ଆସାମରେ ଟିଏମସିର ନେତୃତ୍ୱ ନେଇପାରନ୍ତି ଅଖିଳ ଗୋଗୋଇ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବା ପରେ ଜୋର ଧରିଲା ଚର୍ଚ୍ଚା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ଐତିହାସିକ ବିଜୟ ପରେ ଦଳ ଏବେ ଅନ୍ୟ ରାଜ୍ୟ ଗୁଡ଼ିକରେ ଦଳର ବିସ୍ତାର କରିବା ପାଇଁ ଯୋଜନା ଆରମ୍ଭ କରିଛି। ତ୍ରିପୁରା ପରେ ଏବେ ଆସାମରେ ଦଳ ନିଜର ରାଜନୈତିକ ବିସ୍ତାର ପାଇଁ ପ୍ରୟାସ ଆରମ୍ଭ କରି ଦେଇଛି। ଆସାମରେ ଦଳର ନେତୃତ୍ୱ ନେବାକୁ ଟିଏମସି ଆସାମର ବିଧାୟକ ଅଖିଳ ଗୋଗୋଇଙ୍କୁ ଅଫର ଦେଇଛି।

ସୂଚନା ମୁତାବକ ଆସାମର ଶିବସାଗର ନିର୍ବାଚନ ମଣ୍ଡଳୀରୁ ବିଧାୟକ ତଥା କୃଷକ ମୁକ୍ତି ସଂଗ୍ରାମ ସମିତି (କେଏମଏସଏସ) ନେତା ଅଖିଳ ଗୋଗୋଇ ଶନିବାର ଦିନ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି। ଏହି କଥିତ ସାକ୍ଷାତକାର ସମୟରେ ଆସାମରେ ଦଳର ନେତୃତ୍ୱ ନେବାକୁ ଅଖିଳ ଗୋଗୋଇଙ୍କୁ ଅଫର ଦିଆଯାଇଥିବା ଜଣାପଡିଛି।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଅଖିଳ ଗୋଗୋଇ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହାଁନ୍ତି। କିନ୍ତୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ଦେଖିବା ପାଇଁ ସେ ଇଚ୍ଛା ପ୍ରକାଶ କରିଛନ୍ତି। ସେ ମମତା ବାନାର୍ଜୀଙ୍କୁ ତାଙ୍କର ସମ୍ମାନ ଜଣାଇଛନ୍ତି। ତାଙ୍କୁ “ଫାସିଷ୍ଟ ଆରଏସଏସ-ବିଜେପି ବିରୋଧରେ ସବୁଠାରୁ ବଡ ଚେହେରା” ବୋଲି କହିଛନ୍ତି ।

ଅଖିଳ ଗୋଗୋଇ ହେଉଛନ୍ତି ଜଣେ କୃଷି କାର୍ଯ୍ୟକର୍ତ୍ତା ତଥା ନବ ଗଠିତ ରାଇଜର ଦଳର ସଭାପତି। ସେ ଚଳିତ ଆସାମ ବିଧାନସଭା ନିର୍ବାଚନରେ ଶିବସାଗର ନିର୍ବାଚନମଣ୍ଡଳୀରୁ ​​ଜିତିଥିଲେ। ଆସାମରେ CAA ବିରୋଧୀ ଆନ୍ଦୋଳନରେ ନେତୃତ୍ୱ ନେଇଥିବା ଅଖିଲ ଗୋଗୋଇଙ୍କୁ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଦ୍ୱାରା ୨୦୧୯ ରେ ଗିରଫ କରାଯାଇଥିଲା।

UAPA ଆଇନ ବଳରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ପ୍ରାୟ ଦେଢ ବର୍ଷ କାଳ ସେ ଜେଲରେ ବିତାଇଥିଲେ। ଗତ ମାସରେ ସ୍ୱତନ୍ତ୍ର ଏନଆଇଏ କୋର୍ଟ ତାଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରିଥିଲେ। ଗତ ସପ୍ତାହରେ ଅଖିଳ ଗୋଗୋଇ ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଭେଟିଥିଲେ।

Related Posts