ଦେଶରେ ଗଡିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ, ଗାନ୍ଧିନଗର ଷ୍ଟେସନରୁ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶରେ ଗଡିଲା ତୃତୀୟ ସ୍ବଦେଶୀ ନିର୍ମିତ ହାଇ ସ୍ପିଡ ବନ୍ଦେ ଭାରତ ଏକ୍ସପ୍ରେସ। ଶୁକ୍ରବାର ଗାନ୍ଧିନଗର ଷ୍ଟେସନରୁ ସବୁଜ ପତାକା ଦେଖାଇ ଏହି ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ଟ୍ରେନ ଗାନ୍ଧିନଗରରୁ ମୁମ୍ବାଇ ସେଣ୍ଟ୍ରାଲ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ରେଳ ରାଜ୍ୟମନ୍ତ୍ରୀ ଦର୍ଶନା ଜରଦୋଶ ମଧ୍ୟ ଉପସ୍ଥିତ ଥିଲେ।ବନ୍ଦେ ଭାରତ ଏକ୍ସପ୍ରେସର ମୋଟ ୧,୧୨୮ ଯାତ୍ରୀ କ୍ଷମତା ରହିଛି। ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଫେବୃଆରୀ ୧୫, ୨୦୧୯ରେ ନୂଆଦିଲ୍ଲୀ-ବାରାଣାସୀ ମଧ୍ୟରେ ଚାଲିଥିଲା। ଏଥିସହିତ ଦ୍ୱିତୀୟ ଟ୍ରେନ ନୂଆଦିଲ୍ଲୀରୁ ଶ୍ରୀ ବୈଷ୍ଣୋ ଦେବୀ ପର୍ଯ୍ୟନ୍ତ ଚଳାଚଳ କରିଥିଲା।

ତେବେ ଏହି ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ ପୂର୍ବ ଟ୍ରେନ ଠାରୁ ଭିନ୍ନ ହେବ। ଏହି ନୂତନ ଟ୍ରେନରେ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଅନେକ ପରିବର୍ତ୍ତନ କରାଯାଇଛି। ଏହି ଟ୍ରେନରେ ପ୍ରଥମ ଥର ପାଇଁ ‘କବଚ’ ପ୍ରଯୁକ୍ତିବିଦ୍ୟା ଆରମ୍ଭ ହୋଇଛି। ଏହି ଟେକ୍ନୋଲୋଜିର ସାହାଯ୍ୟରେ ଦୁଇଟି ଟ୍ରେନର ମୁହାଁମୁହିଁ ଧକ୍କା ଭଳି ଦୁର୍ଘଟଣାକୁ ରୋକାଯାଇପାରିବ। ଏହି ଟେକ୍ନୋଲୋଜିକୁ ସ୍ବଦେଶୀ ଭାବରେ ବିକଶିତ କରାଯାଇଛି, ଯେଉଁ କାରଣରୁ ଏହାର ମୂଲ୍ୟ ବହୁତ କମ ଅଟେ। ଏହି ଟ୍ରେନ ମାତ୍ର ୫୨ ସେକେଣ୍ଡରେ ୦ ରୁ ୧୦୦ କିଲୋମିଟର ବେଗ ହାସଲ କରେ।

Related Posts