ଆନ୍ଧ୍ରକୁ କାଟୁ କରୁନି ଓଡ଼ିଶା ପ୍ରଶାସନର କଡ଼ା ପଦକ୍ଷେପ: କୋଟିଆରେ ପଶି ବାଣ୍ଟିଲା ଆନିମଲ୍ ହେଲ୍ଥ କାର୍ଡ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଓଡ଼ିଶା ପ୍ରଶାସନର କଡ଼ା ପଦକ୍ଷେପ ଆନ୍ଧ୍ରପ୍ରଦେଶକୁ କାଟୁ କରୁନି । ପୁଣି ଥରେ କୋରାପୁଟର ବିବାଦୀୟ କୋଟିଆ ଗ୍ରାମପୁଞ୍ଜରେ ବୁଲୁଛନ୍ତି ଆନ୍ଧ୍ର ସରକାରଙ୍କ ଅଧିକାରୀ। ସେହି ଅଞ୍ଚଳରେ ବୃକ୍ଷରୋପଣ ପାଇଁ ମାଗଣା ଚାରା ବାଣ୍ଟିବା ସାଙ୍ଗକୁ ଗାଁକୁ ଗାଁ ବୁଲି ଗୃହପାଳିତ ପଶୁମାନଙ୍କୁ ଚିକିତ୍ସା ବି କରାଉଛନ୍ତି। ମିଳିଥିବା ସୂଚନା ମୁତାବକ ୩ ଦିନ ହେଲାଣି ଆନ୍ଧ୍ରର ଅଧିକାରୀ ମାନେ , ପାର୍ବତୀପୁରମ ଆଇଟିଡିଏ ପିଓ ଆର୍.କେ. ଉର୍ମନାଥ, ଫାଟୁସେନେରି, ଫଗୁଣସେନେରି, ମାଡକର, ତଳସେମ୍ବି, ଉପରସେମ୍ବି ,ଗଂଜେଇପଦର ଗାଁକୁ ଯାଇ ବୃକ୍ଷରୋପଣ କରିବା ପାଇଁ ଚାରା ବାଣ୍ଟୁଛନ୍ତି ।

ସେହିପରି ଅନ୍ଧ୍ର ପଶୁ ଡାକ୍ତର ଟିମ ମଧ୍ୟ ସେଠାକାର ଛେଳି, ମେଣ୍ଢା, ଗାଇ, ବଳଦଙ୍କୁ ଚିକିତ୍ସା କରୁଛନ୍ତି। ବର୍ଷା ଦିନେ ଗୃହପାଳିତ ପଶୁଙ୍କୁ କିପରି ସୁରକ୍ଷା ଯୋଗାଇ ଦିଆଯିବ ସେଥିପାଇଁ ଆନ୍ଧ୍ର ପ୍ରଶାସନ ପକ୍ଷରୁ ପ୍ରାଣୀ ଚିକିତ୍ସା ଶିବିର ବି ଆୟୋଜନ କରାଯାଉଛି। ସେହି ଅଞ୍ଚଳରେ ୪ଶହ ପଶୁଙ୍କ ଔଷଧ ଦିଆଯାଇଥିବା ବେଳେ ଅନ୍ୟ ୩ଶହ ଗାଇଙ୍କୁ ଟୀକାକରଣ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶର ଏହି କାର୍ଯ୍ୟକ୍ରମ ଆସନ୍ତା ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଅପରପକ୍ଷରେ ୪୬ ଜଣ ଚାଷୀ ଏବଂ ଗ୍ରାମବାସୀଙ୍କୁ ସାଲୁର ମଣ୍ଡଳ ଡାକ୍ତରଙ୍କ ଦ୍ୱାରା ଆନିମଲ୍ ହେଲଥ କାର୍ଡ ମଧ୍ୟ ବଣ୍ଟନ କରାଯାଇଛି। ତେବେ ଆନ୍ଧ୍ରର ଏହି ଦାଦାଗିରିକୁ କୋରାପୁଟବିକାଶ ପରିଷଦ ଓ ଆମ କୋଟିଆ ସଂଗଠନ ବିରୋଧ କରିବା ସହ କୋରାପୁଟ ପୋଲିସ ଓ ପ୍ରଶାସନ ଏ ଦିଗରେ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି।

Related Posts