(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ୧୦୦ କୋଟି ଟଙ୍କା ଲାଞ୍ଚ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଦୁଇ ସହଯୋଗୀ PA କୁନ୍ଦନ ସିନ୍ଦେ ଏବଂ PS ସଞ୍ଜୀବ ପାଲାଣ୍ଡେଙ୍କୁ ଗିରଫ କରିଛି ଇଡି । ମନି ଲଣ୍ଡରିଂ ମାମଲାରେ ଶୁକ୍ରବାର ଦିନ ଉଭୟଙ୍କୁ ଗିରଫ କରାଯିବା ପରେ ଆଜି କୋର୍ଟରେ ହାଜର କରାଯିବ । ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରାମବୀର ସିଂ ଅନୀଲ ଦେଶମୁଖଙ୍କ ବିରୋଧରେ ୧୦୦ କୋଟି ଟଙ୍କା ଠକେଇ ନେଇ ଅଭିଯୋଗ କରିଥିଲେ । ସେ କହିଥିଲେ ଯେ ଏହି ଘଟଣା ଘଟିବା ସମୟରେ ଅନିଲ ଦେଶମୁଖଙ୍କ ସହ ତାଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ପାଲାଣ୍ଡେ ମଧ୍ୟ ରୁମରେ ଉପସ୍ଥିତ ଥିଲେ । ତେବେ ଅନିଲ ଦେଶମୁଖ ଅଭିଯୋଗ କରିଛନ୍ତି ଯେ, ପରାମବୀର ସିଂଙ୍କୁ ପୋଲିସ କମିଶନର ପଦରୁ ହଟାଇ ଦିଆଯିବାରୁ ସେ ଏଭଳି ମିଥ୍ୟା ଅଭିଯୋଗ କରିଛନ୍ତି ।କହିଛନ୍ତି ଯେ ସେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ସହ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି । ଦେଶମୁଖ ଆଶା ପ୍ରକଟ କରିଛନ୍ତି ଯେ ପ୍ରକୃତ ଘଟମା କଣ “ସତ୍ୟ ପଦାକୁ ଆସିବ”। ଭବିଷ୍ୟତରେ ସେ ଅନୁସନ୍ଧାନକାରୀ ସଂସ୍ଥା ସହ ସହଯୋଗ ଜାରି ରଖିବେ ବୋଲି ଦେଶମୁଖ କହିଛନ୍ତି । ଏପଟେ ଏହି ମାମଲାରେ ଏନସିପି ସୁପ୍ରିମୋ ଶରଦ ପାୱାର ପ୍ରତିକ୍ରିୟା ରଖି କହିଛନ୍ତି ଯେ, “ଏହା ଆମ ପାଇଁ କୌଣସି ନୂଆ କଥା ନୁହେଁ। ଅନ୍ୟମାନଙ୍କ ସହିତ ମଧ୍ୟ ସମାନ ଘଟଣା ଘଟିଛି । କେନ୍ଦ୍ରୀୟ ଏଜେନ୍ସିମାନେ ପୂର୍ବରୁ ତାଙ୍କ ପୁଅର ବ୍ୟବସାୟ ଉପରେ ନଜର ରଖିଥିଲେ, କିନ୍ତୁ ମୁଁ ଜାଣେ ଯେ ସେମାନେ କିଛି ପାଇଲେ ନାହିଁ, ତେଣୁ ଏଜେନ୍ସି ବର୍ତ୍ତମାନ ତାଙ୍କ ପରିବାର ପାଇଁ ଆଉ ଏକ ସମସ୍ୟା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।” ଇଡି ର ଅଧିକାରୀମାନେ କହିଛନ୍ତି ଯେ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ଅନୁଯାୟୀ ପ୍ରାୟ ନଅ ଘଣ୍ଟା ପଚରାଉଚରା ପରେ ଦେଶମୁଖଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ପାଲାଣ୍ଡେ ଏବଂ ବ୍ୟକ୍ତିଗତ ସହାୟକ କୁନ୍ଦନ ସିନ୍ଦେଙ୍କୁ ଗିରଫ କରାଯାଇଥିଲା।
