ଟୋକିଓ ଅଲିମ୍ପିକ୍ସରେ ପୁଣି ନିରାଶ କଲେ ଦୂତୀ : ୧୦୦ ମିଟର ପରେ ୨୦୦ ମିଟର ଦୌଡ଼ରେ ବି ବିଫଳ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପୁଣି ନିରାଶ କଲେ ଭାରତୀୟ ଆଥଲେଟ୍ ଦୂତୀ ଚାନ୍ଦ।ପୂର୍ବରୁ ୧୦୦ ମିଟର ଦୌଡ଼ରେ ନିରାଶ କରିଥିବା ଦୂତୀ ଆଜି ୨୦୦ ମିଟର ଦୌଡ଼ରେ  ବି ହାରି ଯାଇଛନ୍ତି । ୨୦୦ମିଟରରେ ହିଟ୍‌-୪ରେ ସପ୍ତମ ସ୍ଥାନରେ ରହି ସେ ତାଙ୍କ ଟୋକିଓ ଅଲିମ୍ପିକ୍ସ ଅଭିଯାନ ଶେଷ କରିଛନ୍ତି। ୨୩.୮୫ ସେକେଣ୍ଡରେ ୨୦୦ ମିଟର ଅତିକ୍ରମ କରିଥିଲେ ଦୂତୀ ଚାନ୍ଦ। ଏହା ପୂର୍ବରୁ ୧୧.୫୪ ସେକେଣ୍ଡରେ ସେ ୧୦୦ ମିଟର ଅତିକ୍ରମ କରି ହାରିଥିଲେ। ୧୦୦ ମିଟରରେ ବି ମଧ୍ୟ ଦୂତୀ ୭ମ ସ୍ଥାନରେ ରହିଥିଲେ। ବର୍ତ୍ତମାନ ଟୋକିଓ ଅଲିମ୍ପିକ୍ସରେ ଦୂତୀଙ୍କର ପଦକ ଆଶା ମଳିନ ପଡ଼ିଯାଇଛି। 

୨୦୧୮ ରେ ଜାକର୍ତ୍ତାରେ ଏସିଆନ୍ସ ଗେମ୍ସରେ ସେ ଏହି ଟାଇମିଂ ହାସଲ କରିଥିଲେ। ଟୋକିଓ ଅଲିମ୍ପିକ୍ସରେ ଆଜି ୨୦୦ ମିଟରରେ ହିଟ୍-୪ରେ ଦୂତୀଙ୍କ ମୁକାବିଲା ଆମେରିକାର ଗାବ୍ରିଏଲ୍ ଥୋମାସ୍, ନାମିବିଆର କ୍ରିଷ୍ଟାଇନ୍ ବୋମା, ବ୍ରାଜିଲର ଭିକ୍ଟୋରିଆ କ୍ରିଷ୍ଟିନା ରୋସା, ନାଇଜେରିଆର ଆମିନାଟୁ ସେୟନୀ ଓ ଜର୍ମାନୀର ଜେ.ବି ୱେସୋଲୀ, ଜାମ୍ବିଆର ରୋଡା ଜୋଭବୁଙ୍କ ସହ ଥିଲା। 

ତେବେ କ୍ରିଷ୍ଟାଇନ୍ ବୋମା ୨୨.୧୧ ସେକେଣ୍ଡରେ ନିର୍ଦ୍ଧାରିତ ଦୂରତ୍ୱକୁ ଅତିକ୍ରମ କରି ପ୍ରଥମ ସ୍ଥାନରେ ରହିଥିଲେ। ସେହିପରି ଆମେରିକାର ଗାବ୍ରିଏଲ୍ ଥୋମାସ୍ ୨୨.୨୦ ସେକେଣ୍ଡ ସହ ଦ୍ୱିତୀୟ ଓ ଆମିନାଟୁ ସେୟନୀ ୨୨.୭୨ ସେକେଣ୍ଡ ସହ ତୃତୀୟ ସ୍ଥାନରେ ରହିଥିଲେ। ହିଟ୍‌-୪ରୁ ଏହି ତିନି ଜଣ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି।

ଏହା ପୂର୍ବରୁ ଦୂତୀ ଚାନ୍ଦ ଜୁଲାଇ ୩୦ ତାରିଖରେ ୧୦୦ ମିଟର୍ ଦୌଡ଼ରେ ହିଟ୍‌-୫ରେ ସପ୍ତମ ସ୍ଥାନରେ ରହିଥିଲେ। ୧୦୦ ମିଟରରେ ଦୂତୀଙ୍କ ନିଜସ୍ୱ ରେକର୍ଡ ୧୧.୧୭ ସେକେଣ୍ଡ ଠାରୁ ବି ଖରାପ ପ୍ରଦର୍ଶନ କରିଥିଲେ। ସେ ଅଲମ୍ପିକରେ ଏହି ଦୂରତା ଅତିକ୍ରମ କରିବାକୁ ୧୧.୫୪ ସେକେଣ୍ଡ ନେଇଥିଲେ।

ସୂଚନାଯୋଗ୍ୟ ଯେ ଦେଶର ଏକମାତ୍ର ଆଥଲେଟ୍ ଭାବେ ଦୂତି ଚାନ୍ଦ ଟୋକିଓ ଅଲିମ୍ପିକ୍ସରେ ଶହେ ଓ ୨ଶହ ମିଟର ଦୌଡ଼ରେ ଭାଗ ନେଇଥିଲେ। 

Related Posts