‘19ରେ ବଦଳାଇ ଦିଅ 19 ବର୍ଷର ସରକାର’

କଟକ ସାଲେପୁର ସଭାରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହାଙ୍କ ଆହ୍ବାନ

କଟକ ସାଲେପୁର କୁଳିଆରେ ବିଜେପି ପକ୍ଷରୁ ଆୟୋଜିତ ଜନସଭାରେ ବିଜେପି ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶାର ନବୀନ ସରକାର ଓ କେନ୍ଦ୍ରରେ ବିରୋଧୀ କଂଗ୍ରେସ ଉପରେ ଆକ୍ରମଣ କରିଛନ୍ତି । ଓଡ଼ିଶାରେ ସରକାର ବଦଳାଇବାକୁ ଆହ୍ବାନ ଦେଇଛନ୍ତି ଅମିତ୍‌ ଶାହା । ବିଜେପି ଅଧ୍ୟକ୍ଷ କହିଛନ୍ତି, ‘୧୯ରେ ୧୯ ବର୍ଷର ଶାସନକୁ ଓଡ଼ିଶାରୁ ହଟାଇବାକୁ ପଡ଼ିବ । ନୂଆ ଓଡ଼ିଶା ଗଠନ କରିବା ନରେନ୍ଦ୍ର ମୋଦିଙ୍କ ସ୍ବପ୍ନ । ଶିକ୍ଷା, ସ୍ବାସ୍ଥ୍ୟ, ନିଯୁକ୍ତି କ୍ଷେତ୍ରରେ BJP ଓଡ଼ିଶାର ବିକାଶ କରିବ ।’

ଉତ୍କଳ ଗୌରବ ମଧୁବାବୁଙ୍କୁ ମନେ ପକାଇ ଅମିତ୍‌ ଶାହ ଓଡ଼ିଆ କହୁ ନ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କଲେ । ଓଡ଼ିଶାର ବିକାଶ ପାଇଁ ମୋଦି ସରକାର ୫.୧୩ ଲକ୍ଷ କୋଟି ଟଙ୍କାର ବିଭିନ୍ନ ଅନୁଦାନ ଦେଇଛନ୍ତି ।

୮ କୋଟି ଘରେ କେନ୍ଦ୍ର ସରକାରଙ୍କ ଯୋଜନା ମାଧ୍ୟମରେ ଶୌଚାଳୟ ନିର୍ମାଣ ହୋଇଛି । ଅନ୍ୟପଟେ କଂଗ୍ରେସ ଓ 2019 ଲୋକସଭା ନିର୍ବାଚନ ପାଇଁ ସମ୍ଭାବ୍ୟ ମହାମେଣ୍ଟକୁ ସମାଲୋଚନା କରି ଅମିତ୍‌ ଶାହା କହିଛନ୍ତି ଯେ କଂଗ୍ରେସର ନେତା ଓ ନୀତି ସ୍ଥିର ହୋଇ ନାହିଁ ।ଆଗାମୀ ନିର୍ବାଚନରେ ମୋଦି ବନାମ ମେଣ୍ଟ, ମଜଭୁତ ବନାମ ମଜବୁର ମଧ୍ୟରେ ଲଢ଼େଇ ହେବ ।

କଟକ ସାଲେପୁର କୁଳିଆରେ ବିଜେପି ପକ୍ଷରୁ ଦଳର ବୁଥ୍‌ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ ପାଇଁ ସମାବେଶର ଆୟୋଜନ କରାଯାଇଥିଲା । ଏହି ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍‌ ଓରାମ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଓ ଦଳର ଅନ୍ୟ ପ୍ରମୁଖ ନେତାମାନେ ଯୋଗ ଦେଇଥିଲେ ।

Related Posts