ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସମସ୍ତ ସଦସ୍ୟ ପଦ ଖାଲି: ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ, ଜବାବ ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୭/୨(ସତ୍ୟପାଠ ବ୍ୟୁରୋ): ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସମସ୍ତ ୬ଟି ପଦବି ଖାଲି ପଡ଼ିଛି। ଏହାକୁ ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିଭିନ୍ନ ଆୟୋଗ ଗଠନ କରାଯାଇଥିବା ବେଳେ କାହିଁକି ସଦସ୍ୟ ପଦ ଖାଲି ପଡୁଛି ବୋଲି ଗୁରୁବାର ଶୁଣାଣି ସମୟରେ ହାଇକୋର୍ଟ ପ୍ରଶ୍ନ କରିଥିଲେ। ବୈଧାନିକ ସଂସ୍ଥା ଗୁଡିକରେ ସଦସ୍ୟ ପଦ ଖାଲି ରଖାଯିବାରେ କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ।ଏହାଫଳରେ ଯେଉଁ ଉଦ୍ଦେଶ୍ୟ ନେଇ ଏହା ଗଠନ କରାଯାଇଥିଲା ତାହା ବିଫଳ ହେଉଛି ବୋଲି ହାଇକୋର୍ଟ କହିବା ସହିତ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ଖାଲି ପଡ଼ିଥିବା ପଦବି ପୂରଣ ପ୍ରସଙ୍ଗରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେବାସହିତ ମାର୍ଚ୍ଚ ୯କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ସୂଚନାଯୋଗ୍ୟ ଯେ, ମାନବିକ ଅଧିକାର କର୍ମୀ ପ୍ରବୀର ଦାସଙ୍କ ପକ୍ଷରୁ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗରେ ଖାଲି ପଡିଥିବା ପଦବୀ ପୂରଣ ନେଇ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ପିଟିସନରେ ଆବେଦନକାରୀ ଦର୍ଶାଇଛନ୍ତି ଯେ, ୨୦୧୦ ସେପ୍ଟେମ୍ବର ୩୦ରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଗଠନ କରାଯାଇଥିଲା। ଜଣେ ଅଧ୍ୟକ୍ଷ ଓ ୬ଜଣ ସଦସ୍ୟ ଏହି ଆୟୋଗରେ ରହିବେ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା। କିନ୍ତୁ ବର୍ତ୍ତମାନ କେବଳ ଅଧ୍ୟକ୍ଷାଙ୍କୁ ନେଇ ଆୟୋଗ ଚାଲିଛି। ୨୦୨୨ ଅକ୍ଟୋବର ୧୪ରେ ନୂଆ ଅଧ୍ୟକ୍ଷା ଯୋଗ ଦେଇଥିଲେ। ଅନ୍ୟପକ୍ଷରେ ୨୦୨୦ ମେ ୧୯ରୁ ୪ଟି, ୨୦୨୧ ଜାନୁଆରୀ ୧୦ରୁ ଗୋଟିଏ ଓ ୨୦୨୨ ‌ଅଗଷ୍ଟ ୨୫ରୁ ଗୋଟିଏ ସଦସ୍ୟ ପଦ ଖାଲି ପଡିଛି। ଏଭଳି ଭାବେ ଆୟୋଗର ସମସ୍ତ ୬ଟି ସଦସ୍ୟ ପଦ ଖାଲି ପଡିଛି। ଆୟୋଗର କୌଣସି ସଦସ୍ୟ ପଦ ଖାଲି ହେବାର ୧୮୦ ଦିନ ମଧ୍ୟରେ ଏହା ପୂରଣ ହେବା କଥା। ହେଲେ ବର୍ତ୍ତମାନ ସମସ୍ତ ସଦସ୍ୟ ପଦ ଖାଲି ପଡିଥିବାରୁ ଆୟୋଗ ଏକ ପ୍ରକାର ଅଚଳ ହୋଇ ପଡିଛି ବୋଲି ଆବେଦନରେ ଦର୍ଶାଯାଇଛି।ମାମଲାରେ ରାଜ୍ୟ ମୁଖ୍ୟ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ, ଆୟୋଗ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସେହିପରି ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗରେ କୋରମ ପାଇଁ ଅତି କମରେ ୪ ଜଣ ସଦସ୍ୟ ରହିବା କଥା। ଏବେ କେବଳ ଜଣେ ଅଧ୍ୟକ୍ଷା ରହିଥିବାରୁ କୋରମ ହୋଇ ପାରୁ ନାହିଁ। ଫଳରେ ଗତ ଡିସେମ୍ବର ୩୧ ସୁଦ୍ଧା ୨୩୦୦ ମାମଲା ଶୁଣାଣି ପାଇଁ ପଡି ରହିଛି। ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଏହି ସବୁ ପଦବୀ ପୂରଣ କରିବା କଥା। ତେବେ ଏହି ସବୁ ପଦବୀ ପୂରଣ ହେଉ ନଥିବାରୁ ଏଭଳି ଆଇନର ଉଦ୍ଦେଶ୍ୟ ଫଳପ୍ରଦ ହେଉ ନ ଥିବା ହାଇକୋର୍ଟ କହିଛନ୍ତି।

Related Posts