
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅହମଦାବାଦରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ‘ଆକାଶ ଏୟାର୍’ର ଏକ ବିମାନ ଆଜି ସକାଳେ ଉଡ଼ାଣ ଆରମ୍ଭ କରି ନିର୍ଦ୍ଧାରିତ ଉଚ୍ଚତାରେ ପହଞ୍ଚିବା ପରେ ଏକ ପକ୍ଷୀ ସଙ୍ଗେ ଧକ୍କା ହୋଇଥିଲା। ଏନେଇ ‘ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍’ (ଡିଜିସିଏ) ସୂଚନା ଦେଇଛି।
ସୂଚନା ଅନୁସାରେ, ବୋଇଙ୍ଗ୍ ୭୩୭ ମ୍ୟାକ୍ସ୍ ୮ ବିମାନଟି ୧୯୦୦ ଫୁଟ୍ ଉଚ୍ଚରେ ଉଡୁଥିବା ବେଳେ ଏକ ପକ୍ଷୀ ସହ ଧକ୍କା ହୋଇଥିଲା। ଏହା ଫଳରେ ବିମାନର ‘ରେଡମ୍’ ବା ସାଧାରଣ ଭାଷାରେ ବିମାନର ଅଗ୍ରଭାଗ କୁହାଯାଉଥିବା ଅଂଶଟି ଚେପା ହୋଇ ନଷ୍ଟ ହୋଇଯାଇଛି। ଏ ସଂକ୍ରାନ୍ତରେ ଦେଇଥିବା ବିବୃତିରେ ଡିଜିସିଏ କହିଛି ଯେ, ଅହମଦାବାଦ-ଦିଲ୍ଲୀ ମଧ୍ୟରେ ଚଳାଚଳ କରୁଥିବା ବିମାନ (କ୍ୟୁପି-୧୩୩୩) ଆକାଶ ବି-୭୩୭-୮ (ମ୍ୟାକ୍ସ ବିମାନ) ଭିଟି-ୱାଇଏଏଫ୍’ ୧୯୦୦ ଫୁଟ୍ ଉଚ୍ଚରେ ଆଜି କ୍ଲାଇମ୍-ଆଉଟ୍ ପରେ ଏକ ପକ୍ଷୀ ସହ ଧକ୍କା ଖାଇଛି।
ଦିଲ୍ଲୀରେ ଅବତରଣ କରିବା ପରେ ବିମାନଟିର ‘ରେଡମ୍’ ନଷ୍ଟ ହୋଇଥିବା କଥା ଜଣାପଡ଼ିଛି। ବୈଷୟିକ ଅସୁବିଧା ହୋଇଥିବା ଦର୍ଶାଇ ଦିଲ୍ଲୀରୁ ଉକ୍ତ ବିମାନଟିର ଉଡ଼ାଣ ବନ୍ଦ କରାଯାଇଥିବା କଥା ଆକାଶ ଏୟାର୍ଲାଇନ୍ର ଜଣେ ମୁଖପାତ୍ର ସୂଚନା ଦେଇଛନ୍ତି।