ରକ୍ତରେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଏଏମ୍‌ୟୁ ଛାତ୍ର

ଅଲୀଗଡ଼ ମୁସଲିମ୍‌ ବିଶ୍ବବିଦ୍ୟାଳୟ(ଏଏମ୍‌ୟୁ)ର ଜଣେ ଛାତ୍ର ନେତା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରକ୍ତରେ ଚିଠି ଲେଖିଛନ୍ତି । ଏହି ଛାତ୍ରନେତାଙ୍କ ନାଁ ହେଲା ସୋନବୀର । ତିରଙ୍ଗା ଯାତ୍ରା ବାହାର କରି ବିଶ୍ୱବିଦ୍ୟାଳୟ ପ୍ରଶାସନଠାରୁ ନୋଟିସ୍ ପାଇବା ପରେ ଛାତ୍ର ନେତା ସୋନବୀର ରାଷ୍ଟ୍ରପତିଙ୍କୁ ରକ୍ତରେ ଚିଠି ଲେଖିଛନ୍ତି ।

ମାମଲାରେ ହସ୍ତକ୍ଷେପ କରିବାକୁ ସେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି । ତିରଙ୍ଗା ଯାତ୍ରା ଉପରେ ଏଏମ୍‌ୟୁ ପରିଚାଳନା ପରିଷଦ ଦୁଇ ଜଣ ହିନ୍ଦୁ ଛାତ୍ର ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ।

୭୦ତମ ଗଣତନ୍ତ୍ର ଦିବସ ଅବସରରେ ଏଏମ୍‌ୟୁ କ୍ୟାମ୍ପସ ଭିତରୁ ବାବା ସୈୟଦ ଗେଟ୍ ପର୍ଯ୍ୟନ୍ତ ଶତାଧିକ ଛାତ୍ର ମୋଟର ସାଇକେଲ୍‌ରେ ତିରଙ୍ଗା ଯାତ୍ରା ବାହାର କରିଥିଲେ । ଏହି ଯାତ୍ରାକୁ ବିଶ୍ବବିଦ୍ୟାଳୟ ପ୍ରବନ୍ଧକଙ୍କ ଦ୍ୱାରା ଅନୁମତି ଦିଆଯାଇ ନଥିଲା ବୋଲି କୁହାଯାଉଛି ।

ଏଏମୟୁର ଛାତ୍ର ନେତା ସୋନବୀରଙ୍କ କହିବାନୁସାରେ, ‘‘କାଶ୍ମୀରରେ ପଥର ଫିଙ୍ଗାଳିଙ୍କ ସମର୍ଥନରେ ରାଲି ବାହାରିଲେ ଏଏମ୍‌ୟୁ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନିଅନ୍ତି ନାହିଁ । କିନ୍ତୁ ଆମେ ଯେଉଁ ମାଟିରେ ରହୁଛୁ, ସେହି ପବିତ୍ର ଭାରତ ଭୂଇଁର ଜୟଗାନ କରିବା ଆମର କର୍ତ୍ତବ୍ୟ । ମୁଁ ଗଣତନ୍ତ୍ର ଦିବସ ଅବସରରେ ତ୍ରିରଙ୍ଗା ଯାତ୍ରା ବାହାର କରି ରାଷ୍ଟ୍ରଭକ୍ତିର ପରିଚୟ ଦେଇଛି, ଯାହା ଆମ ଅଧିକାର ।’’

ସୋନବୀର ତାଙ୍କ ଚିଠିରେ ଏଏମ୍‌ୟୁ ପ୍ରଶାସନର କାର୍ଯ୍ୟାନୁଷ୍ଠାନକୁ ସମ୍ବିଧାନର ଅନୁଚ୍ଛେଦ ୧୯(ଏ) ର ଉଲ୍ଲଘଂନ ବୋଲି ଦର୍ଶାଇଛନ୍ତି ।

Related Posts