ଅର୍ଜୁନଗୋଦାରେ ମହିଳା କଂଗ୍ରେସର କେନ୍ଦ୍ରୀୟ ଟିମ୍, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ

ପିପିଲି- ପିପିଲି ଅର୍ଜୁନଗୋଦା ସ୍ଥିତ ମୃତା ବେବିନାର ପରିବାରକୁ ଭେଟିଛନ୍ତି ମହିଳା କଂଗ୍ରେସର କେନ୍ଦ୍ରୀୟ ପ୍ରତିନିଧୀଦଳ । ଜାତୀୟ ମହିଳା କଂଗ୍ରେସର ସଭାନେତ୍ରୀ ସୁଶ୍ମୀତା ଦେବଙ୍କ ନେତୃତ୍ୱରେ ଆସିଥିବା ଏହି ଟିମରେ ରାଜ୍ୟ ମହିଳା କଂଗ୍ରେସ ସଭାନେତୀ ସୁମିତ୍ରା ଜେନା, ପୂର୍ବତନ ସଭାନେତ୍ରୀ ଶସ୍ମୀତା ବେହେରା, ବିଜୟଲକ୍ଷ୍ମୀ ସାହୁ, ଉପସଭାନେତ୍ରୀ ମିଲି ପଣ୍ଡା, ସାଧାରଣ ସଂପାଦିକା ସୁଜାତା ଜେନା ଓ ପୁରୀ ଜିଲ୍ଳା ମହିଳା କଂଗ୍ରେସ ସଭାନେତ୍ରୀ ନିରୁପମା ପାତ୍ର ପ୍ରମୁଖ ସାମିଲ ହୋଇଥିଲେ ।

ଆଜି ଅପରାହ୍ନରେ ଏହି କେନ୍ଦ୍ରୀୟ ଟିମ୍ ମୃତା ପିଡିତା ବେବିନାଙ୍କ ଘରକୁ ଆସି ବେବିନାର ମା’ ଓ ଭାଇଙ୍କ ସହ ଆଲୋଚନା କରିଥିଲେ । ସବୁ ପରିସ୍ଥିତିରେ ମହିଳା କଂଗ୍ରେସ ପିଡୀତାଙ୍କ ପରିବାର ସହ ରହିଥିବା କହି ପରିବାରକୁ ସମବେଦନା ଓ ଆଶ୍ୱାସନା ଦେଇଛି କେନ୍ଦ୍ରୀୟ ଟିମ୍ । ଏହାସହ ଆସନ୍ତା କାଲି ଏହି ଟିମ୍ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେବ ବୋଲି ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ସୁଶ୍ମୀତା ଦେବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଏହି ଘଟଣାରେ ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବି ଟାର୍ଗେଟ କରିଛି ମହିଳା କଂଗ୍ରେସ । ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବୀ କରିଛି କଂଗ୍ରେସ ।

Related Posts