(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମନି ଲଣ୍ଡରିଂ ମାମଲାରେ ଲଗାତର ତୃତୀୟ ଥର ପାଇଁ ମହାରାଷ୍ଟ୍ରର ତତ୍କାଳୀନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଇଡି ସମନ ଜାରି କରିଛି । ସୋମବାର ହାଜର ହେବା ପାଇଁ ଇଡି ପକ୍ଷରୁ ଏନସିପି ବିଧାୟକ ଦେଶମୁଖଙ୍କୁ ସମନ ଜାରି କରାଯାଇଛି। ସୋମବାର ଦିନ ଦକ୍ଷିଣ ମୁମ୍ବାଇର କେନ୍ଦ୍ରୀୟ ଏଜେନ୍ସି କାର୍ଯ୍ୟାଳୟରେ ଦେଶମୁଖଙ୍କୁ ତାଙ୍କ ବୟାନ ରେକର୍ଡ କରିବାକୁ କୁହାଯାଇଛି। ତେବେ ଇଡିର କାର୍ଯ୍ୟାନୁଷ୍ଠାନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦେଶମୁଖ। ମହାରାଷ୍ଟ୍ରର ସେ ତାଙ୍କ ଆବେଦନରେ କହିଛନ୍ତି ଯେ ତାଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଉ। ଅନୀଲ ଦେଶମୁଖଙ୍କ ଓକିଲ ଇନ୍ଦରପାଲ ବି ସିଂ ଏହି ସୂଚନା ଦେଇଛନ୍ତି। ଇଡି ଏନସିପି ବିଧାୟକଙ୍କ ପୁଅ ରୁଷିକେଶ ଦେଶମୁଖଙ୍କୁ ମଧ୍ୟ ହାଜର ହେବାକୁ ସମନ ଜାରି କରିଛି। ରୁଷିକେଶଙ୍କୁ ଜୁଲାଇ ୬ରେ ଜେରା କରିବ ଇଡି। ଶନିବାର ଇଡିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ , ଏନସିପି ନେତା ଅନୀଲ ଦେଶମୁଖଙ୍କୁ ତୃତୀୟ ଥର ପାଇଁ ସମନ୍ କରାଯାଇଛି। ପୂର୍ବରୁ ଦୁଇ ଥର ସମନ ଜାରି କରିଥିଲେ ମଧ୍ୟ କରୋନା ପ୍ରସଙ୍ଗ ଦୋହରାଇ ଦେଶମୁଖ ଇଡି ନିକଟରେ ହାଜର ହୋଇନଥିଲେ। ଆବଶ୍ୟକ ହେଲେ ଭିଡିଓ କନଫରେନସିଂ ଜରିଆରେ ହାଜର ହେବେ ବୋଲି ଦେଶମୁଖ ଜଣାଇଥିଲେ। ସୂଚନାଯୋଗ୍ୟ, ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହ ପ୍ରଥମେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖି ଅନୀଲ ଦେଶମୁଖଙ୍କ ବିରୋଧରେ ଟଙ୍କା ଆଦାୟ ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ହେତୁ ଦେଶମୁଖ ଚଳିତ ବର୍ଷ ଏପ୍ରିଲରେ ମହାରାଷ୍ଟ୍ରର ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଗତ ମାସରେ ମୁମ୍ବାଇ ଏବଂ ନାଗପୁରରେ ଇଡିର ଅଧିକାରୀମାନେ ଦେଶମୁଖଙ୍କ ପିଏସ୍ ସଞ୍ଜୀବ ପଲାଣ୍ଡେ ଓ ପିଏ କୁନ୍ଧନ ସିନ୍ଧେଙ୍କୁ ଗିରଫ କରିଛନ୍ତି।ସେମାନେ ଜୁଲାଇ ୬ ପର୍ଯ୍ୟନ୍ତ ଇଡି ହେପାଜତରେ ଅଛନ୍ତି।ମାସିକ ୧୦୦ କୋଟିର ଚାନ୍ଦା ଆଦାୟ କରିବା ପାଇଁ ଅନୀଲ ଦେଶମୁଖ ଆଣ୍ଟିଲିଆ ନିକଟରୁ ବିସ୍ଫୋରକ ଗାଡ଼ି ଜବତ ଘଟଣାରେ ଗିରଫ ନିଲମ୍ବିତ ପୁଲିସ୍ ଅଧିକାରୀ ସଚିବ ବାଜେଙ୍କୁ କହିଥିବା ପରମବୀର ଚିଠିରେ ଲେଖିଥିଲେ। ଏହି ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଓ ଇଡି ତଦନ୍ତ କରୁଛି। ଦେଶମୁଖଙ୍କ ବିରୋଧରେ ଇଡି ମନି ଲଣ୍ଡିରିଂ ମାମଲା ରୁଜୁ କରି ତଦନ୍ତ କରୁଛି।
