ଼ିଶାରେ ବାୟୁ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢିବାର ଲାଗିଛି । ଫଳରେ ଦେଶର ରାଜଧାନୀ ଦିଲ୍ଲୀର ସ୍ଥିତି ବର୍ତ୍ତମାନ ଗମ୍ଭିର ରହିଛି । ତେବେ କେବଳ ଦିଲ୍ଲୀ ନୁହେଁ ବରଂ ଦେଶର ୧୩୨ଟି ସହର ପ୍ରଦୂଷିତ ବାୟୁ କବଳରେ ରହିଛି , ଯେଉଁଥିରେ ଓଡିଶା ମଧ୍ୟ ସାମିଲ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ୭ଟି ସହରରେ ବର୍ତ୍ତମାନ ବାୟୁର ମାନ ଖରାପ ସ୍ଥିତିରେ ରହିଛି ।ଯାହା ସେହି ସହରବାସୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି । ତେବେ ଓଡିଶାର ଭୁବନେଶ୍ୱର, କଟକ, ଅନୁଗୋଳ, ତାଳଚେର, ବାଲେଶ୍ୱର, ରାଉରକେଲା ଏବଂ କଳିଙ୍ଗନଗର ଆଦି ସହରରେ ବାୟୁର ମାନ ଖରାପ ହୋଇ ପଡିଛି । ରାଜଧାନୀ ଭୁବନେଶ୍ୱରରେ ବାୟୁର ମାନ ବର୍ତ୍ତମାନ ୧୫୩ ରହିଥିବା ବେଳେ କଳିଙ୍ଗନଗରରେ ଏହା ୧୨୦ ରହିଛି, ଯାହାକି ୧୦୦ ଭିତରେ ରହିବା ଆବଶ୍ୟକ।

ତେବେ ଏହି ବାୟୁ ପ୍ରଦୂଷଣ ଏବଂ ସହରାଞ୍ଚଳ ପରିବେଶକୁ ନେଇ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ ଉଦବେଗ ପ୍ରକାଶ କରୁଥିଲେ ମଧ୍ୟ ଏଥିପ୍ରତି ଧ୍ୟାନ ଦିଆଯାଉନାହିଁ । ଫଳରେ ଦିନକୁ ଦିନ ଦେଶ ଏବଂ ରାଜ୍ୟର ଗୋଟିଏ ପରେ ଗୋଟିଏ ସହର ପ୍ରଦୂଷଣ ବଳୟ ଭିତରକୁ ଠେଲି ହୋଇଯାଉଛି । ବିଶେଷଜ୍ଞମାନଙ୍କ ମତରେ ବାୟୁରେ ସାଧାରଣତଃ ୧୦ ମାଇକ୍ରୋନରୁ କମ୍ ଧୂଳିକଣା ଓ ପ୍ରଦୂଷିତ ଦ୍ରବ୍ୟ ରହିବା ଆବଶ୍ୟକ । କିନ୍ତୁ ସହରାଞ୍ଚଳରେ ଏହାର ପରିମାଣ ଯଥେଷ୍ଟ ଅଧିକ ରହୁଛି । ଯାହାକି ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ ।

ସୂଚନା ଅନୁଯାୟୀ ,ଭୁବନେଶ୍ୱରର ବାୟୁ ପ୍ରଦୂଷଣର ହାର ସ୍ୱାଭାବିକ୍ ଠାରୁ ୩୬ ପ୍ରତିଶତ ଅଧିକ ରହିଥିବା ବେଳେ ଅନୁଗୋଳରେ ଏହା ୨୮ ପ୍ରତିଶତ ଅଧିକ ରହିଛି । ସେହିପରି କଟକରେ ୨୭ ପ୍ରତିଶତ ରାଉରକେଲାରେ ୪୧ ଏବଂ ତାଳଚେରରେ ୪୫ ପ୍ରତିଶତ ଉପରେ ରହିଛି, ବାୟୂ ପ୍ରଦୂଷଣ ହାର । ଯାହାଫଳରେ ଏହି ସହରରେ ବସବାସ କରୁଥିବା ଲୋକମାନଙ୍କର ଶ୍ୱାସ ଜନିତ ସମସ୍ୟା ଦେଖାଦେବା ସହ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଦେଇପାରେ ବୋଲି କୁହାଯାଉଛି ।

Related Posts