ଏଏସଓ ପରୀକ୍ଷାରେ ଅନିୟମିତତା ଅଭିଯୋଗ; ଓପିଏସ୍‌ସି କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଲେ ପରୀକ୍ଷାର୍ଥୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ କରାଯାଇଥିବା ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପରୀକ୍ଷାରେ ବ୍ୟପାକ ତ୍ରୁଟି ଓ ଅନିୟମିତତା ହୋଇଥିବା ନେଇ ପରୀକ୍ଷାର୍ଥୀମାନେ ଅଭିଯୋଗ ଆଣିଛନ୍ତି। ଏନେଇ ଏଏସ୍‌ଓ ‌ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀମାନେ ଆଜି ଦୀର୍ଘ ସମୟ ଧରି ଓପିଏସ୍‌ସି କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ ପରୀକ୍ଷା ଦେଇ ନଥିବା ପିଲା ପରୀକ୍ଷାରେ ପାସ କରିଛନ୍ତି। ଏନେଇ ବ୍ୟାପକ ଅର୍ଥ କାରବାର ହୋଇଥିବା ସେମାନେ ଅଭିଯୋଗ ଆଣିଛନ୍ତି।

ସେହିପରି ମାର୍କସିଟ ଓ କଟଅଫ୍‌ ମାର୍କ ଆସିବାରେ ବହୁତ ବିଳମ୍ବ ହୋଇଛି। ତେଣୁ ତୁରନ୍ତ ଏହି ଦିଗରେ ପଦକ୍ଷେପ ନିଆଯିବା ନେଇ ପରୀକ୍ଷାର୍ଥୀମାନେ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି।

ସୂଚନା ଅନୁସାରେ, ଆଜି ପୂର୍ବାହ୍ନରେ ଶତାଧିକ ପରୀକ୍ଷାର୍ଥୀ କଟକସ୍ଥିତ ଓପିଏସ୍‌ସି କାର୍ଯ୍ୟାଳୟ ସାମ୍ନାରେ ଭିଡ଼ ଲଗାଇଥିଲେ। ପରୀକ୍ଷାର୍ଥୀମାନେ ପରୀକ୍ଷାରେ ବ୍ୟାପକ ତ୍ରୁଟି ଥିବା ଅଭିଯୋଗ ଆଣିଥିଲେ। ହାତରେ ପ୍ଲାକାର୍ଡ ଧରି ପ୍ରଦର୍ଶନ କରିଥିଲେ। ପରୀକ୍ଷାର୍ଥୀଙ୍କର ଧାରଣା ଦେଇଥିବାରୁ ଘଟଣାସ୍ଥଳକୁ ପୁଲିସ କର୍ମଚାରୀମାନେ ମଧ୍ୟ ପହଞ୍ଚିଥିଲେ। ତେବେ ଲୋକ ସେବା ଆୟୋଗ ପକ୍ଷରୁ ଏବାବଦରେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ଅଗଷ୍ଟ ମାସରେ ଓପିଏସସି କର୍ତ୍ତୃପକ୍ଷ ୭୯୬ଟି ଏଏସଓ ପଦବୀ ନିମନ୍ତେ ଲିଖିତ ପରୀକ୍ଷା କରିଥିଲେ । ଗତ ସୋମବାର ଏହାର ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇଥିଲା ଓ ଏଥିରେ ମୋଟ ୧୧୦୪ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କୁ ନଭେମ୍ବର ୧୪ରୁ ଡକ୍ୟୁମେଂଟ ଯାଞ୍ଚ ଓ ୨୭ରେ କମ୍ପ୍ୟୁଟର ସ୍କିଲ୍ ଟେଷ୍ଟ ଦେବାକୁ ଓପିଏସସି ପକ୍ଷରୁ କୁହାଯାଇଛି ।

Related Posts