
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋଭିଡ୍ ସଂକ୍ରମଣରୁ ରକ୍ଷା ପାଇଁ ବର୍ତ୍ତମାନ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଅଫିସ, ଦୋକାନ ଘର, ସପିଂ ମଲ ଭଳି ଜନ ଗହଳିପୂର୍ଣ୍ଣରେ ନୋ ମାସ୍କ, ନୋ ଏଣ୍ଟ୍ରି ରହିଛି। ତେବେ ଉତ୍ତରପ୍ରଦେଶର ବରେଲିରେ ମାସ୍କ ନ ପିନ୍ଧିବାରୁ ଜଣେ ବ୍ୟକ୍ତି ଗୁଳି ମାଡର ଶିକାର ହୋଇଛନ୍ତି। ବରେଲିର ବ୍ୟାଙ୍କ ଅଫ୍ ବରୋଦାରେ ଜଣେ ଗ୍ରାହକ ବିନା ମାସ୍କରେ ଯିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ବ୍ୟାଙ୍କର ଫାଟକରେ ନିୟୋଜିତ ଥିବା ସିକ୍ୟୁରିଟି ଗାର୍ଡ ଗ୍ରାହକଙ୍କୁ ବିନା ମାସ୍କରେ ବ୍ଯାଙ୍କ ଭିତରକୁ ପ୍ରବେଶ କରିବାକୁ ତାଗିଦ୍ କରିଥିଲେ। କିନ୍ତୁ ବ୍ୟକ୍ତି ଜଣକ ନଶୁଣିବାରୁ ଉତ୍ତ୍ଯକ୍ତ ସିକ୍ୟୁରିଟି ଗାର୍ଡ ଜଣକ ଗ୍ରାହକଙ୍କ ଗୋଡକୁ ଗୁଳି ଚଳାଇଥିଲେ। ବରେଲିରେ ବ୍ୟାଙ୍କରେ ରାଜେଶ କୁମାର ନାମକ ଜଣେ ରେଳ କର୍ମଚାରୀ ବିନା ମାସ୍କରେ ବ୍ଯାଙ୍କ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଘରୋଇ କମ୍ପାନୀର ସୁରକ୍ଷାକର୍ମୀ କେଶବ ପ୍ରସାଦ ମିଶ୍ର ତାଙ୍କୁ ଅଟକାଇଥିଲେ। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ସୁରକ୍ଷାକର୍ମୀ ରାଜେଶଙ୍କ ଗୋଡକୁ ଗୁଳି ମାରିଥିଲେ। ଏହାପରେ ବ୍ୟାଙ୍କ ଭିତରେ ରାଜେଶ ଆହତ ଅବସ୍ଥାରେ ପଡ଼ିଥିଲେ। ରାଜେଶ କୁମାରଙ୍କୁ ସଙ୍ଗେ ସଙ୍ଗେ ବରେଲିସ୍ଥିତ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଘଟଣା ସଂପର୍କରେ ସୂଚନା ପାଇ ବରେଲିର ଆଇଜିପି ରମିତ ଶର୍ମା, ଏସଏସପି ରୋହିତ ସିଂହ ସଜାଓ୍ୱାନ, ଏସପି ସିଟି ରବୀନ୍ଦ୍ର କୁମାର ସମେତ ଅନ୍ୟାନ୍ୟ ଅଧିକାରୀ ପହଞ୍ଚିଥିଲେ। ଏସଏସପି କହିଛନ୍ତି ଘରୋଇ ସୁରକ୍ଷାକର୍ମୀଙ୍କ ପାଖରେ ଯଦିଓ ବନ୍ଧୁକ ଲାଇସେନ୍ସ ରହିଛି ହେଲେ ଅଧିକ ଜେରା ପାଇଁ ସ୍ଥାନୀୟ ପୁଲିସ ଅଧିକାରୀ କେଶବଙ୍କୁ ନେଇଯାଇଛନ୍ତି। ପୋଲିସ ଅଧୀକ୍ଷକ ରବିନ୍ଦ୍ର କୁମାର ପିଟିଆଇକୁ କହିଛନ୍ତି ଯେ ବ୍ୟାଙ୍କ ଭିତରେ ଥିବା ଅନ୍ୟାନ୍ୟ ଗ୍ରାହକ ଏବଂ ବ୍ୟାଙ୍କ ଅଧିକାରୀଙ୍କୁ ପୁଲିସ ଜେରା କରିଛି।